ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ରୁଟ୍ରେ ଚାଲୁ ଶତାବ୍ଦୀ ଏକ୍ସପ୍ରେସ୍

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଭୁବନେଶ୍ୱରରୁ ରାଉରକେଲା ଭାୟା ଝାରସୁଗୁଡ଼ା ଦେଇ ଶତାବ୍ଦୀ ଏକ୍ସପ୍ରେସ୍ ଚାଲୁ । ଏହା ଲୋକଙ୍କ ଯୋଗାଯୋଗ ଆବଶ୍ୟକତାକୁ ପୂରା କରିପାରିବ । ଏହି ରୁଟ୍ରେ ଶତାବ୍ଦୀ ଏକ୍ସପ୍ରେସ୍ ଚାଲିଲେ ଆର୍ଥିକ ଦୃଷ୍ଟିରୁ ମଧ୍ୟ ରେଳବାଇ ଫାଇଦା ପାଇବ । ଏଣୁ ଭୁବନେଶ୍ୱର-ଝାରସୁଗୁଡ଼ା- ରାଉରକେଲା ରୁଟ୍ରେ ଶୀଘ୍ର ଶତୀବ୍ଦୀ ଏକ୍ସପ୍ରେସ୍ ଚଳାଚଳ କରୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମର୍ମରେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ।
ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରି କହିଛନ୍ତି, ଓଡ଼ିଶାରେ ଚାଲୁଥିବା ଏକ୍ସପ୍ରେସ୍ ଟ୍ରେନ୍ ଭିତରୁ ଶତୀବ୍ଦୀ ଏକ୍ସପ୍ରେସ୍ ସେବା ପ୍ରଦାନରେ ବେଶ୍ ଲୋକପ୍ରିୟ । ଭୁବନେଶ୍ୱର-ଝାରସୁଗଡ଼ା- ରାଉରକେଲା ରୁଟ୍ରେ ଏବେ ମାତ୍ର ଗୋଟିଏ ଇଣ୍ଟରସିଟି ଏକ୍ସପ୍ରେସ୍ ଲୋକଙ୍କ ଯାତାୟତ ଆବଶ୍ୟକତା ପୂରା କରୁଛି । ସକାଳ ସମୟରେ ଭୁବନେଶ୍ୱରରୁ ଏହି ରୁଟ୍କୁ ସିଧାସଳଖ ଯୋଡୁଥିବା କୌଣସି ଏକ୍ସପ୍ରେସ୍ ଟ୍ରେନ୍ ଚାଲୁନି । ଝାରସୁଗୁଡ଼ା ରାଜ୍ୟର ଏକ ପ୍ରମୁଖ ଶିଳ୍ପ ହବ୍ । ରାଉରକେଲା ମଧ୍ୟ ଷ୍ଟିଲ୍ସିଟି ଓ ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି ମାନ୍ୟତା ପାଇଛି । ଏହି ଦୁଇଟି ଯାକ ସହର ରାଜ୍ୟ ପାଇଁ ଅତି ଗୁରୁତ୍ୱ ବହନ କରୁଛନ୍ତି । କିନ୍ତୁ ଭୁବନେଶ୍ୱରରୁ ଏହି ଦୁଇ ସହରକୁ ଯୋଡୁଥିବା କୌଣସି ଟ୍ରେନ୍ ସକାଳ ବେଳା ଚାଲୁନି । ଏହି ରୁଟ୍ରେ କେବଳ ଇଣ୍ଟରସିଟି ଏକ୍ସପ୍ରେସ୍ ଲୋକଙ୍କ ଟ୍ରେନ୍ ସେବା ଓ ପରିବହନ ଆବଶ୍ୟକତା ପୂରଣ କରୁଛି । ଏମିତି କି ଇଣ୍ଟରସିଟି ଏକ୍ସପ୍ରେସ୍ ତା’ କ୍ଷମତାଠାରୁ ୧୨୦ପ୍ରତିଶତ ଅଧିକ ଯାତ୍ରୀ ପରିବହନ କରୁଛି । ଏଣୁ ଏହି ରୁଟ୍ରେ ଶତୀବ୍ଦୀ ଏକ୍ସପ୍ରେସ୍ ଚାଲିଲେ ଲୋକେ ବେଶ୍ ଉପକୃତ ହେବେ ବୋଲି ନବୀନ ଚିଠିରେ ଲେଖିଛନ୍ତି ।
ଓଡ଼ିଶା ସବୁବେଳେ ରେଳବାଇର ଅଭିବୃଦ୍ଧିରେ ବଡ଼ ଅବଦାନ ଦେଇ ଆସିଛି । ଭାରତୀୟ ରେଳବାଇର ରାଜସ୍ୱ କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ । ଉଭୟ ମାଲ୍ ପରିବହନ ଓ ଯାତ୍ରୀ ପରିବହନରେ ଓଡ଼ିଶା ଅନ୍ୟ ରାଜ୍ୟଠାରୁ ଆଗରେ ରହିଛି । ଏଣୁ ସବୁ ଦିଗକୁ ବିଚାର କରି ଭୁବନେଶ୍ୱର-ଝାରସୁଗୁଡ଼ା- ରାଉରକେଲା ରୁଟ୍ରେ ପ୍ରିମିୟମ୍ ଶତାବ୍ଦୀ ଏକ୍ସପ୍ରେସ୍ ଚଳାଚଳ କରୁ ବୋଲି ନବୀନ ଚିଠିରେ ଅନୁରୋଧ କରିଛନ୍ତି ।