ବିଶିଷ୍ଟ କଳାକାର ତଥା ଅବସରପ୍ରାପ୍ତ କଲେଜ ଅଧକ୍ଷ ନବୀନ ମହାନ୍ତିଙ୍କ ପରଲୋକ

କଣ୍ଟାବାଞ୍ଜି, ୩୦/୧୧ : ବିଶିଷ୍ଟ କଳାକାର ତଥା କଣ୍ଟାବାଞ୍ଜି କେଭି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ନବୀନ ଚନ୍ଦ୍ର ମହାନ୍ତିଙ୍କ ପରଲୋକ। ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଆଜି ସକାଳ ୬ଟାରେ ତାଙ୍କର ପରଲୋକ ହୋଇଛି। ବିଭିନ୍ନ ରୋଗରେ ପୀଡ଼ିତ ହୋଇ ସେ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଥିଲେ। ସେ ଜଣେ ପ୍ରତିଭାବାନ୍ ବ୍ୟକ୍ତି ଭାବେ ସାରା ଓଡ଼ିଶାରେ ପ୍ରତିଷ୍ଠିତ ହୋଇଥିବା ବେଳେ କଣ୍ଟାବାଞ୍ଜି କେଭି କଲେଜରୁ ଅଧ୍ୟକ୍ଷ ପଦବୀରୁ ଅବସର ନେଇଥିଲେ। ସେ କଲେଜରେ ଅଧ୍ୟକ୍ଷତା କରିବା ସାଙ୍ଗକୁ ଜଣେ ଉଚ୍ଚକୋଟୀର କଳାକାର ଥିଲେ।
ସେ ଡ୍ରାମାରୁ ନେଇ ହିନ୍ଦୀ, ଓଡ଼ିଆ ଟେଲିଭିଜନ ଜଗତରେ ବେଶ ସୁନାମ ଅର୍ଜନ କରିଥିଲେ। ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ଏବଂ ବିଭିନ୍ନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନୁଭବ, ସିଦ୍ଧାର୍ଥ ମହାପାତ୍ର ଭଳି ଉଚ୍ଚକୋଟୀର କଳାକାରଙ୍କ ସହିତ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ। ସାରାଆକାଶ, ସମଥିଙ୍ଗ ସମଥିଙ୍ଗ, ସରପଞ୍ଚ ବାବୁ, ଏହିଭଳି ଆହୁରି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
ତାଙ୍କର ଗୋଟିଏ ଝିଅ ଓ ଏକମାତ୍ର ପୁଅ ରହିଥିବା ବେଳେ ପୁଅ ନିଖିଳ ମହାନ୍ତି ପୁରୀରେ ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଉଛନ୍ତି। ଆଜି ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ସ୍ଵର୍ଗତ ମହାନ୍ତିଙ୍କ ଅନ୍ତିମ ସଂସ୍କାର ହେବ। ଏହି ଖବର ପ୍ରଚାରିତ ହେବାପରେ କଣ୍ଟାବାଞ୍ଜିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଭୁବନେଶ୍ୱର ସ୍ଥିତ ବାସଭବନକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଅନେକ କଳାକାର ତାଙ୍କର ଶେଷ ଦର୍ଶନ କରିବାକୁ ପହଞ୍ଚିଛନ୍ତି।