PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ବିଜୁ ଯୁବବାହିନୀ ଆଞ୍ଚଳିକ ସମାବେଶରେ ନବୀନଙ୍କ ପରାମର୍ଶ: ସେବା କର, ସମର୍ପିତ ହୁଅ

ବଲାଙ୍ଗୀର,୨୪ା୧(ସପ୍ର): ସେବାର ବିକଳ୍ପ ନାହିଁ । ସେବା ହିଁ ଭଗବାନ । ଯୁବ ପିଢ଼ି ସେବାକୁ ନିଜର କର୍ମ ଭାବେ ଗ୍ରହଣ କର । ମାନବ ଜାତି ପାଇଁ ସମର୍ପିତ ହୁଅ । ବଲାଙ୍ଗୀରଠାରେ ଆୟୋଜିତ ବିଜୁ ଯୁବ ବାହିନୀର ଆଞ୍ଚଳିକ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବକମାନଙ୍କୁ ଏଭଳି ମହାନୁଭବ ପରାମର୍ଶ ଦେଇଛନ୍ତି ।
ସ୍ଥାନୀୟ ରାଜେନ୍ଦ୍ର କଲେଜ ପଡ଼ିଆଠାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଯୁବବର୍ଗ ସ୍ୱାମୀ ବିବେକାନନ୍ଦ ଏବଂ ଗାନ୍ଧିଜୀଙ୍କୁ ନିଜର ଆଦର୍ଶ ଭାବରେ ଗ୍ରହଣ କରନ୍ତୁ । ଗୋପବନ୍ଧୁ, ମଧୁବାବୁ ଓ ବିଜୁ ବାବୁଙ୍କ ତ୍ୟାଗ ତଥା ସେବା ମନୋଭାବକୁ ସଭିଏଁ ଜାଣନ୍ତୁ । ସେହି ମହାନ ପୁରୁଷମାନଙ୍କ ପଦାଙ୍କ ଅନୁସରଣ କଲେ ଓଡ଼ିଆ ଜାତି ମହାନ ହୋଇପାରିବ’ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ୨୬୧.୪୫ କୋଟି ଟଙ୍କା ଅଟକଳରେ ବଲାଙ୍ଗୀର ଜିଲ୍ଲାରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଏକାଧିକ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ରାଜେନ୍ଦ୍ର କଲେଜ ପଡ଼ିଆଠାରେ ନିର୍ମିତ ଫଳକକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଏହି ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ । ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ, ସେ ହେଲିପ୍ୟାଡରେ ଓହ୍ଲାଇବା ସମୟରେ ରାଜେନ୍ଦ୍ର କଲେଜର ଯୁବକମାନେ ତାଙ୍କୁ ଭେଟି ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ସ୍ମାରକପତ୍ର ଦେଇଥିଲେ । ସରକାର ମଧ୍ୟ ଏହାକୁ ଗୁରୁତର ଭାବେ ବିଚାର କରୁଛନ୍ତି ବୋଲି କହିଥିଲେ ।
ବିଜୁ ଯୁବ ବାହିନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପଶ୍ଚିମ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା । ମନ୍ତ୍ରୀ ସୁଶାନ୍ତ ସିଂହ ଓ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ କଳିକେଶ ସିଂଦେଓ, ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା, କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ୍‌, ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂଦେଓ, ଅନାମ ନାଏକ, ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଯୁବକର୍ମୀଙ୍କୁ ଉତ୍ସାହିତ କରିଥିଲେ ।