ନବୀନଙ୍କ ଶପଥକୁ ମୋଦିଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨୭ ।୫(ବ୍ୟୁରୋ): ୨୯ରେ ୫ମ ପାଳି ଆରମ୍ଭ କରିବାକୁ ଯାଉଥିବା ନବୀନ ପଟ୍ଟନାୟକ ନିଜ ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ଦଳ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ନିମନ୍ତ୍ରଣ ପତ୍ର ପଠାଯାଇଛି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଦଳ ଏ ଭବ୍ୟ ଉତ୍ସବକୁ ଡାକିଛି । ରାଜ୍ୟର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ, ସମସ୍ତ ବିଧାୟକଙ୍କୁ ମଧ୍ୟ ଦଳ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।
ପ୍ରଦର୍ଶନୀ ପଡ଼ିଆର ଆଖି ଝଲସିଲା ଭଳି ଖୋଲା ମଞ୍ଚରେ କ୍ରମାଗତ ୫ମ ପାଳିର ଇନିଂସ ଆରମ୍ଭ କରିବେ ନବୀନ ପଟ୍ଟନାୟକ । ନିଜ କ୍ୟାରିୟରରେ ରାଜଭବନ ବାହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ନେବେ ପଦ ଓ ଗୋପନୀୟତାର ଶପଥପାଠ । ନବୀନଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ । ଏହି ଉତ୍ସବକୁ ସ୍ମରଣୀୟ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦଳ ପଠାଇଥିଲା ବେଳେ ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି । ମୁକେଶ ଅମ୍ବାନି, ରତନ ଟାଟା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲଙ୍କ ଭଳି ନାମୀ ଶିଳ୍ପପତିଙ୍କୁ ନବୀନ ଡାକିଛନ୍ତି ।
‘ମେକ୍ ଇନ ଓଡ଼ିଶା’ରେ ଅଂଶ ଗ୍ରହଣ କରିଥିବା ଏବଂ ଓଡ଼ିଶାର ବିକାଶରେ ଯୋଗଦାନ ଥିବା କର୍ପୋରେଟ୍ ହାଉସଗୁଡ଼ିକୁ ନବୀନ ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କରିବାକୁ ଭୂଲି ନାହାନ୍ତି । ଏହାଛଡ଼ା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କିଛି ସଦସ୍ୟ, ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ଚାଷୀ ସଂଗଠନ ସହ କେନ୍ଦୁପତ୍ର ତୋଳାଳି ସଂଗଠନ ନେତାମାନଙ୍କୁ ମଧ୍ୟ ଦଳ ପକ୍ଷରୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି । ସମସ୍ତ ରାଜନୈତିକ ଦଳର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି ।