ଡେକାନ୍ ହେରାଲ୍ଡର ଆକଳନ, ନବୀନ ପୁଣି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ନବୀନ ପଟ୍ଟନାୟକ । ସାମ୍ପ୍ରତିକ ରାଜନୈତିକ ପାଣିପାଗକୁ ଅନୁଧ୍ୟାନ କରି ଏମିତି ଆକଳନ କରିଛି ଜାତୀୟସ୍ତରର ଗଣମାଧ୍ୟମ ଡେକାନ ହେରାଲ୍ଡ । ଗଣମାଧ୍ୟମ ପକ୍ଷରୁ ସମଗ୍ର ଦେଶର ରାଜ୍ୟଗୁଡ଼ିକର ପାଣିପାଗ ସ୍ଥିତିକୁ ଆକଳନ କରାଯାଇଛି ।
ଡେକାନ ହେରାଲ୍ଡ ଆକଳନ ଅନୁସାରେ, ଓଡ଼ିଶାରେ ବିଜେଡିକୁ ୧୬-୧୮ ଲୋକସଭା ସିଟ୍ ମିଳିପାରେ । କଂଗ୍ରେସ ଓ ବିଜେପିକୁ ଗୋଟିଏରୁ ଦୁଇଟି ଲେଖାଏଁ ସିଟ୍ ମିଳିପାରେ ବୋଲି ଦର୍ଶାଯାଇଛି । ଏ ଗଣମାଧ୍ୟମ ସଂସ୍ଥାର ବିଶେଷ୍ଲଣ ରିପୋର୍ଟ କହୁଛି, ଓଡ଼ିଶାରେ ନବୀନ ଓ ବିଜେଡିର ଦବ୍ଦବା ଏବେ ବି ରହିଛି । ଗତ ୨୦୧୪ ନିର୍ବାଚନ ତୁଳନାରେ ବିଜେଡିର ବଳ ଟିକେ କମିପାରେ । ମାତ୍ର ଦଳକୁ ଅଧିକ ଜନମତ ମିଳିବ । ପଞ୍ଚମ ଥର ପାଇଁ ନବୀନ ପୁଣି ରାଜ୍ୟର ଶାସନ ଡୋରି ଧରିବେ ।
ରିପୋର୍ଟ କହୁଛି, ପ୍ରଧାନମନ୍ତ୍ରୀ ଯଦି ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୁଅନ୍ତି ତେବେ ତାହାର ପ୍ରଭାବ ମଧ୍ୟ ସୀମିତ ରହିବ । ଗତ ନିର୍ବାଚନ ଭଳି ବିଧାନସଭା ନିର୍ବାଚନରେ ନବୀନ ସମାନ ପ୍ରଦର୍ଶନ ନକଲେ ମଧ୍ୟ ସେ ଏବେ ବି ରାଜ୍ୟର ନମ୍ବର-୧ ରାଜନେତା । ଲୋକଙ୍କ ପସନ୍ଦରେ ସେ ପୁଣି ଶାସନକୁ ଫେରିବେ । ଗତ ନିର୍ବାଚନରେ ବିଜେଡିକୁ ୨୦ଟି ଲୋକସଭା ଆସନ ମିଳିଥିବା ବେଳେ ଏଥର ତାହା କମିବ ବୋଲି ଡେକାନ ହେରାଲ୍ଡ ଅନୁମାନ ଲଗାଇଛି ।
ରିପୋର୍ଟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ମଧ୍ୟ ବିଶ୍ଲେଷଣ କରାଯାଇ ଦର୍ଶାଯାଇଛି ଯେ ବିଜେଡି ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମାନ ଦୂରତାରେ ରହିଛି ବୋଲି କହୁଥିଲେ ମଧ୍ୟ ଆବଶ୍ୟକ ପଡ଼ିଲେ ଦଳ ବିଜେପି ସହ ମେଣ୍ଟ କରିପାରେ । ଉଲ୍ଲେଖଯୋଗ୍ୟ, ପୂର୍ବରୁ “ଇଣ୍ଡିଆ ଟୁଡେ’ ସର୍ଭେ ରିପୋର୍ଟରେ ନବୀନଙ୍କୁ ରାଜ୍ୟର ସର୍ବାଧିକ ପସନ୍ଦର ରାଜନେତା ଭାବେ ଦର୍ଶାଯାଇଥିଲା । ସେ ପୁଣି ନିଜ ଲୋକପ୍ରିୟତା ଓ ଦମ୍ରେ ରାଜ୍ୟର କ୍ଷମତା ଗାଦିରେ ବସିବେ । ଲୋକସଭା ଭୋଟରେ ବିଜେଡି ଭଲ ଫଳ ପ୍ରଦର୍ଶନ କରିବ ବୋଲି ଇଣ୍ଡିଆ ଟୁଡେ ଦର୍ଶାଇଥିଲା ।