ନୂଆଦିଲ୍ଲୀରେ ନବୀନ; ୧୧ରେ ମୋଦିଙ୍କ ସହ ଭେଟଘାଟ

ଭୁବନେଶ୍ୱର,୯ ।୬(ବ୍ୟୁରୋ): ସପ୍ତାହେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା କରିବେ । ମୋଦି-ନବୀନଙ୍କ ଏ ସାକ୍ଷାତ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଆସନ୍ତା ୧୫ରେ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କୁ କହିଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ‘ଫୋନି’ ପୁନରୁଦ୍ଧାର ସହ ଥଇଥାନ ନେଇ ଆଲୋଚନା କରିବେ । ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ମଧ୍ୟ ସେ ଉଠାଇବେ । ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ।
ରାଜନୈତିକ ମହଲ ଅନୁମାନ କରୁଛି, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ନବୀନ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇବେ । ସ୍ୱତନ୍ତ୍ର ପାହ୍ୟା ନମିଳିଲେ, ସ୍ୱତନ୍ତ୍ର ପ୍ୟାକେଜ୍ ଦେବାକୁ ମୁଖ୍ୟମନ୍ତ୍ରୀ ଅଡ଼ି ବସି ପାରନ୍ତି ।ଏହାଛଡ଼ା ପୋଲାଭରମ୍, ଧାନ ଏମ୍ଏସ୍ପି, କେନ୍ଦ୍ରୀୟ ଅନୁଦାନ ବୃଦ୍ଧି, କୋଇଲା ରୟାଲଟି ବୃଦ୍ଧି ଆଦି ଦାବି ଉପସ୍ଥାପନ କରିବାର ସମ୍ଭାବନା ରହିଛି । ଏହାଛଡ଼ା ଆୟୁଷ୍ମାନ ଭାରତ ପ୍ରସଙ୍ଗରେ ମଧ୍ୟ ମୋଦି-ନବୀନ ଚୂଡ଼ାନ୍ତ ଆଲୋଚନା ହେବ ବୋଲି ସୂଚନା ମିଳିଛି । ବିଜେଡିକୁ ଲୋକସଭା ଉପବାଚସ୍ପତି ପଦ ମିଳିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ବେଳେ ଏ ପ୍ରସଙ୍ଗ ମଧ୍ୟ ଦୁହିଁଙ୍କ ଆଲୋଚନାରେ ସ୍ଥାନ ପାଇପାରେ ବୋଲି ଅନୁମାନ କରାଯାଉଛି । ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ନବୀନ ଅନ୍ୟ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ନେଇ ଚର୍ଚ୍ଚା ହେଉଛି । ମୋଦି-ନବୀନଙ୍କ ଭେଟଘାଟ ପରେ ଦିଲ୍ଲୀ ରାଜନୀତିରେ କିଛି ନୂଆ ସମୀକରଣ ଆସିପାରେ ବୋଲି ଆଲୋଚନା ହେଉଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତି ଆୟୋଗ ବୈଠକକୁ ବର୍ଜନ କରିଥିଲା ବେଳେ ନବୀନ କିନ୍ତୁ ୧୫ରେ ଅନୁଷ୍ଠିତ ହେବାକୁ ଥିବା ପରିଚାଳନା ପରିଷଦର ୫ମ ବୈଠକରେ ଯୋଗ ଦେବେ । ରାଜ୍ୟ ଜନସଂଖ୍ୟାର ସିଂହଭାଗ ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର ଅଟନ୍ତି । ରାଜ୍ୟ ଅଧିକାଂଶ ସମୟରେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ମଧ୍ୟ ହେଉଛି । ତେଣୁ ଓଡ଼ିଶାର ତ୍ୱରିତ ବିକାଶ ପାଇଁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରାଯାଉ । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଉତ୍ତର ପୂର୍ବାଞ୍ଚଳ ଓ ହିମାଳୟ ରାଜ୍ୟ ଭଳି ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରିବାକୁ ଏ ବୈଠକରେ ସେ ଦାବି କରିପାରନ୍ତି । ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପର୍ଯ୍ୟାପ୍ତ ପାଣ୍ଠି ବରାଦ ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବାର ସମ୍ଭାବନା ଅଛି । ଚାଷୀମାନଙ୍କୁ ଋଣ ପ୍ରଦାନ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟ (ସିଜିଟିଏ) ଗଠନ କରି ଚାଷୀମାନଙ୍କୁ ବିନା ଅଂଶ ଜମାରେ ୨ ଲକ୍ଷ ଯାଏ ଋଣ ପ୍ରଦାନ କରିବାକୁ ନବୀନ ପ୍ରସ୍ତାବ ରଖିପାରନ୍ତି । ସେହିଭଳି ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମଧ୍ୟ ଅନୁରୂପ ଭାବେ ବିନା ବନ୍ଧକରେ ୫୦ ଲକ୍ଷ ଟଙ୍କା ଯାଏ ନିଶ୍ଚିତ ଋଣ ପ୍ରଦାନ ପାଇଁ ସ୍ୱତନ୍ତ୍ର ଟ୍ରଷ୍ଟ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେବା ସହ କୃଷି କ୍ଷେତ୍ରରେ ସାମଗ୍ରିକ ବିକାଶ ଓ ପରିବର୍ତ୍ତନ ଆଣିବାକୁ ସ୍ୱାମିନାଥନ୍ କମିଟି ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପକ୍ଷରୁ ଅନୁରୋଧ କରିବାର ବହୁ ସମ୍ଭାବନା ରହିଛି । ଉଲ୍ଳେଖଯୋଗ୍ୟ, ନୀତି ଆୟୋଗର ୪ର୍ଥ ପରିଚାଳନା ପରିଷଦ ବୈଠକରେ ନବୀନ ଯୋଗ ଦେଇନଥିଲେ । ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକ ସାରି ୧୫ ସନ୍ଧ୍ୟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟସୂଚୀ ରହିଛି ।