PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଶନିବାର ମୁକୁଳିବେ ସିଦ୍ଧୁ, ରୋଡ୍‌ ରେଜ୍‌ ମାମଲାରେ ୧୦ ମାସ ହେବ ପଟିୟାଲା ଜେଲ୍‌ରେ ଅଛନ୍ତି

ନୂଆଦିଲ୍ଲୀ,୩୧।୩: କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁ ଶନିବାର ଅର୍ଥାତ ଆସନ୍ତାକାଲି ଜେଲରୁ ମୁକ୍ତ ହେଲେ। ଏନେଇ ସିଦ୍ଧୁଙ୍କ ଟ୍ବିଟର ହାଣ୍ଡେଲରୁ ସୂଚନା ଦିଆଯାଇଛି। ସିଦ୍ଧୁଙ୍କୁ ଗତ ବର୍ଷ ସୁପ୍ରିମକୋର୍ଟ ୩୪ ବର୍ଷ ତଳର ରୋଡ୍ ରେଜ୍ ମାମଲାରେ ବର୍ଷକ ପାଇଁ ସଜା ଶୁଣାଇଥିଲେ। ସେ ଗତ ୧୦ ମାସ ହେବ ଜେଲ୍‌ରେ ଅଛନ୍ତି। ୧୯୮୮ ଡିସେମ୍ବର ୨୭ ତାରିଖରେ ଗାଡ଼ି ପାର୍କିଂକୁ ନେଇ ସିଦ୍ଧୁଙ୍କ ସହ ଗୁରନାମ ସିଂ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯାହା ପରେ ସିନ୍ଧୁ ଓ ତାଙ୍କର ଜଣେ ବନ୍ଧୁ ରୁପିିନ୍ଦର ସିଂ ସାନ୍ଧୁ ମିଶି ଗୁରନାମଙ୍କୁ ଗାଡ଼ିରୁ ଟାଣିବା ସହ ତାଙ୍କୁ ପିଟିଥିଲେ। ଗୁରନାମଙ୍କ ଚିକିତ୍ସା ବେଳେ ମୃତ୍ୟୁ ହୋଇଯାଇଥିଲା। ତେବେ ରିପୋର୍ଟରେ ଜଣାପଡିଥିଲା ଯେ, ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହାର୍ଟ ଆଟାକରେ ହୋଇଥିଲା।

ଏହି ମାମଲାରେ ସିଦ୍ଧୁଙ୍କୁ ନିମ୍ନ ଅଦାଲତ ମୁକ୍ତ କରିଥିଲେ, କିନ୍ତୁ ହାଇକୋର୍ଟ ସିଦ୍ଧୁଙ୍କୁ ୩ ବର୍ଷ ସଜା ଶୁଣାଇଥିଲେ। ଏହାପରେ ସିଦ୍ଧୁଙ୍କ ପକ୍ଷରୁ ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ୧୫ ମଇ ୨୦୧୮ ରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିଲେ। ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ୧ ହଜାର ଟଙ୍କାର ଜରିମାନା ଲଗାଇଥିଲେ। କିନ୍ତୁ ପୀଡିତଙ୍କ ପରିବାର ଲୋକ ମଇ ୨୦୧୮ରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ପୁନଃବିଚାର ଆବେଦନ ଦାଖଲ କରିଥିଲେ। ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ୧୯ ମଇ ୨୦୨୨ ରେ ସିଦ୍ଧୁଙ୍କୁ ଏକ ବର୍ଷର ସଜା ଶୁଣାଇଥିଲେ।

ଭଲ ଆଚରଣ ଯୋଗୁଁ ସିଦ୍ଧୁଙ୍କର ୧ ବର୍ଷ ବଦଳରେ ୧୦ ମାସରେ ଜେଲ୍ ସଜା ପୂରଣ ହେଉଛି। କ୍ଲର୍କ ଭାବରେ ତାଙ୍କୁ ଜେଲ୍‌ରେ ଦାୟିତ୍ବ ଦିଆଯାଇଥିଲା। ସେ ଜେଲ୍‌ ନିମୟରେ ରହିବା ସହ କୌଣସି ଛୁଟି ମଧ୍ୟ ନେଇନଥିଲେ। ଜେଲ ପ୍ରଶାସନ ଗଣତନ୍ତ୍ର ଦିବସ ଅବସରରେ ଭଲ ଆଚରଣ ଯୋଗୁଁ ବହୁ କଏଦୀଙ୍କୁ ମୁକ୍ତ କରିବାର ସୁପାରିଶ ପଞ୍ଜାବ ସରକାରଙ୍କୁ ପଠାଇଥିଲା। ସେଥିରେ ସିଦ୍ଧୁଙ୍କ ନାଁ ମଧ୍ୟ ଥିଲା। ୨୬ ଜାନୁଆରୀରେ ଯଦିଓ ସେ ଜେଲରୁ ମୁକ୍ତ ହୋଇଥାନ୍ତେ, ତେବେ ଶେଷ ମୁହୂର୍ତ୍ତରେ ତାଙ୍କର ମୁକ୍ତିର ସମୟ ଘୁଞ୍ଚି ଯାଇଥିଲା।