ବ୍ରହ୍ମପୁର, ୨୨/୦୧: ଟ୍ରେନ୍‌ରୁ ନୌସେନା ଅଫିସର ନିଖୋଜ । କେରଳର କୋଚି ଆଇଏଏସ୍‌ ଗରୁଡ଼ା ଯୋଗ ଦେବା ପୂର୍ବରୁ ସୌରଭ କୁମାର ପାତ୍ର ନିଖୋଜ ଅଛନ୍ତି । ତାଙ୍କୁ କେହି ଅପହରଣ କରିଥିବା ସନ୍ଦେହ କରି ବ୍ରହ୍ମପୁର ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି ନିଖୋଜ ପୁଅଙ୍କ ମାଆ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ବ୍ରହ୍ମପୁର ଗେଟ୍‌ ବଜାରରେ ସୌରଭଙ୍କ ଘର । ୨୦୧୯ରୁ ସେ ନୌସେନାରେ ନିଯୁକ୍ତି ପାଇଥିଲେ । କେରଳରେ ଆଇଏନ୍‌ଏସ୍‌ ଗରୁଡାରେ ତାଙ୍କର ନିଯୁକ୍ତି ଥିଲା । ୨୦୨୪ ଡିସେମ୍ବର ୨୮ ତାରିଖରେ ସେ ଘରକୁ ଛୁଟିରେ ଆସିଥିଲେ । ଜାନୁଆରୀ ୧୯ ତାରିଖରେ ତାଙ୍କର କୋଚି ଫେରିବାର ଥିଲା । ବ୍ରହ୍ମପୁରରୁ ଟ୍ରେନ୍‌ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ବିମାନ ଯୋଗେ ଯାଇଥାନ୍ତେ । ୧୯ ତାରିଖ ଭୋର ୩ଟାରେ ବ୍ରହ୍ମପୁର ରେଳ ଷ୍ଟେସନ୍‌ରୁ ସୌରଭଙ୍କୁ ଟ୍ରେନ୍‌ରେ ବସାଇଥିଲେ ପରିବାର ଲୋକ । ଅପରାହ୍ନରେ ତାଙ୍କର କୋଚିକୁ ଫ୍ଲାଇଟ୍‌ ଥିଲା । ହେଲେ ବ୍ରହ୍ମପୁର ଛାଡିବା ପରେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଛି । ପରିବାର ଲୋକ ବାରମ୍ବାର ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫୋନ୍‌ ସ୍ୱିଚ୍‌ ଅଫ୍ ଥିଲା । ବିଶାଖାପାଟଣା ରେଲଓ୍ୱେ ଷ୍ଟେସନ୍‌ ଏବଂ ଏୟାରପୋର୍ଟରେ ସୌରଭଙ୍କ ବିଷୟରେ ସନ୍ଧାନ କରିଥିଲେ । କିନ୍ତୁ ସେଠାରେ ସେ ଚେକ୍‌ଇନ୍‌ କରିନଥିବା ଜଣାପଡିଛି । ଶେଷରେ ପରିବାର ପକ୍ଷରୁ ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି । ଏହା ସହିତ କୋଚି ଆଇଏନ୍‌ଏସ୍‌ ଗରୁଡ଼ାର ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକ । ସେଠାରୁ ବି ନିରାଶ ହୋଇଥିଲେ ପରିବାର ଲୋକ । ସୌରଭ ସେଠାରେ ଯୋଗ ଦେଇନଥିବା କହିଛନ୍ତି କହିଛନ୍ତି ଅଧିକାରୀ । ଏପଟେ ପୋଲିସ ମଧ୍ୟ ସୌରଭଙ୍କ ମୋବାଇଲ୍‌ ଲୋକେସନ ଯାଞ୍ଚ କରିଥିଲା । କିନ୍ତୁ ଇଚ୍ଛାପୁରମ୍‌ ତାଙ୍କର ଶେଷ ମୋବାଇଲ୍‌ ଲୋକେସନ୍‌ ଥିବା ଜଣାପଡିଛି । ତେବେ ସୌରଭଙ୍କୁ ଅପହରଣ କରାଯାଇଛି ନା, ସେ କେଉଁଆଡେ ଚାଲିଯାଇଛନ୍ତି ତାହା ଏବେ ତଦନ୍ତ କରୁଛି ପୋଲିସ। ଟାଉନ୍ ଥାନା ଆଇଆଇସି ସୌଭାଗ୍ୟ ସ୍ବାଇଁ କହିଛନ୍ତି ଯେ, ଅଭିଯୋଗ ପରେ ସୌରଭଙ୍କୁ ଖୋଜାଖୋଜି କରାଯାଉଛି । ବିଶାଖାପାଟଣା ଏୟାରପୋର୍ଟ ଅଧିକାରୀଙ୍କ ସହ ଯୋଗାଯୋଗ ସହ ବିଭିନ୍ନ ଥାନାକୁ ସୌରଭଙ୍କ ଫଟୋ ପଠାଯାଇଛି ବୋଲି ସେ କହିଛନ୍ତି ।