ନୂଆଦିଲ୍ଲୀ, ୨୩।୪: ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ‘ପେଣ୍ଟାଗନ’ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ସରକାରରେ ସାମରିକ ନେତୃତ୍ୱକୁ ନେଇ ଚାଲିଥିବା ଅସ୍ଥିରତା ମଧ୍ୟରେ ନୌସେନା ସଚିବ ଜନ୍ ଫେଲନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବୁଧବାର ପେଣ୍ଟାଗନ ପକ୍ଷରୁ ଏହି ଆକସ୍ମିକ ଘୋଷଣା କରାଯାଇଛି । ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ କୌଣସି ସାମରିକ ସେବା ମୁଖ୍ୟ ପଦ ଛାଡ଼ିବାର ଏହା ହେଉଛି ପ୍ରଥମ ଘଟଣା । ନୌସେନାର ଏହି ଶୀର୍ଷ ନାଗରିକ ଅଧିକାରୀଙ୍କ ହଠାତ୍ ପଦ ଛାଡ଼ିବା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇନାହିଁ । ଆମେରିକୀୟ ନୌସେନା ଇରାନର ବନ୍ଦରଗୁଡ଼ିକୁ ଚାରିପଟୁ ଘେରି ରଖିଛି ଏବଂ ସମଗ୍ର ବିଶ୍ୱରେ ତେହେରାନ ସହ ଜଡ଼ିତ ଜାହାଜଗୁଡ଼ିକୁ ଟାର୍ଗେଟ୍ କରୁଛି, ଠିକ୍ ଏହି ସମୟରେ ନୌସେନା ସଚିବ ଇସ୍ତଫା ଦେଇଛନ୍ତି । ହୋର୍ମୁଜ ପ୍ରଣାଳୀରେ ଚାଲିଥିବା ଘେରାବନ୍ଦୀ ଏବଂ ଜଟିଳ ଯୁଦ୍ଧବିରତି ସ୍ଥିତି ମଧ୍ୟରେ ଜନ୍ ଫେଲନଙ୍କ ବିଦାୟ ଟ୍ରମ୍ପଙ୍କ ପ୍ରତିରକ୍ଷା ରଣନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ହଙ୍ଗ କାଓ ସମ୍ଭାଳିଲେ ଦାୟିତ୍ୱ:
ଫେଲନଙ୍କ ପରେ ଟ୍ରମ୍ପଙ୍କ ଅତି ବିଶ୍ୱସ୍ତ ଅଧିକାରୀ ଅବର ସଚିବ ହଙ୍ଗ କାଓ ନୌସେନାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କାଓ ଜଣେ ଅଭିଜ୍ଞ ଅଧିକାରୀ, ଯାହାଙ୍କର ନୌସେନାରେ ୨୫ ବର୍ଷର ଯୁଦ୍ଧ ଅଭିଜ୍ଞତା ରହିଛି । ସେ ପୂର୍ବରୁ ଭର୍ଜିନିଆରୁ ଆମେରିକୀୟ ସିନେଟ୍ ଏବଂ ହାଉସ୍ ପାଇଁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ସଫଳ ହୋଇନଥିଲେ । ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଦାୟିତ୍ୱ ନେବା ପରେ ସେନାର ଶୀର୍ଷ ନେତୃତ୍ୱରେ ବ୍ୟାପକ ପରିବର୍ତ୍ତନ କରୁଛନ୍ତି । ଜନ୍ ଫେଲନଙ୍କ ଏହା ପୂର୍ବରୁ ହେଗସେଥ୍ ସେନାର ଶୀର୍ଷ ଅଧିକାରୀ ଜେନେରାଲ୍ ରାଣ୍ଡି ଜର୍ଜଙ୍କୁ ବରଖାସ୍ତ କରିଥିଲେ । ଫେବୃଆରୀ ୨୦୨୫ରୁ ଆରମ୍ଭ ହୋଇଥିବା ଏହି ବରଖାସ୍ତ ପ୍ରକ୍ରିୟାରେ ନୌସେନା ଅଧିକାରୀ ଆଡମିରାଲ ଲିସା ଫ୍ରାଞ୍ଚେଟି ଏବଂ ବାୟୁସେନା ନେତା ଜେନେରାଲ ଜିମ୍ ସ୍ଲାଇଫଙ୍କ ଭଳି ଅନେକ ବଡ଼ ଚେହେରାଙ୍କୁ ବିଦା କରାଯାଇଛି ।
ଫେଲନଙ୍କ ଶେଷ କାର୍ଯ୍ୟକ୍ରମ ଓ ପୃଷ୍ଠଭୂମି:
ଇସ୍ତଫା ଦେବାର ମାତ୍ର ଦିନକ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଦିନ ଫେଲନ୍ ୱାଶିଂଟନରେ ଆୟୋଜିତ ନୌସେନାର ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ସେ ନୌସେନାର ବଜେଟ୍ ପ୍ରସ୍ତାବ ଏବଂ ଅଧିକ ଜାହାଜ ନିର୍ମାଣ ଯୋଜନା ଉପରେ ଆଲୋଚନା କରିଥିଲେ । ଜନ୍ ଫେଲନ୍ ଜଣେ ପୂର୍ବତନ ସୈନିକ ନଥିଲେ, ବରଂ ଜଣେ ପ୍ରଭାବଶାଳୀ ବ୍ୟବସାୟୀ ଓ ଟ୍ରମ୍ପଙ୍କ ପ୍ରଚାର ଅଭିଯାନର ବଡ଼ ପାଣ୍ଠିଦାତା ଥିଲେ । ନୌସେନାରେ ଆଧୁନିକୀକରଣ ଏବଂ ବାହ୍ୟ ପରିବର୍ତ୍ତନ ଆଣିବା ପାଇଁ ଟ୍ରମ୍ପ ତାଙ୍କୁ ଏହି ପଦରେ ନିଯୁକ୍ତ କରିଥିଲେ ।
ଫେଲନ୍ ଏପରି ଏକ ସମୟରେ ବିଦାୟ ନେଉଛନ୍ତି ଯେତେବେଳେ ଆମେରିକୀୟ ନୌସେନା ଉପରେ କାମର ପ୍ରବଳ ଚାପ ରହିଛି । ତିନୋଟି ବିମାନବାହୀ ଯୁଦ୍ଧପୋତ ସେଠାରେ ନିୟୋଜିତ ଅଛନ୍ତି । ଯଦି ଯୁଦ୍ଧବିରତି ଶେଷ ହୁଏ, ତେବେ ଇରାନ ବିରୋଧରେ ପୂର୍ଣ୍ଣକାଳୀନ ଯୁଦ୍ଧ ପାଇଁ ନୌସେନା ପ୍ରସ୍ତୁତ ରହିଛି । ନୌସେନା ସେଠାରେ ନିଶାଦ୍ରବ୍ୟ ଚୋରା ଚାଲାଣ ରୋକିବା ପାଇଁ ଅପରେସନ୍ ଚଳାଉଛି । ଜାନୁଆରୀ ମାସରେ ନିକୋଲାସ ମାଦୁରୋଙ୍କୁ ଧରିବାରେ ମଧ୍ୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପେଣ୍ଟାଗନର ପ୍ରବକ୍ତା ଶନ ପାର୍ନେଲ କହିଛନ୍ତି ଯେ ଫେଲନଙ୍କ ଇସ୍ତଫା ତୁରନ୍ତ ଲାଗୁ ହେବ । ବର୍ତ୍ତମାନ ବିଶ୍ୱ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ନୌସେନାର ଏହି ନେତୃତ୍ୱ ପରିବର୍ତ୍ତନ କି ପ୍ରଭାବ ପକାଉଛି, ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି ।
ଆହୁରି ପଢ଼ନ୍ତୁ... Iran US Talks; କାହିଁକି ହୋଇପାରୁନି ବୁଝାମଣା ? ଇରାନ କହିଲା କାରଣ ? କହିଲା ଦୁନିଆ ତୁମ କପଟ ଦେଖୁଛି...