ଚଣ୍ଡିଗଡ,୧୫/୧୦: ହରିଆଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୈନି ଆସନ୍ତା ୧୭ ତାରିଖରେ ଶପଥ ଗ୍ରହଣ କରିବେ । ପଞ୍ଚକୁଲା ସେକ୍ଟର-୫ରେ ଥିବା ଦଶହରା ଗ୍ରାଉଣ୍ଡରେ ପୂର୍ବାହ୍ନ ୧୦ଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ବଡଧରଣର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ପଦାଧିକାରୀ ସମାରୋହରେ ସାମିଲ ହେବେ । ସେହିଭଳି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହା ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ ବସିବ । ବୈଠକରେ ସୈନିଙ୍କୁ ଦଳର ନେତା ଭାବେ ନିର୍ବାଚିତ କରାଯିବ । ବିଧାୟକ ଦଳ ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ରାଜ୍ୟରେ ଲଗାତାର ଭାବେ ତୃତୀୟଥର ପାଇଁ ବିଜେପି କ୍ଷମତାସୀନ ହୋଇ ଇତିହାସ ରଚିଛି ।