ପ୍ରମୂଖ ଖବର
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏନସିବିକୁ ମିଳିଲା ବଡ ସଫଳତା; ୧୫ କୋଟି ଟଙ୍କାର ଡ୍ରଗ୍ସ ସହ ଗିରଫ ହେଲେ ଦୁଇ ବିଜ୍ଞାନ ଶିକ୍ଷକ

Published By : Bijay Swain | July 14, 2025 9:36 PM

ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଦୁଇ ବିଜ୍ଞାନ ଶିକ୍ଷକଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ଵାରା ଗିରଫ କରାଯାଇଛି। ଏମାନେ ଆମେରିକୀୟ ଟେଲିଭିଜନ ସିରିଜ ‘ବ୍ରେକିଙ୍ଗ ବ୍ୟାଡ୍’ରୁ ପ୍ରେରିତ ହୋଇ ଏକ ଭଡା ଫ୍ଲାଟରେ ଗୁପ୍ତ ଲାବୋରେଟୋରୀ ଚଳାଇ ମେଫେଡ୍ରୋନ (ଏମଡି) ନାମକ ସିନ୍ଥେଟିକ ଡ୍ରଗ ତିଆରି କରୁଥିଲେ। ଏହି ଡ୍ରଗର ଆନୁମାନିକ ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ବୋଲି ଅନୁମାନ କରାଯାଇଛି।

ଏନସିବି ଜୋଧପୁର ଜୋନାଲ ୟୁନିଟ ମଙ୍ଗଳବାର ଶ୍ରୀଗଙ୍ଗାନଗରର ଋଦ୍ଧି ସିନ୍ଧୀ ଏନକ୍ଲେଭରେ ଥିବା ଡ୍ରିମ ହୋମ୍ସ ଆପାର୍ଟମେଣ୍ଟରେ ଚଢଉ କରି ଏହି ଗୁପ୍ତ ଲାବୋରେଟୋରୀକୁ ଜବତ କରିଥିଲା। ଚଢାଉ ସମୟରେ ୭୮୦ ଗ୍ରାମ ମେଫେଡ୍ରୋନ ଜବତ କରାଯାଇଛି।  ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨.୩୪ କୋଟି ଟଙ୍କା ସହିତ ଏସିଟୋନ, ବେଞ୍ଜେନ, ମିଥାଇଲାମାଇନ, ବ୍ରୋମାଇନ ଏବଂ ଇସୋପ୍ରୋପାଇଲ ଆଲକୋହଲ ଭଳି ରାସାୟନିକ ପଦାର୍ଥ ଏବଂ ଲାବୋରେଟୋରୀ ଉପକରଣ ଆଦି ଜବତ କରାଯାଇଥିଲା। 

ଅଭିଯୁକ୍ତଦ୍ୱୟ ହେଉଛନ୍ତି ଶ୍ରୀଗଙ୍ଗାନଗରର ଏକ ଘରୋଇ ସ୍କୁଲରେ ପଢ଼ାଉଥିବା ଜଣେ ୩୫ ବର୍ଷୀୟ ରସାୟନ ବିଜ୍ଞାନ ଶିକ୍ଷକ ଏବଂ ଅନ୍ୟ ଜଣକ ହେଉଛନ୍ତି ସରକାରୀ ସ୍କୁଲରେ କାର୍ଯ୍ୟ କରୁଥିବା ଜଣେ ୨୫ ବର୍ଷୀୟ ବିଜ୍ଞାନ ଶିକ୍ଷକ । ସୂଚନା ଅନୁଯାୟୀ, ଏହି ଦୁଇ ଶିକ୍ଷକ ଗତ ଦୁଇ ମାସରେ ୫ କିଲୋଗ୍ରାମ ମେଫେଡ୍ରୋନ ତିଆରି କରିଥିଲେ, ଯାହା ମଧ୍ୟରୁ ୪.୨୨ କିଲୋଗ୍ରାମ ବିକ୍ରି ହୋଇସାରିଛି। ଏହି ବିକ୍ରି ହୋଇଥିବା ଡ୍ରଗର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି।

ଏନସିବି ଅଧିକାରୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତମାନେ ୧୫ ବର୍ଷରୁ ବନ୍ଧୁ ଥିଲେ। ତେବେ ଉଭୟ ଋଣ ଭାରରେ ବୁଡିଯାଇଥିବାରୁ ଏହି ଅପରାଧର ରାସ୍ତାକୁ ବାଛିଥିଲେ। ସେମାନେ ଦିଲ୍ଲୀରୁ ରାସାୟନିକ ପଦାର୍ଥ ଓ ଉପକରଣ ଆଣି ଶନିବାର ଓ ରବିବାର ଦିନ ଫ୍ଲାଟରେ ରହି ଡ୍ରଗ ତିଆରି କରୁଥିଲେ। ଏହି ଡ୍ରଗ ମୁଖ୍ୟତଃ ଯୁବକମାନଙ୍କୁ ଏକ ମିଡଲମ୍ୟାନ ମାଧ୍ୟମରେ ବିକ୍ରି କରାଯାଉଥିଲା। ଯାହାଙ୍କୁ ଚିହ୍ନଟ କରିବା ପାଇଁ ଏନସିବି ତଦନ୍ତ ଜାରି ରଖିଛି।

ମେଫେଡ୍ରୋନ, ଯାହା ମିଥାଇଲମେଥକ୍ୟାଥିନୋନ ନାମରେ ମଧ୍ୟ ଜଣାଶୁଣା, ଏକ ସିନ୍ଥେଟିକ ଷ୍ଟିମୁଲାଣ୍ଟ ଡ୍ରଗ ଯାହା କ୍ଷଣସ୍ଥାୟୀ ଆନନ୍ଦ ଦେଇଥାଏ କିନ୍ତୁ ଏହା ଅତ୍ୟଧିକ ମାନସିକ ଓ ଶାରୀରିକ କ୍ଷତି ପହଞ୍ଚାଇଥାଏ। ଏହି ଘଟଣା ରାଜସ୍ଥାନରେ ଡ୍ରଗ କାରବାର ବିରୁଦ୍ଧରେ ଏନସିବିର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।

ତେବେ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଏନସିବି ନିଜ ଅଭିଯାନ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.