ଭୁବନେଶ୍ୱର, ୧୦/୭: ପାଣିରେ ବୁଡ଼ି ମୃତ୍ୟୁକୁ ଏକ ପ୍ରତିରୋଧଯୋଗ୍ୟ ଜନସ୍ୱାସ୍ଥ୍ୟ ଓ ବିକାଶ ସମସ୍ୟା ଭାବେ ଗ୍ରହଣ କରି ଓଡ଼ିଶାରେ ଆଜି ପ୍ରଥମ କରି ରାଜ୍ୟସ୍ତରୀୟ ବୁଡ଼ି ମୃତ୍ୟୁ ନିବାରଣ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାରୀ ବିଭାଗ, ବୈଷୟିକ ଅନୁଷ୍ଠାନ, ଶିକ୍ଷାବିତ୍, ବିକାଶ ସହଯୋଗୀ ସଂସ୍ଥା ଓ ବିଭିନ୍ନ ସମୁଦାୟର ପ୍ରତିନିଧି ସାମିଲ ହୋଇ ବୁଡ଼ି ମୃତ୍ୟୁ ରୋକିବା ପାଇଁ ସମନ୍ୱିତ କାର୍ଯ୍ୟକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ।

ଚାଇଲ୍ଡ ଇନ୍ ନିଡ୍ ଇନଷ୍ଟିଚ୍ୟୁଟ୍ (ସିନି) ପକ୍ଷରୁ ବିଶ୍ୱ ବୁଡ଼ି ମୃତ୍ୟୁ ନିବାରଣ ଦିବସ–୨୦୨୬ର ଥିମ୍ ‘ଆସନ୍ତୁ ଏକାଠି ହୋଇ ପରିବର୍ତ୍ତନ ଆଣିବା’ ଅନୁଯାୟୀ, ଏହି ପରାମର୍ଶ ବୈଠକର ଆୟୋଜନ କରାଯାଇଥିଲା। ଏହି ଅବସରରେ ୧୦ ଜୁଲାଇରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଜ୍ୟବ୍ୟାପୀ ସଚେତନତା ଅଭିଯାନର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ବୁଡ଼ି ମୃତ୍ୟୁ ନିବାରଣ ପାଇଁ ଜାତୀୟ ରଣନୀତିକ ଢାଞ୍ଚାକୁ କାର୍ଯ୍ୟକାରୀ କରିବା ସହ ରାଜ୍ୟ ଓ ସମୁଦାୟ ସ୍ତରରେ ସମନ୍ୱିତ ପଦକ୍ଷେପକୁ ଆଗେଇ ନେବା ଏହି ପରାମର୍ଶ ବୈଠକର ମୂଳ ଉଦ୍ଦେଶ୍ୟ ଥିଲା।

ସରକାରୀ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷରେ ଓଡ଼ିଶାରେ ପ୍ରାୟ ୯,୦୦୦ ଜଣଙ୍କର ପାଣିରେ ବୁଡ଼ି ଘଟିଛି। ଏଥିପାଇଁ ଏକ ସମନ୍ୱିତ ଓ ତ୍ୱରିତ ପଦକ୍ଷେପର ଆବଶ୍ୟକତା ରହିଛି। ନିକଟରେ ଓଡ଼ିଶା ସରକାର ବୁଡ଼ି ମୃତ୍ୟୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଏକ ସମନ୍ୱିତ ପଦକ୍ଷେପ ଘୋଷଣା କରିଛନ୍ତି। ଏଥିରେ ବୁଡ଼ି ମୃତ୍ୟୁପ୍ରବଣ ସ୍ଥାନ ଚିହ୍ନଟ, ସୁଦୃଢ଼ ଜଳାଶୟ ସୁରକ୍ଷା ବ୍ୟବସ୍ଥା, ଗୋଷ୍ଠୀଗତ ଲାଇଫଗାର୍ଡଙ୍କୁ ପ୍ରଶିକ୍ଷଣ, ପହଁରିବା ଓ ପାଣିରେ ବଞ୍ଚିବାର କୌଶଳ ବିସ୍ତାର ଓ ଜନସଚେତନତା ବୃଦ୍ଧି ଭଳି ପଦକ୍ଷେପ ସାମିଲ ରହିଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସହକାରୀ ମହାନିର୍ଦ୍ଦେଶକ, ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଡକ୍ଟର ମାନସ ପ୍ରତିମ ରାୟ କହିଥିଲେ ଯେ, ବୈଜ୍ଞାନିକ ପ୍ରମାଣ ଆଧାରିତ ପଦକ୍ଷେପ, ଦୃଢ଼ ସହଯୋଗ ଓ ସମୁଦାୟର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଜାତୀୟ ରଣନୀତିକ ଢାଞ୍ଚାକୁ ସଫଳ ଭାବେ କାର୍ଯ୍ୟକାରୀ କରାଯାଇପାରିବ।

ସିନିର ମୁଖ୍ୟ କାର୍ଯ୍ୟକ୍ରମ ଅଧିକାରୀ ମେଘେନ୍ଦ୍ର ବାନାର୍ଜୀ କହିଥିଲେ ଯେ, ବୁଡ଼ି ମୃତ୍ୟୁ ରୋକିବା ପାଇଁ ସରକାର ଓ ସମାଜର ସମସ୍ତଙ୍କର ମିଳିତ ପ୍ରୟାସ ଆବଶ୍ୟକ। ତେଣୁ ପରାମର୍ଶ ବୈଠକ ସରକାରୀ ବିଭାଗ, ବୈଷୟିକ ଅନୁଷ୍ଠାନ, ଶିକ୍ଷାବିତ୍, ସ୍ୱେଚ୍ଛାସେବୀ ସଂଗଠନ ଓ ସମୁଦାୟକୁ ଏକ ମଞ୍ଚରେ ଆଣି ସମନ୍ୱିତ କାର୍ଯ୍ୟ ପାଇଁ ସୁଯୋଗ ସୃଷ୍ଟି କରିଛି। ସିନିର ରାଜ୍ୟ ମୁଖ୍ୟ ସସ୍ୱତୀ ନାୟକ ମହାପାତ୍ର କହିଥିଲେ, ଏହି ପରାମର୍ଶ ବୈଠକ ଭାଗୀଦାରିର ଶକ୍ତିକୁ ପ୍ରତିଫଳିତ କରୁଛି। ସେ ବିଭିନ୍ନ କ୍ଷେତ୍ରର ସହଯୋଗ ଲୋଡ଼ିଥିଲେ। ସେହିପରି ସିନିର ଲିଡ୍ –ଇଞ୍ଜୁରି ପ୍ରିଭେନ୍ସନ୍ ଆଣ୍ଡ ନ୍ୟାସନାଲ୍ ଆଡଭୋକେସି ସୁଜୟ ରାୟ କହିଥିଲେ, ଗତ ଆଠ ବର୍ଷର ଅଭିଜ୍ଞତା ଶିଖାଇଛି ଯେ, କୌଣସି ଗୋଟିଏ ସଂସ୍ଥା ଏକାକୀ ବୁଡ଼ି ମୃତ୍ୟୁକୁ ରୋକିପାରିବ ନାହିଁ। ସରକାର, ସମୁଦାୟ, ବୈଷୟିକ ସଂସ୍ଥା ଓ ବିକାଶ ସହଯୋଗୀମାନେ ଏକାଠି କାମ କଲେ ହିଁ ସଫଳତା ମିଳିବ।

ବୈଠକରେ ଉପସ୍ଥିତ ସମସ୍ତେ ବିଶ୍ୱ ବୁଡ଼ି ମୃତ୍ୟୁ ନିବାରଣ ଶପଥ ପାଠ କରି ବହୁ-ବିଭାଗୀୟ ସହଯୋଗ, ପ୍ରମାଣ ଆଧାରିତ ପଦକ୍ଷେପ ଓ ସମନ୍ୱିତ କାର୍ଯ୍ୟାନ୍ୱୟନ ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇଥିଲେ। ଶେଷରେ ଓଡ଼ିଶା ବୁଡ଼ି ମୃତ୍ୟୁ ନିବାରଣ ‘କଲ୍ ଟୁ ଆକ୍ସନ୍’ ଗ୍ରହଣ କରାଯାଇଥିଲା।

ବୈଠକରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଓଡ଼ିଶା ସରକାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଇଂଲଣ୍ଡର ରୟାଲ ନ୍ୟାସନାଲ ଲାଇଫବୋଟ ଇନଷ୍ଟିଚ୍ୟୁସନ, ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ, ଭାରତୀୟ ପାଣିପାଗ ବିଭାଗ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜାତୀୟ ସ୍ୱାସ୍ଥ୍ୟ ମିସନ, ବିଭିନ୍ନ ବିଶ୍ୱବିଦ୍ୟାଳୟ, ସ୍ୱେଚ୍ଛାସେବୀ ସଂଗଠନ ଓ ସମୁଦାୟ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସିନିର ରାଜ୍ୟ ମୁଖ୍ୟ  ସସ୍ବତୀ ନାୟକ ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।