ନୂଆଦିଲ୍ଲୀ, ୧୫।୫: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୀଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନୀଟ୍ ପରୀକ୍ଷା ବାତିଲ ହେବା ପରେ ଏବେ ଏହାର ରି ଏକଜାମ୍ ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁନ୍ ୨୧ ତାରିଖରେ ପୁଣିଥରେ ନୀଟ୍ ପରୀକ୍ଷା ଅନୁଷ୍ଠିତ ହେବ । ଏଥିସହିତ ପରୀକ୍ଷାର୍ଥୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେତେକ ବଡ଼ ସଂସ୍କାରମୂଳକ ଘୋଷଣା କରିଛନ୍ତି । ପେପର ଲିକ୍ ଏବଂ ଅନିୟମିତତାକୁ ରୋକିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଆସନ୍ତା ବର୍ଷଠାରୁ ନୀଟ୍ ୟୁଜି ପରୀକ୍ଷା ସମ୍ପୂର୍ଣ୍ଣ ରୂପେ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହେବ । ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ପରୀକ୍ଷା ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ପରୀକ୍ଷା ବାତିଲ କରିବା ଭଳି କଠୋର ନିଷ୍ପତ୍ତି ନେବାକୁ ପଡ଼ିଥିଲା । ଛାତ୍ରଛାତ୍ରୀଙ୍କ ପ୍ରତି ସରକାରଙ୍କ ସମ୍ପୂର୍ଣ୍ଣ ସମବେଦନା ରହିଛି ଏବଂ ପେପର ଲିକ୍ କରୁଥିବା ମାଫିଆମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

ଚଳିତ ବର୍ଷ ମିଳିବ ଅତିରିକ୍ତ ସମୟ, ଲାଗିବନି ଅଧିକ ଫିସ୍:

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରେସ୍ କନଫରେନ୍ସ ଜରିଆରେ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ପୁନଃ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ସମାଧାନ କରିବା ପାଇଁ ୧୫ ମିନିଟ୍ ଅତିରିକ୍ତ ସମୟ ଦିଆଯିବ । ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି, ଏହି ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ନୂତନ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ କିମ୍ବା କୌଣସି ଅତିରିକ୍ତ ଫିସ୍ ଦେବାକୁ ପଡ଼ିବ ନାହିଁ ।

​​​​​​​

ନାସିକରୁ ଲିଙ୍କ୍, ତଦନ୍ତ କରୁଛି CBI:

ସୂଚନାଯୋଗ୍ୟ ଯେ, ଗତ ମେ' ୩ ତାରିଖରେ ସାରା ଦେଶରେ ନୀଟ୍ ପରୀକ୍ଷା ଆୟୋଜିତ ହୋଇଥିଲା । ମାତ୍ର ବ୍ୟାପକ ସ୍ତରରେ ପେପର ଲିକ୍ ଏବଂ ଗଡ଼ବଡ଼ି ଅଭିଯୋଗ ଆସିବା ପରେ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି । ତଦନ୍ତକାରୀ ସଂସ୍ଥାର ଦାବି ଅନୁଯାୟୀ, ପୁଲିସ ଏବଂ ସିବିଆଇ ମିଳିତ ଭାବେ ଏହି ସ୍କାମର ମୁଖ୍ୟ ମାଷ୍ଟରମାଇଣ୍ଡକୁ ଖୋଜୁଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନୀଟ୍ ପେପର ଲିକ୍ର ସୂତ୍ରପାତ ମହାରାଷ୍ଟ୍ରର ନାସିକରୁ ହୋଇଥିଲା । ନାସିକରୁ ଲିକ୍ ହେବା ପରେ ରାଜସ୍ଥାନ, ଉତ୍ତରାଖଣ୍ଡ, କେରଳ ସମେତ ଦେଶର ବିଭିନ୍ନ ସ୍ଥାନକୁ ନକଲିବା ଲିକ୍ ପ୍ରଶ୍ନପତ୍ର ପଠାଯାଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କେଉଁ ପରିସ୍ଥିତିରେ ଏବଂ କାହା ସହଯୋଗରେ ଏହି ପେପର ଲିକ୍ ହେଲା, ସେ ନେଇ ସିବିଆଇ ପ୍ରତିଟି ଦିଗକୁ ଗମ୍ଭୀରତାର ସହ ଯାଞ୍ଚ କରୁଛି । ନିଟ୍ ପାଇଁ ପୁନଃ ପରୀକ୍ଷା ତାରିଖ ୨୧ ଜୁନ୍ ଧାର୍ଯ୍ୟ କରାଯାଇଛି । ନୂଆ ନିୟମ ଅନୁଯାୟୀ, ୧୫ ମିନିଟ୍ ଅଧିକ ସମୟ ମିଳିବ ଏବଂ କୌଣସି ଅତିରିକ୍ତ ଫିସ୍ ଲାଗିବ ନାହିଁ । ଆସନ୍ତା ବର୍ଷଠାରୁ କେବଳ ଅନଲାଇନ୍ ପରୀକ୍ଷା ହେବ ।

ଆହୁରି ପଢ଼ନ୍ତୁ... NEET 2026 re-exam: ନିଟ୍ ୟୁଜି ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କଲା ଏନ୍ଟିଏ, ପେପର୍ ଲିକ୍ ପାଇଁ ରଦ୍ଦ ହୋଇଥିଲା ଏଗଜାମ୍