ଭୁବନେଶ୍ୱର,୨୩/୦୧: କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନଦୀକୂଳ ନୂଆ ରୂପ ପାଇବ । ଏହାକୁ ସାଂସ୍କୃତିକ ଓ ମନୋରଞ୍ଜନ ସ୍ଥଳରେ ପରିଣତ କରାଯିବ । ଏହା ଦ୍ବାରା ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ସାମଗ୍ରିକ ସହରୀ ପରିବେଶରେ ଉନ୍ନତି ଆସିବ । ଏହି ପ୍ରକଳ୍ପ କାମକୁ ତ୍ୱରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚରେ ମହାନଦୀ କୂଳର ୪୨୬ ଏକର ପରିମିତ ଅଞ୍ଚଳକୁ ନେଇ ରିଭର ଫ୍ରଣ୍ଟ ପ୍ରକଳ୍ପ ବିକାଶିତ ହେବ । ଏହାକୁ ୩ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରହିଛି । ପ୍ରକଳ୍ପ ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ରାଜ୍ୟ ବଜେଟରେ ମଧ୍ୟ ବ୍ୟୟବରାଦ ହୋଇଛି ।
ତେବେ ଏହି ନିର୍ଦ୍ଧାରିତ ପ୍ରକଳ୍ପକୁ ଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସାମ୍ବିଧାନିକ ମଞ୍ଜୁରୀ, ଟେଣ୍ଡର ପ୍ରକ୍ରିୟା ଓ ପ୍ରାଥମିକ କାମକୁ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ମାଷ୍ଟରପ୍ଲାନ୍ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ବାଲିଯାତ୍ରା ପଡ଼ିଆରୁ ସାମୁଦ୍ରିକ ସଂଗ୍ରହାଳୟ ଯାଏ ୩.୨ କିମି ଲମ୍ବା ରିଭରଫ୍ରଣ୍ଟ ପ୍ରୋମେନେଡ୍ ବିକାଶ ସହ ବାଲିଯାତ୍ରା ଅଞ୍ଚଳରେ ପାଦଚଲା ରାସ୍ତା, ଅତ୍ୟାବଶ୍ୟକ ଓ ଉପଯୋଗୀ ଭିତ୍ତିଭୂମି କରିବାକୁ ଯୋଜନା ଅଛି । ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ପରିବେଶ ସ୍ଥିରତା ଉପରେ ଗୁରୁତ୍ୱ ଦିଆଯିବ । ମାଷ୍ଟରପ୍ଲାନରେ ଥିବା ବାକି ଅଞ୍ଚଳରେ ପାଦଚଲା ରାସ୍ତା, ଭୂତଳ ସେବା ଓ ବ୍ୟାପକ ବୃକ୍ଷରୋପଣ କରାଯିବ । ତୃତୀୟ ପର୍ଯ୍ୟାୟରେ ବିଭିନ୍ନ ମନୋରଞ୍ଜନ, ସାଂସ୍କୃତିକ ଓ ପର୍ଯ୍ୟଟନ ଭିତ୍ତିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ ।
‘କଟକ ହାଟ' ଓ 'ହେରିଟେଜ୍ ଭିଲେଜ୍', ଫୁଡ୍ ଟ୍ରାକ୍ ଏବଂ ପ୍ରବେଶ ପଥ ଜୋନ୍, ଖେଳପଡ଼ିଆ, ସେନସୋରି ପାର୍କ, ଫିଟନେସ୍ ଜୋନ୍, ନେଚର ଇଣ୍ଟରପ୍ରିଟେସନ୍ ସେଣ୍ଟର, ପ୍ରବେଶ ପ୍ଲାଜା, ଥିମାଟିକ୍ ଗାର୍ଡେନ୍, ଏକ ମୁକ୍ତାକାଶ ସାମୁଦ୍ରିକ ସଂଗ୍ରହାଳୟ ଓ ଆଡଭେଞ୍ଚର ଜୋନ୍ ରହିବ ।
ଆହୁରି ଅଧିକ ପଢ଼ନ୍ତୁ-‘ମହାନଦୀ ପ୍ରସଂଗରେ ଛତିଶଗଡ଼କୁ ଅସ୍ତ୍ର ଦେଇଛି ବିଜେଡି; ୬୦ଟି ଶୁଣାଣିରେ ରଖିଲେନି ଯୁକ୍ତି, ହାରିବାକୁ ଛାଡ଼ିଦେଲେ’