ମୋଦିଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଓଡ଼ିଶାକୁ ମିଳିପାରେ ୩ ମନ୍ତ୍ରୀ ପଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ପ୍ରସଙ୍ଗରେ ସେ ଆଜି ବିଦାୟୀ ମନ୍ତ୍ରିମଣ୍ଡଳର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ତାଙ୍କ ସରକାରୀ ବାସଭବନରେ ଆଲୋଚନା କରିଛନ୍ତି । ଆଜି ଦିନ ତମାମ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହିତ ବିଚାରବିମର୍ଶ କରିଛନ୍ତି । ଏନ୍ଡିଏର ସହଯୋଗୀ ଦଳର ନେତାମାନଙ୍କ ସହ ଯୋଗାଯୋଗ କରିଛନ୍ତି । ତେବେ ତାଙ୍କ ପାଇଁ ସବୁଠାରୁ ବଡ ପ୍ରଶ୍ନ ହୋଇଛି ଯେ ଯଦି ଶାହଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ତେବେ ତାଙ୍କ ସ୍ଥାନରେ ଦଳର ଅଧ୍ୟକ୍ଷ ପଦରେ କାହାକୁ ନିଯୁକ୍ତ କରାଯିବ ।
ଶାହଙ୍କ ଦକ୍ଷ ନେତୃତ୍ୱ ଓ କଠିନ ପରିଶ୍ରମ ଯୋଗୁ ଲୋକସଭା ନିର୍ବାଚନରେ ବିଜେପି ଅସାଧାରଣ ବିଜୟ ହାସଲ କରିଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍) ସହ ଶାହଙ୍କ ନିବିଡ ସମ୍ପର୍କ ରହିଛି । ତେଣୁ ତାଙ୍କ ଭଳି ନେତାଙ୍କ ସ୍ଥାନରେ ଦଳର ଅଧ୍ୟକ୍ଷ ପଦ ଲାଗି ଅନେକ ନେତାଙ୍କ ନାମ ଚର୍ଚ୍ଚାକୁ ଆସିଛି । କିନ୍ତୁ ଏ ସମ୍ପର୍କରେ ଔପଚାରିକ ଭାବେ ଦଳ ପକ୍ଷରୁ କିଛି କୁହାଯାଇନାହିଁ । ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ କ୍ୟାବିନେଟ ପାହ୍ୟା ବଜାୟ ରଖିବା ସମ୍ଭାବନା ରହିଛି । ବିଦାୟୀ ମନ୍ତ୍ରିମଣ୍ଡଳରେ ଶ୍ରୀ ପ୍ରଧାନ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସମ୍ଭାଳିଥିଲା ବେଳେ ଶ୍ରୀ ଓରାମ ଆଦିବାସୀ ବ୍ୟାପାର ବିଭାଗ ଦାୟିତ୍ୱରେ ରହିଥିଲେ । ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଶ୍ରୀ ପ୍ରଧାନ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିବାରୁ ତାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ ବୋଲି ଆଭାସ ମିଳୁଛି । ଉଜ୍ୱଳା ଯୋଜନା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ପ୍ରଶଂସାର ପାତ୍ର ହୋଇଥିଲେ । ଶ୍ରୀ ଓରାମ ଆଦିବାସୀ ମୁହଁ ଭାବେ ପୁଣି କ୍ୟାବିନେଟକୁ ଫେରିବାର ସମ୍ଭାବନା ମଧ୍ୟ ରହିଛି । ଶ୍ରୀ ଓରାମଙ୍କ ବ୍ୟତୀତ ଓଡ଼ିଶାରୁ ଲୋକସଭାକୁ ନିର୍ବାଚିତ ଅନ୍ୟ ୭ ଜଣ ବିଜେପି ସାଂସଦ ଶପଥଗ୍ରହଣ ସମାରୋହରେ ଉପସ୍ଥିତ ରହିବେ । ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଅପରାଜିତା ଷଡଙ୍ଗୀ କିମ୍ବା ସୁରେଶ ପୂଜାରୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି
ତେବେ ଆସନ୍ତାକାଲି ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ । ବୁଧବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଭବନକୁ ପଠାଯିବା ପୂର୍ବରୁ ମନ୍ତ୍ରିମଣ୍ଡଳର ତାଲିକା ଚୂଡାନ୍ତ କରାଯିବ । ଗୁରୁବାର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ବିଦେଶୀ ଅତିଥିଙ୍କ ଉପସ୍ଥିତିରେ ମୋଦିଙ୍କ ନେତୃତ୍ୱରେ ନୂଆ ସରକାର ଶପଥ ଗ୍ରହଣ କରିବ । କିନ୍ତୁ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପର୍କରେ କୌଣସି ନେତା ମୁହଁ ଖୋଲୁନାହାନ୍ତି । ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ ନ ପାଇବ ସେ ନିଷ୍ପତ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନେବେ । ସେଥିପାଇଁ ସେ ଶାହ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ବିଚାର ଆଲୋଚନା କରୁଛନ୍ତି ।
ସେହିଭଳି ସ୍ୱାସ୍ଥ୍ୟଗତ କାରଣରୁ ଅରୁଣ ଜେଟ୍ଲୀ ଓ ସୁଷମା ସ୍ୱରାଜଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେମାନଙ୍କ ସହ ଆଲୋଚନା କରାଯାଉଛି । ବିଦାୟୀ ମନ୍ତ୍ରିମଣ୍ଡଳରେ ଉଭୟ ଜେଟ୍ଲୀ ଓ ଶ୍ରୀମତୀ ସ୍ୱରାଜ ରହିଥିଲେ । ମୋଦି ସେମାନଙ୍କ ଉପରେ ଅତ୍ୟନ୍ତ ନିର୍ଭର କରୁଥିଲେ । ଯଦି ଜେଟ୍ଲୀ ବାଦ୍ ପଡନ୍ତି ତେବେ ପିୟୁଷ ଗୋୟଲ କିମ୍ବା ଶାହଙ୍କୁ ଅର୍ଥମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି । ତେବେ ଏ କ୍ଷେତ୍ରରେ ଗୋୟଲଙ୍କ ସମ୍ଭାବନା ଅଧିକ ରହିଛି । କାରଣ ଜେଟ୍ଲୀଙ୍କ ଅନୁପସ୍ଥିତିରେ ଗତଥର ସେ ଲୋକସଭାରେ ବଜେଟ ଉପସ୍ଥାପନ କରିଥିଲେ । ରାଜନାଥ ସିଂହ ପୂର୍ବ ଭଳି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱରେ ରହିପାରନ୍ତି । କାରଣ ତାଙ୍କୁ ଏପଟ ସେପଟ କରିବାକୁ ମୋଦି ଚାହୁଁନାହାନ୍ତି । ସେହିଭଳି ନୀତିନ ଗଡକରୀ, ନିର୍ମଳା ସୀତାରମଣ ଓ ସୁରେଶ ପ୍ରଭୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ଏହା ସହିତ ଏନ୍ଡିଏର ସହଯୋଗୀ ଦଳ ଭାବେ ଜେଡିୟୁ, ଶିବସେନା, ଅକାଳି ଦଳ, ଏଲ୍ଜେପି ଏବଂ ଏଆଇଏଡିଏମ୍କେ ସମେତ ଅନ୍ୟ କିଛି ଦଳର ସଦସ୍ୟଙ୍କୁ ମଧ୍ୟ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ।