ନୂଆଦିଲ୍ଲୀ, ୧୩।୪: ଶ୍ରମିକ ଓ ଚାକିରିଆମାନଙ୍କ ପାଇଁ ବଦଳିବାକୁ ଯାଉଛି ଦୁନିଆ । ଅଫିସ କର୍ମଚାରୀମାନେ ଅଫିସରେ କେତେ ସମୟ କାମ କରିବେ, ମାସ ଶେଷରେ ପକେଟକୁ କେତେ ଦରମା ଆସିବ ଏବଂ ପିଏଫ୍ ଖାତାରେ କେତେ ଟଙ୍କା ଜମା ହେବ । ଏସବୁକୁ ନେଇ କେନ୍ଦ୍ର ସରକାର ଆଣିଛନ୍ତି ଏକ ବଡ଼ ପରିବର୍ତ୍ତନ । ଦେଶର ପୁରୁଣା ୨୯ଟି ଶ୍ରମ ଆଇନକୁ ହଟାଇ ଏବେ ଲାଗୁ ହେବାକୁ ଯାଉଛି '୪ଟି ନୂଆ ଲେବର କୋଡ୍' । ତେବେ ଏହି ନୂଆ ନିୟମ ଆପଣଙ୍କ ଜୀବନଶୈଳୀକୁ କିଭଳି ପ୍ରଭାବିତ କରିବ ? ଆସନ୍ତୁ ଜାଣିବା ।

୧. ସପ୍ତାହକୁ ମାତ୍ର ୪ ଦିନ କାମ, ୩ ଦିନ ଛୁଟି:

ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି କାମ କରିବାର ସମୟ । ନୂଆ ନିୟମ ଅନୁଯାୟୀ, ଜଣେ କର୍ମଚାରୀଙ୍କୁ ସପ୍ତାହକୁ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ପଡ଼ିବ । ଯଦି କମ୍ପାନୀ ଚାହେଁ, ତେବେ ଦିନକୁ ୧୨ ଘଣ୍ଟା କାମ କରାଇ କର୍ମଚାରୀଙ୍କୁ ସପ୍ତାହକୁ ୪ ଦିନ କାମ ଏବଂ ୩ ଦିନ ଛୁଟିର ବିକଳ୍ପ ଦେଇପାରିବ ।

୨. ଦରମା ଓ ପିଏଫ୍ ଗଣିତରେ ବଡ଼ ପରିବର୍ତ୍ତନ:

ଏବେ ଆପଣଙ୍କ ହାତକୁ ଆସୁଥିବା 'ଇନ୍-ହ୍ୟାଣ୍ଡ ସାଲାରୀ' କମିପାରେ, କିନ୍ତୁ ଭବିଷ୍ୟତ ସୁରକ୍ଷିତ ହେବ ।

ବେସିକ୍ ସାଲାରୀ: ଆପଣଙ୍କ ମୋଟ ଦରମା (CTC) ର ଅତିକମରେ ୫୦% ବେସିକ୍ ସାଲାରୀ ହେବା ଅନିର୍ବାଯ୍ୟ ।

PF ଅବଦାନ: ବେସିକ୍ ସାଲାରୀ ବଢ଼ିବା ଦ୍ୱାରା ଆପଣଙ୍କ ପିଏଫ୍ କାଟ୍ ଅଧିକ ହେବ, ଯାହାଫଳରେ ଅବସର ସମୟରେ ଆପଣଙ୍କୁ ମୋଟା ଅଙ୍କର ଅର୍ଥ ମିଳିବ ।

୩. ଗ୍ରାଚ୍ୟୁଇଟି ନିୟମରେ କୋହଳ:

ପୂର୍ବରୁ ଗ୍ରାଚ୍ୟୁଇଟି ପାଇଁ ୫ ବର୍ଷ କାମ କରିବା ଜରୁରୀ ଥିଲା । କିନ୍ତୁ ଏବେ 'ଫିକ୍ସଡ୍ ଟର୍ମ' କର୍ମଚାରୀଙ୍କ ପାଇଁ ମାତ୍ର ବର୍ଷେ ଚାକିରି ପରେ ଗ୍ରାଚ୍ୟୁଇଟି ସୁବିଧା ମିଳିବ । ସାଧାରଣ କର୍ମଚାରୀଙ୍କ ପାଇଁ ଏହି ସୀମା ୫ ବର୍ଷ ରହିଛି ।

୪. ସମାନ କାମକୁ ସମାନ ଦରମା ଓ ଓଭରଟାଇମ୍:

ପୁରୁଷ ହେଉ କି ମହିଳା, ସମାନ କାମ ପାଇଁ କାହାରିକୁ କମ୍ ଦରମା ମିଳିବ ନାହିଁ । ଯଦି ଆପଣ ନିର୍ଦ୍ଧାରିତ ସମୟରୁ ଅଧିକ କାମ କରୁଛନ୍ତି, ତେବେ ଓଭରଟାଇମ୍ ପାଇଁ ଦୁଇଗୁଣା ଦରମା ଦେବାକୁ କମ୍ପାନୀ ବାଧ୍ୟ । ଇସ୍ତଫା କିମ୍ବା ଛଟେଇ ହେବାର ୨ ଦିନ ମଧ୍ୟରେ ସମସ୍ତ ବକେୟା ପାଉଣା ପରିଶୋଧ କରିବାକୁ ହେବ ।

୫. ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା:

ମହିଳାମାନେ ଏବେ ସମସ୍ତ କ୍ଷେତ୍ରରେ କାମ କରିପାରିବେ । ଯଦି ସେମାନେ ସକାଳ ୬ଟା ପୂର୍ବରୁ କିମ୍ବା ସନ୍ଧ୍ୟା ୭ଟା ପରେ ଅର୍ଥାତ୍ ନାଇଟ୍ ସିଫ୍ଟ କାମ କରନ୍ତି, ତେବେ ସେମାନଙ୍କ ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ କମ୍ପାନୀର ରହିବ । ଗର୍ଭବତୀ ମହିଳାଙ୍କୁ ବିପଜ୍ଜନକ କାମରେ ଲଗାଯାଇପାରିବ ନାହିଁ ।

୬. ଶ୍ରମିକଙ୍କ କଲ୍ୟାଣ ଓ ସୁରକ୍ଷା:

ହେଲ୍ଥ ଚେକଅପ୍: କମ୍ପାନୀ ନିଜ ଖର୍ଚ୍ଚରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବ ।

କ୍ୟାଣ୍ଟିନ୍ ଓ ଆମ୍ବୁଲାନ୍ସ: ୧୦୦ରୁ ଅଧିକ ଶ୍ରମିକ ଥିଲେ କ୍ୟାଣ୍ଟିନ୍ ଏବଂ ୫୦୦ରୁ ଅଧିକ ଥିଲେ ଆମ୍ବୁଲାନ୍ସ ରୁମ୍ ରହିବା ଜରୁରୀ ।

ପ୍ରବାସୀ ଶ୍ରମିକ: ୧୦ରୁ ଅଧିକ ପ୍ରବାସୀ ଶ୍ରମିକ ଥିଲେ ସେମାନଙ୍କୁ ବର୍ଷକୁ ଥରେ ଘରକୁ ଯିବା ପାଇଁ ଯାତ୍ରା ଭତ୍ତା ମିଳିବ ।

୭. ଛଟେଇ:

ଯଦି କୌଣସି କମ୍ପାନୀ କର୍ମଚାରୀଙ୍କୁ ବାହାର କରିବାକୁ ଚାହେଁ, ୧୦୦ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାରେ 'ୱାର୍କ କମିଟି' ଗଠନ ହେବ । ୩୦୦ରୁ ଅଧିକ ଶ୍ରମିକ ଥିବା କମ୍ପାନୀକୁ ଛଟେଇ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ଏବଂ ୩ ମାସ ପୂର୍ବରୁ ନୋଟିସ୍ ଦେବାକୁ ହେବ । ତେବେ ଏହି ନୂଆ ଲେବର କୋଡ୍ ଦ୍ୱାରା ଦେଶର ଶ୍ରମିକ ଶ୍ରେଣୀ ଅଧିକ ସୁଦୃଢ଼ ହେବେ ବୋଲି ଆଶା କରାଯାଉଛି । କିନ୍ତୁ, ହାତକୁ ଆସୁଥିବା ନଗଦ ଦରମା କମିବା କେତେକଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ । ସରକାର ଏହି ନିୟମଗୁଡ଼ିକୁ ଖୁବଶୀଘ୍ର ସାରା ଦେଶରେ ଲାଗୁ କରିବାକୁ ଯାଉଛନ୍ତି ।

ଆହୁରି ପଢ଼ନ୍ତୁ... CBSE 12th Result : ଆସିଲା ସିବିଏସଇ ଦ୍ଵାଦଶ ରେଜଲ୍ଟ, ଏଥର ପାସ୍ ହାର ୮୫.୨୦%, ଛାତ୍ରଙ୍କୁ ଟପିଲେ ଛାତ୍ରୀ