କଟକ,୧୬/୦୧: ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ)ର ସଭାପତି ପଦରୁ ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସଙ୍କ ଇସ୍ତଫା ପରେ ଏବେ ସଂଘର ସ୍ଥାୟୀ ସଭାପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଓସିଏର ପରବର୍ତ୍ତୀ ନିର୍ବାଚନକୁ ପ୍ରାୟ ୮ମାସ ବାକି ଥିବା ବେଳେ ସେତେଯାଏ ସଂଘର ସଭାପତି ପଦବିକୁ ପୂରଣ କରିବାକୁ ହେବ । ଯଦିଓ ଉପସଭାପତି ପଙ୍କଜ ଲୋଚନ ମହାନ୍ତି କାମଚଳା ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି, କିନ୍ତୁ ପୂର୍ବତନ ସଭାପତି ପ୍ରଣବପ୍ରକାଶଙ୍କ ଇସ୍ତଫା ଦେବାର ୪୫ଦିନ ଭିତରେ ଓସିଏ ସଭାପତି ପଦବି ପୂରଣ କରିବାକୁ ହେବ । ଏନେଇ ଓସିଏ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଓସିଏର ନିର୍ବାଚନ ଅଧିକାରୀ ଏମ୍. ଏଲ୍. ମଜୁମଦାର ଓସିଏ ଅନୁବନ୍ଧିତ ୟୁନିଟ୍ ଅର୍ଥାତ୍ କ୍ଲବ୍, ଜିଲ୍ଲା ସଂଘଙ୍କ ସମେତ ଅନ୍ୟମାନଙ୍କୁ ଚିଠି କରି ଓସିଏ ନିର୍ବାଚନକୁ ପ୍ରତିନିଧିତ୍ୱ କିଏ କରିବ ତା'ର ତାଲିକା ମାଗିଛନ୍ତି । ଜାନୁୟାରୀ ୨୭ ତାରିଖ ସୁଦ୍ଧା ଅନୁବନ୍ଧିତ ୟୁନିଟ୍ ମାନେ ତାଲିକା ପ୍ରଦାନ କରିବେ । ୩୧ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ନୂଆ ସଭାପତି ଦାୟିତ୍ୱ ନେବାର ନିୟମ ରହିଥିବା ବେଳେ ଫେବ୍ରୁଆରୀ ୯ ତାରିଖ ଭାରତ-ଇଂଲଣ୍ଡ ଦିନିକିଆ ପାଇଁ ସ୍ୱତନ୍ତ୍ର ଏଜିଏମ୍କୁ ଫେବ୍ରୁଆରୀ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ଓସିଏ ସଭାପତି ପ୍ରଣବପ୍ରକାଶ ଦାସ ଇସ୍ତଫା ଦେବାର ପ୍ରାୟ ୨୦ ଦିନ ବିତିବାକୁ ଆସିଲାଣି । ଏବେ ଆଠ ମାସିଆ ସଭାପତି କିଏ ହେବ ତାକୁ ନେଇ ଅନେକ ଚର୍ଚ୍ଚିତ ଚେହେରାଙ୍କ ନାଁ ଶୁଣାଯାଉଛି । କାମଚଳା ସଭାପତି ଦାୟିତ୍ୱରେ ଥିବା ପଙ୍କଜଲୋଚନ ମହାନ୍ତି ପୁଣିଥରେ ସଭାପତି ପଦବିକୁ ଫେରିବେ । ଯଦିଓ ଏନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନାହିଁ, ତଥାପି ନିର୍ବାଚନ ଯାଏ ଶ୍ରୀ ମହାନ୍ତିଙ୍କୁ ସଭାପତି କରିବାକୁ ଓସିଏ କାଉନସିଲ୍ ସଦସ୍ୟ ମାନେ ଚାହୁଛନ୍ତି ।
ପଙ୍କଜ ପୂର୍ବରୁ ଅର୍ଥାତ୍ ୨୦୧୯-୨୨ ବର୍ଷ ଯାଏ ଓସିଏ ସଭାପତି ଭାବେ ୩ବର୍ଷ କାର୍ଯ୍ୟ କରିସାରିଛନ୍ତି । ସଭାପତି କାର୍ଯ୍ୟ ନିର୍ବାହ କରିବାରେ ତାଙ୍କର ଅଭିଜ୍ଞତା ରହିଛି । ତେଣୁ ପଙ୍କଜଙ୍କୁ ଯଦି ସ୍ଥାୟୀ ସଭାପତି କରାଯାଏ, ଉପସଭାପତି ପଦବି ଫାଙ୍କା ପଡ଼ିବ । ଏହି ପଦକୁ ଓସିଏର ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଅଣାଯିବାର ସମ୍ଭାବନା ରହିଛି । ଏହି ଦୌଡ଼ରେ ଆପେକ୍ସ କାଉନସିଲ୍ ସଦସ୍ୟ ପ୍ରତାପ ପ୍ରଧାନ ଆଗରେ ରହିଥିବା କୁହାଯାଉଛି । ତେବେ ଏହି ୮ ମାସିଆ ପଦ ପଦବିରେ ନୂଆ ଚେହେରା ସାମ୍ନାକୁ ଆସିବାର ସମ୍ଭାବନା କ୍ଷୀଣ ରହିଥିବା ବେଳେ ଯଦି କୌଣସି ସଦସ୍ୟ ସଭାପତି ପଦବି ପାଇଁ ନିର୍ବାଚନ ଲଢ଼ିବାକୁ ଚାହାନ୍ତି ତେବେ ତାଙ୍କୁ ନେଇ ଭୋଟ୍ କରାଯାଇପାରେ ।
ଅନ୍ୟପକ୍ଷରେ ଓସିଏକୁ ଆସିବାକୁ ଥିବା ନୂଆ ଟିମ୍ ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟକାଳ ଅର୍ଥାତ୍ ଏହି ୮ ମାସ ପାଇଁ ଓସିଏକୁ ଆସି ନପାରନ୍ତି । ବିସିସିଆଇର ସମ୍ବିଧାନ ଅନୁସାରେ ଜଣେ କାର୍ଯ୍ୟକର୍ତ୍ତା ଲଗାତାର ଦୁଇଥର ଅର୍ଥାତ୍ ୬ ବର୍ଷ ପାଇଁ କୌଣସି ପଦ ପଦବିରେ ରହିପାରିବେ । ସମାନ ନିୟମ ଓସିଏ ପାଇଁ ମଧ୍ୟ ରହିଛି । ଏ ସ୍ଥିତିରେ ନୂଆ ଟିମ୍ ଅକ୍ଟୋବର କିମ୍ବା ନଭେମ୍ବରରେ ହେବାକୁ ଥିବା ନୂଆ ନିର୍ବାଚନରେ ସାମିଲ୍ ହୋଇପାରନ୍ତି । ଯଦି ବିସିସିଆଇର ବର୍ତ୍ତମାନ ସମ୍ବିଧାନ ଅନୁସାରେ ନିର୍ବାଚନ ହୁଏ, ଏଥିରେ ଓସିଏର ବର୍ତ୍ତମାନ କାର୍ଯ୍ୟକର୍ତ୍ତା ମଣ୍ଡଳୀ ସମ୍ପୂର୍ଣ୍ଣ ବଦଳିବ । ସହମତି ଭିତ୍ତିରେ ନୂଆ ଟିମ୍ ଓସିଏକୁ ଆସିବାର ସମ୍ଭାବନା ଥିବା କୁହାଯାଉଛି । ନୂଆ ନିର୍ବାଚନରେ ବିଜେପିର ପ୍ରଭାବ ମଧ୍ୟ ରହିବ ବୋଲି ଆକଳନ କରାଯାଉଛି ।