ସୁପ୍ରିମକୋର୍ଟରେ ସଂସଦ ଭବନ ଉଦଘାଟନକୁ ନେଇ ହୋଇଥିବା ପିଟିସନ ଖାରଜ, ଶୁଣାଣି କରିବାକୁ କଲେ ମନା

ନୂଆଦିଲ୍ଲୀ,୨୬/୫ : ନୂତନ ସଂସଦ ଭବନ ଉଦଘାଟନକୁ ନେଇ ଦାଖଲ ହୋଇଥିବା ପିଟିସନ ସୁପ୍ରିମକୋର୍ଟରେ ଖାରଜ । ଆଜି ଏହାର ଶୁଣାଣି ଥିଲା । ସୁପ୍ରିମ କୋର୍ଟ ଏହି ଆବେଦନର ଶୁଣାଣି କରିବାକୁ ସିଧା ସଳଖ ମନା କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କି, ଏହା ଶୁଣାଣି ଯୋଗ୍ୟ ନୁହେଁ । ଏଭଳି ପିଟିସନ ଦେଖିବା ଆମର କାମ ନୁହେଁ । ଆମେ ଜାଣିଛୁ ଏଭଳି ପିଟିସନ କାହିଁକି ଦାଖଲ କରାଯାଇଛି । ଖୁସିର କଥା ଏଭଳି ପିଟିସନ କରିବା ପାଇଁ କୌଣସି ଜରିମାନା କରାଯାଇ ନାହିଁ ।
ସୂଚନା ଅନୁଯାୟୀ, ନୂଆ ସଂସଦ ଭବନ ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ବାରା କରାଯିବାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ପିଟିସନ । ଏବେ ଏଭଳି ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସୁପ୍ରିମକୋର୍ଟର ଜଷ୍ଟିସ ଜେ କେ ମାହେଶ୍ବରୀ ଏବଂ ଜଷ୍ଟିସ ପିଏସ ନରସିହ୍ମାଙ୍କ ଅବକାଶକାଳୀନ ପୀଠ ଏହି ମାମଲାର ଶୁଣାଣି କରିଥିଲେ । ଅନ୍ୟପଟେ ଦେଶର ମୋଟ ୪୦ ରାଜନୈତିକ ଦଳ ମଧ୍ୟରୁ କଂଗ୍ରେସ ସମେତ ୨୦ଟି ବିରୋଧୀ ଦଳ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି । ସେପଟେ ବିଜେପି, ବିଜେଡି, ଟିଡିପି ଏବଂ ଏଆଇଏଡିଏମ୍କେ ଭଳି ୧୮ ଦଳ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି । ସୁପ୍ରିମକୋର୍ଟରେ ଗୁରୁବାର ଏ ନେଇ ଏକ ପିଟିସନ୍ ଦାଖଲ ହୋଇଥିଲା । ଯେଉଁଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନୂଆ ସଂସଦ ଭବନକୁ ଉଦଘାଟନ କରାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଏଥିରେ ଅନୁରୋଧ କରାଯାଇଥିଲା । ଲୋକସଭା ସଚିବାଳୟ ରାଷ୍ଟ୍ରପତିଙ୍କୁ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ପାଇଁ ନିମନ୍ତ୍ରଣ ନ କରି ସମ୍ବିଧାନର ଅପମାନ କରିଥିବା ଆବେଦନକାରୀ କହିଥିଲେ ।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ସମେତ ୨୦ ଦଳ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଥିବାବେଳେ ୧୮ ଦଳ ସମର୍ଥନ ଜଣାଇଛନ୍ତି । ବିଜେପି, ବିଜେଡି, ଶିବସେନା (ସିନ୍ଦେ ଗୋଷ୍ଠୀ), ବସପା, ଏନ୍ପିପି, ଏନ୍ଡିପିପି, ଏସ୍କେଏମ୍, ଜେଜେପି, ଆର୍ଏଲ୍ଜେପି, ଆର୍ପି (ଅଠାୱଲେ), ତାମିଲ ମନୀଲା କଂଗ୍ରେସ, ୱାଇଏସ୍ଆର୍ କଂଗ୍ରେସ ଆଦି ଦଳ କାର୍ଯ୍ୟକ୍ରମରେ ଯୋଗଦେବାକୁ ଘୋଷଣା କରିଛନ୍ତି ।