ସାବାଡ୍ ହେବେ ମଦୁଆ ଡ୍ରାଇଭର; ଜରିମାନା ସହ ମାମଲା ରୁଜୁ ହେବ

କଟକ,୧୬ା୬(ବ୍ୟୁରୋ): ମଦୁଆ ଗାଡ଼ି ଡ୍ରାଇଭରଙ୍କ ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟୁଥିବାରୁ ସେମାନଙ୍କୁ ସାବାଡ୍ କରିବା ପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି । ଗାଡ଼ି ଯାଞ୍ଚ ବେଳେ ଧରାପଡ଼ୁଥିବା ମଦୁଆ ଚାଳକଙ୍କୁ ଏବେ କେବଳ ଜରିମାନାରେ ଦଣ୍ଡିତ କରାଯିବ ନାହିଁ । ଜରିମାନା ସହ ସେମାନଙ୍କ ନାମରେ ମାମଲା ଦାୟର କରାଯିବ । କେବଳ ସେତିକି ନୁହେଁ, ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ ଏମ୍ଭିଆଇ ମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଏଥିପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ସାକ୍ଷ୍ୟ ଓ ପ୍ରମାଣ ଯୋଗାଡ଼ କରି କୋର୍ଟଙ୍କ ସମ୍ମୁଖରେ ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।
ରାଜପଥ ତଥା ସହର ମଧ୍ୟରେ ହେଉଥିବା ଦୁର୍ଘଟଣାର ପ୍ରାୟ ୮୦ ପ୍ରତିଶତ ଘଟଣାରେ ଗାଡ଼ି ଚାଳକ ମଦ୍ୟପାନ କରିଥିବା ଏକ ସରକାରୀ ରିପୋର୍ଟରେ ଦର୍ଶାଯାଇଛି । ଦୁଇ ଚକିଆ ଗାଡ଼ି ଚାଳକ ହୁଅନ୍ତୁ ବା ବଡ଼ ଗାଡ଼ି ଦୁର୍ଘଟଣାର ଶିକାର ହେଉଥିବା ଗାଡ଼ି ଗୁଡ଼ିକର ଚାଳକମାନେ ମଦ୍ୟପାନ କରୁଥିବା ବିଷୟ ଡାକ୍ତରୀ ରିପୋର୍ଟରେ ଆସୁଛି । ତେଣୁ ସରକାର ଗଲା କିଛି ମାସ ହେବ ମଦୁଆ ଗାଡ଼ି ଚାଳକଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜପଥ ଓ ମୁଖ୍ୟ ସଡ଼କ ଗୁଡ଼ିକରେ ଯାଞ୍ଚ କରୁଛନ୍ତି । ଏଥି ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସବୁ ରାଜ୍ୟର ପ୍ରାୟ ଅଧାରୁ ଅଧିକ ଥାନାକୁ ଏକାଧିକ ବ୍ରେଥ୍ ଆନାଲାଇଜର ମେସିନ୍ (ମଦ୍ୟପାନ ଯାଞ୍ଚ ଯନ୍ତ୍ର) ପ୍ରଦାନ କରାଯାଇଛି । ଏହି କ୍ରମରେ ସବୁ ଥାନା ପକ୍ଷରୁ ବଡ଼ଗାଡ଼ି ଚାଳକଙ୍କ ରାସ୍ତାରେ ଅଟକାଯାଇ ଯାଞ୍ଚ ହେଉଛି । ସେହିପରି ଏମ୍ଭିଆଇମାନେ ମଧ୍ୟ ଏଭଳି ଯାଞ୍ଚ କରୁଛନ୍ତି । ଏପରିକି କିଛି ସହର ମଧ୍ୟରେ କାର୍ ଓ ବାଇକ୍ ଆରୋହୀଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି । ତେବେ ଏହି ଯାଞ୍ଚ ପରେ ଚାଳକ ଜଣକ ମଦ୍ୟପାନ କରିଥିବା ଜଣାପଡ଼ିଲେ ତୁରନ୍ତ ଜରିମାନା କାଟି ଛାଡ଼ି ଦିଆଯାଉଛି । ମାତ୍ର ଏବେ ଗାଡ଼ି ଚାଳକଙ୍କଠାରୁ କେବଳ ଫାଇନ୍ ଆଦାୟ ହେବନି । ଉକ୍ତ ଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ରାସ୍ତାରେ ଯେଉଁଠାରେ ମଦ୍ୟପମାନେ ଧରା ହେଉଛନ୍ତି ସେମାନଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପର୍ଯ୍ୟନ୍ତ ପଦକ୍ଷେପ ନେବାକୁ ସରକାର ସ୍ଥିର କରିଛନ୍ତି ।
ଏମ୍ଭି (ମୋଟର ଭେଇକିଲ୍ )ଆକ୍ଟର ୧୮୫ ଧାରାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ସବୁ ଏମ୍ଭିଆଇ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆଗକୁ ମଦୁଆ ଗାଡ଼ି ଚାଳକମାନେ ରାସ୍ତାରେ ଧରା ହେବା ମାତ୍ରେ ବ୍ରେଥ୍ ଆନାଲାଇଜର ମେସିନ୍ ଦେଉଥିବା ରିପୋର୍ଟ ଓ ପାଖରେ ଥିବା ସାକ୍ଷୀଙ୍କୁ ଆଧାର କରି କୋର୍ଟରେ ମାମଲା ଚଲାଇବାକୁ ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ ହୋଇଛି । କୋର୍ଟରେ ମଦୁଆ ଚାଳକ ମାନେ ଦୋଷୀ ସାବ୍ୟସ୍ତ ହେଲା ପରେ ଧିରେ ଧିରେ ଗାଡ଼ି ଚାଳନା ବେଳେ ମଦ୍ୟପାନ କମିବ ଓ ଦୁର୍ଘଟଣା ହ୍ରାସ ପାଇବ ବୋଲି ସରକାରଙ୍କ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି ।