ନୋଏଡା: ଦିନକୁ ଦିନ ଛନ୍ଦି ହେବାରେ ଲାଗିଛି ଗ୍ରେଟର ନୋଏଡାର ଯୌତୁକ ହତ୍ୟା ମାମଲା। ବୁଧବାର ନିକ୍କି ଭାଟୀଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଯେଉଁଥିରେ ନିକ୍କିଙ୍କ ନଣନ୍ଦ ମୀନାକ୍ଷୀ ଭାଟୀ ଏକ ଭିନ୍ନ ଧରଣର ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ନିକ୍କିଙ୍କ ପରିବାର, ଯେଉଁମାନେ ନିକ୍କିଙ୍କୁ ଯୌତୁକ ନିର୍ଯାତନାର ଶିକାର ହୋଇଥିବା ଦାବି କରୁଛନ୍ତି, ସେମାନେ ତାଙ୍କୁ ମଧ୍ୟ ଯୌତୁକ ପାଇଁ ନିର୍ଯାତନା ଦେଇଥିଲେ। ମୀନାକ୍ଷୀ କହିଛନ୍ତି ଯେ ତାଙ୍କ ବିବାହ ସମୟରେ ତାଙ୍କ ପରିବାର ଏକ ମାରୁତି ସୁଜୁକି ସିଆଜ୍ କାର ଏବଂ ୩୧ ତୋଳା ସୁନା ଦେଇଥିଲେ। କିନ୍ତୁ ନିକ୍କିଙ୍କ ପରିବାର ଏକ ସ୍କର୍ପିଓ ଏସୟୁଭି ଦାବି କରି ତାଙ୍କୁ ନିର୍ଯାତନା ଦେଇଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ନିକ୍କି ଏବଂ ତାଙ୍କ ଭଉଣୀ କାଞ୍ଚନ ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ। ୨୦୨୪ରେ ମୀନାକ୍ଷୀ ଏହି ଅଭିଯୋଗରେ ଏକ ଏଫଆଇଆର ମଧ୍ୟ ଦାଖଲ କରିଥିଲେ। 

ଖବର ମୁତାବକ, ନିକ୍କିଙ୍କ ଭାଇ ରୋହିତଙ୍କୁ ମୀନାକ୍ଷୀ ୨୦୧୬ରେ ବିବାହ କରିଥିଲେ। ବିବାହ ପରେ ମୀନାକ୍ଷୀଙ୍କ ପରିବାର ତରଫରୁ ଦାବି କରାଯାଇଥିବା ସମସ୍ତ ଯୌତୁକ ଦିଆଯାଇଥିଲା। କିନ୍ତୁ ସମୟକ୍ରମେ ତାଙ୍କ ଶ୍ୱଶୁର ଘର ଲୋକ ଅଧିକ ଯୌତୁକ ଦାବି କରିବା ସହ ତାଙ୍କୁ ନିର୍ଯାତନା ମଧ୍ୟ ଦେଇଥିଲେ। ନିକ୍କି ଓ କାଞ୍ଚନଙ୍କ ଛଡା ତାଙ୍କ ଶାଶୁ ଓ ଶ୍ୱଶୁର ଭିକାରୀ ସିଂ ମଧ୍ୟ ତାଙ୍କୁ ଟାର୍ଗେଟ କରିଥିଲେ। ଖାଲି ସେତିକି ନୁହେଁ ରୋହିତ ମୀନାକ୍ଷୀଙ୍କ ଭାଇଙ୍କ ଉପରକୁ ଥରେ ଫାଙ୍କା ଗୁଳିଚାଳନା କରିବା ସହ ତାଙ୍କୁ ଜୋର ଜବରଦସ୍ତ ଦୁଇଥର ଗର୍ଭନଷ୍ଟ ମଧ୍ୟ କରାଇଥିଲେ। 

ଏହି ମାମଲା ଯୌତୁକ ସଂସ୍କୃତିର ଅନ୍ଧକାର ଦିଗକୁ ଉଜାଗର କରିଛି। ଯେଉଁଠାରେ ମହିଳାମାନେ ଲୋଭର ଶିକାର ହେଉଛନ୍ତି। ନିକ୍କିଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ ବିପିନ ଭାଟୀ, ଶ୍ୱଶୁର ଶତବୀର ଭାଟୀ, ଶାଶୁ ଦୟା ଭାଟୀ ଏବଂ ଦିଅର ରୋହିତ ଭାଟୀଙ୍କୁ ଗିରଫ କରାଯାଇଛି। ବିପିନଙ୍କୁ ପୋଲିସ ହେପାଜତରୁ ପଳାଇବାକୁ ଚେଷ୍ଟା କରିବା ବେଳେ ପୋଲିସ ତାଙ୍କୁ ଏନକାଉଣ୍ଟର କରି ନିଜ ଅକ୍ତିଆରକୁ ଆଣିଥିଲା। 

ଏହି ଘଟଣା ସାମାଜିକ ଗଣମାଧ୍ୟମରେ ତୀବ୍ର ବିବାଦ ସୃଷ୍ଟି କରିଛି। ଯେଉଁଠାରେ ନିକ୍କିଙ୍କ ଛଅ ବର୍ଷୀୟ ପୁଅର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ କହୁଛି, "ପାପା ମମିଙ୍କୁ ଲାଇଟରରେ ଜାଳି ଦେଲେ।" ତେବେ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି, ଏବଂ ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ସତ୍ୟତା ଯାଞ୍ଚ କରୁଛି।