ୱେଲିଂଟନ୍, ୨୩/୦୪ : ନ୍ୟୁଜିଲାଣ୍ଡର ଜଣେ ବରିଷ୍ଠ ମନ୍ତ୍ରୀ ଶେନ୍ ଜୋନ୍ସ ଭାରତ ସହ ହେବାକୁ ଥିବା ମୁକ୍ତ ବାଣିଜ୍ୟ ବୁଝାମଣା (ଏଫ୍ଟିଏ)କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଏଫ୍ଟିଏ ପରେ ନ୍ୟୁଜିଲାଣ୍ଡକୁ ‘ବଟର ଚିକେନ’ର ସୁନାମୀ ମାଡ଼ିଆସିବ ବୋଲି ସେ କହିଛନ୍ତି । ଭାରତୀୟଙ୍କ ଉଦ୍ଦେଶ୍ୟରେ ସେ ‘ବଟର ଚିକେନ’ ମନ୍ତବ୍ୟ ଦେଇଛନ୍ତି। ଏଥିସହ ସେ ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ଏଫ୍ଟିଏକୁ ବିରୋଧ କରିଛନ୍ତି । ଫଳରେ ନ୍ୟୁଜିଲାଣ୍ଡରେ ରହୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ସୂଚନା ଅନୁସାରେ, ଆସନ୍ତା ସପ୍ତାହରେ ଦିଲ୍ଲୀରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକ୍ତ ବାଣିଜ୍ୟ ବୁଝାମଣା ହେବାକୁ ଯାଉଛି । ନ୍ୟୁଜିଲାଣ୍ଡ ସରକାର ଏହାକୁ ବଡ଼ ଅବସର ଆଖ୍ୟା ଦେଇଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନ୍ୟୁଜିଲାଣ୍ଡ ବ୍ୟବସାୟୀ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଭାରତୀୟ ବଜାରରେ ସେମାନଙ୍କ ସାମଗ୍ରୀ ବିକ୍ରିର ସୁଯୋଗ ପାଇବେ । କିନ୍ତୁ ଏହାକୁ ନ୍ୟୁଜିଲାଣ୍ଡ ସରକାରରେ ଥିବା ସହଯୋଗୀ ଦଳ ନ୍ୟୁଜିଲାଣ୍ଡ ଫାର୍ଷ୍ଟର ନେତା ଶେନ୍ ଜୋନ୍ସ ବିରୋଧ କରିଛନ୍ତି । ତାଙ୍କ ଦଳ କେବେ ବି ଏହି ବୁଝାମଣାକୁ ସ୍ୱୀକାର କରିବନି । ନ୍ୟୁଜିଲାଣ୍ଡକୁ ଆସିବାକୁ ଥିବା ‘ବଟର ଚିକେନ’ ସୁନାମୀ ସହ ସେ କେବେ ସହମତ ହେବେନି ବୋଲି କହିଛନ୍ତି । ଏହି ବୁଝାମଣା ଦ୍ୱାରା ନ୍ୟଜିଲାଣ୍ଡ ସୀମା ଭାରତୀୟଙ୍କ ପାଇଁ ଖୋଲିଯିବ । ତେଣୁ ସେଠାକୁ ଭାରତୀୟଙ୍କ ପ୍ରବେଶକୁ ସେ ‘ବଟର ଚିକେନ’ ସୁନାମୀ ସହ ତୁଳନା କରିଛନ୍ତି ।
ଅଧିକ ପଢ଼ନ୍ତୁ :- ବ୍ରିଟେନରେ ‘ଟବାକୋ ଆଣ୍ଡ ଭେପ୍ସ’ ବିଲ୍ ପାସ୍, ୨୦୦୮ ପରେ ଜନ୍ମିତ ଲୋକେ ତମାଖୁ ସାମଗ୍ରୀ କିଣିପାରିବେ ନାହିଁ