କ୍ରାଏଷ୍ଟ୍ଚର୍ଚ ମସଜିଦରେ ଗୁଳିକାଣ୍ଡ ; ୩୦ଜଣ ମୃତ, ଅଳ୍ପକେ ବର୍ତ୍ତିଲେ ବାଂଲାଦେଶୀ କ୍ରିକେଟ୍ ଖେଳାଳୀ

ନିଉଜିଲାଣ୍ଡ୍ର କ୍ରାଏଷ୍ଟ୍ଚର୍ଚ ଠାରେ ଥିବା ମସ୍ଜିଦ୍ରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇବା ଯୋଗୁଁ ୩୦ଜଣ ଲୋକ ମରିଥିବା କଥା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ଶୁକ୍ରବାର ଗୁଳିକାଣ୍ଡ ବିଷୟରେ ପୁଲିସ ସବିଶେଷ ବିବରଣୀ ଦେଇ ନ ଥିଲେ ମଧ୍ୟ ସେଣ୍ଟ୍ରାଲ୍ କ୍ରାଏଷ୍ଟ୍ଚର୍ଚର ଲୋକମାନଙ୍କୁ ଘରେ ରହିବାକୁ କହିଛି।
ପ୍ରତ୍ୟକ୍ଷଦର୍ଶୀ ଲେନ୍ ପେନିହା କହିଛନ୍ତି ଗୋଟାଏ ଲୋକ କଳା ପୋଷାକ ପିନ୍ଧି ମସ୍ଜିଦ୍ ଅଲ୍ ନୂର୍ ପ୍ରବେଶ କରିବାର ସେ ଦେଖିଲେ। ତା’ପରେ ସେ ଡଜନାଧିକ ଗୁଳି ଫୁଟିବାର ଶବ୍ଦ ଶୁଣିଲେ। ପରେ ପରେ ଲୋକେ ଛାନିଆରେ ମସ୍ଜିଦ୍ରୁ ଦୌଡ଼ି ଆସୁଥିବାର ଦେଖିଲେ।
ଜରୁରୀକାଳୀନ ସେବା ପହଞ୍ଚିବା ପୂର୍ବରୁ ବନ୍ଧୁକଧାରୀଜଣକ ସେ ସ୍ଥାନରୁ ଖସି ଯାଇଥିଲେ ବୋଲି ପେନିହା କହନ୍ତି। ଗୁଳିକାଣ୍ଡ ଘଟିଥିବା ସ୍ଥାନ ନିକଟରେ ବାଂଲାଦେଶ କ୍ରିକେଟ୍ ଟିମ୍ ଥିଲେ। ସେମାନେ ନିରାପଦ ଥିବା କଥା ଜଣାପଡ଼ିଛି। ପୁଲିସ କମିସନର୍ ମାଇକ୍ ବୁସ୍ କହିଛନ୍ତି ଯେ ଏହି ଘଟଣା ପରେ ପରେ ସହରର ସମସ୍ତ ସ୍କୁଲ୍ ବନ୍ଦ ରଖାଯାଇଛି।