PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ସଙ୍କଟରେ ସାମୁଦ୍ରିକ ପ୍ରାଣୀ : ଲୋପ ପାଇଯିବେ ନୀଳରକ୍ତ କଙ୍କଡ଼ା !

କେନ୍ଦ୍ରାପଡ଼ା, ୦୪/୦୭: କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ାଙ୍କ ସଂଖ୍ୟା ଧୀରେ ଧୀରେ କମିକମି ଯାଉଛି । ଆବଶ୍ୟକ ସୁରକ୍ଷା ଓ ନିରାପତ୍ତା ଅଭାବରୁ ଏମାନେ ବିଲୁପ୍ତ ହେବାକୁ ବସିଲେଣି । ପରିବେଶ ସନ୍ତୁଳନ ସହ ଜୈବ ବିବିଧତା ବଜାୟ ରଖିବାରେ ମଧ୍ୟ ସେମାନଙ୍କର ବଡ଼ ଭୂମିକା ରହିଛି । ଏତଦ୍‌ଭିନ୍ନ ଚିକିତ୍ସାସେବାରେ ଏହାର ବ୍ୟବହାର ହେଉଥିବାର କୁହାଯାଏ । ବହୁ ମାରାତ୍ମକ ରୋଗର ନିଦାନ ପାଇଁ ବ୍ୟବହାର କରାଯାଏ । କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ସେମାନଙ୍କର ଗଣନା, ସଂରକ୍ଷଣ ନେଇ ସରକାରଙ୍କ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇପାରିଲା ନାହିଁ ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ କହିଲେ ଉଭୟ ଜଳ ଓ ସ୍ଥଳଭାଗକୁ ବିଚାରକୁ ନିଆଯାଏ । ଏହା ମଧ୍ୟରେ ବହୁ ଜଳଚର ଜୀବ, ବିଭିନ୍ନ ପ୍ରଜାତିର ବୃକ୍ଷ, ସାମୁଦ୍ରିକ ପ୍ରାଣୀ ଜୀବଜନ୍ତୁ ବସବାସ କରନ୍ତି । କାରଣ ଏହି ଅଞ୍ଚଳ ମଧ୍ୟରେ ଅନେକ ମୁହାଣ ରହିଛି । ବିଭିନ୍ନ ନଦୀର ସଙ୍ଗମସ୍ଥଳୀ ଗହୀରମଥା ଓ ଭିତରକନିକା ଅଭୟାରଣ୍ୟ ମଧ୍ୟ ଅଛି । ପୁଣି ବିବିଧ ପ୍ରଜାତିର ମାଛ, କଙ୍କଡ଼ା ଏମାନଙ୍କର ବସାଘର ଭାବେ ପରିଚିତ । ଅଲିଭ ରିଡ୍‌ଲେ କଇଁଛମାନଙ୍କୁ ସୁରକ୍ଷା ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଯାହା ପାଇଁ ପ୍ରତିବର୍ଷ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଖର୍ଚ୍ଚ ହେଉଛି । କିନ୍ତୁ ଅନ୍ୟ ଏକ ଜଳଚର ଜୀବ ନୀଳରକ୍ତ କଙ୍କଡ଼ା ଯାହାର ସଂରକ୍ଷଣ ଓ ଯତ୍ନ ପାଇଁ ସରକାର ଅଦ୍ୟାବଧି କୌଣସି ପ୍ରକାର ଯୋଜନା ପ୍ରସ୍ତୁତ କରିନାହାନ୍ତି । ଯାହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହି ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା(ହର୍ସସୁକ୍ରାବ)ର ଓଜନ ପ୍ରାୟ ୨୦୦ ଗ୍ରାମରୁ ୬୦୦ ଗ୍ରାମ ମଧ୍ୟରେ ସୀମିତ । ଏହି ପ୍ରଜାତିର କଙ୍କଡ଼ା ଜନ୍ମହେବାର ଦୁଇ ମାସ ପରେ ପ୍ରଜନନ କ୍ଷମତା ପାଇଥାଆନ୍ତି । ସମୁଦ୍ର ମଝିରେ, ଜୁଆରିଆ ନଦୀନାଳରେ ପ୍ରଜନନ ସମୟରେ ଯୋଡ଼ିଯୋଡ଼ି ହୋଇ ଭାସୁଥିବାର ଦେଖିବାକୁ ମିଳନ୍ତି ।

ଗ୍ରୀଷ୍ମଋତୁ ଏମାନଙ୍କର ପ୍ରଜନନ ସମୟ । ଏମାନେ ପଙ୍କୁଆ ଓ ଆର୍ଦ୍ର ଅଞ୍ଚଳରେ ରହିବାକୁ ଭଲ ପାଇଥାଆନ୍ତି । ଗହୀରମଥା ଅଞ୍ଚଳର ବିଶେଷ କରି ଧାମରା, ମାଦଳି ମୁହାଣ, ଚିଞ୍ଚିରି ମୁହାଣ, ବରୁଣେଇ ମୁହାଣ, ଜମ୍ବୁ ମୁହାଣ, ମହାନଦୀ ମୁହାଣରେ ଏମାନଙ୍କ ଭିଡ଼ ଜମେ । ଏହି ମୁହାଣ ସାଧାରଣତଃ ନଈ ଓ ସମୁଦ୍ରର ସଙ୍ଗମ ଅଞ୍ଚଳ ଭାବେ ପରିଚିତ । ନଦୀରୁ ନିର୍ଗତ ବର୍ଜ୍ୟବସ୍ତୁ, ପଙ୍କକାଦୁଅ ଆଦି ଖାଇ ଏମାନେ ବଞ୍ଚିଥାଆନ୍ତି । ଲୁଣିପାଣି ଓ ମିଠାପାଣିରେ ଏମାନେ ରହିବାକୁ ପସନ୍ଦ କରନ୍ତି ନାହିଁ । ମୁହାଣ ମୁହଁ ଉଭୟ ପାଣିର ମିଶ୍ରଣ ହୋଇଥିବାରୁ ଏଠାରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ଲଞ୍ଚଗୋଲା, ମାଦଳି, ହୁକିଟୋଲା, ରାମଚଣ୍ଡୀର ଗୋଳିଆ ନଦୀ ମଧ୍ୟରେ ଥିବା ହେନ୍ତାଳ ଗଛମୂଳରେ ଏମାନେ ବସବାସ କରୁଥିବାର ପରିବେଶବିତ୍‌ କୁହନ୍ତି । ଏହି ଅଞ୍ଚଳରେ ସେମାନଙ୍କର ବଂଶବିସ୍ତାର ପାଇଁ ସୁଦୂର ପ୍ରଶାନ୍ତ ମହାସାଗର ଓ ଏସିଆ ମହାଦେଶ ଉପକୂଳରୁ ଆସିଥାଆନ୍ତି ।

ଅନେକ ସମୟରେ ଏମାନଙ୍କର ମୃତଦେହ କୂଳରେ ପଡ଼ିଥିବାର ନଜରକୁ ଆସେ । ପ୍ରାୟ ୨୦୦୦ ମସିହାରେ ଏମାନଙ୍କର ସଂଖ୍ୟା ଯେତିକି ଥିଲା ତାହା କ୍ରମେ ହ୍ରାସ ପାଇବାକୁ ଲାଗିଲାଣି । ଏମାନଙ୍କର ମରିବାର କାରଣକୁ ନେଇ ଅନେକ ତଥ୍ୟ ବିଭିନ୍ନ ମହଲରୁ ଏବେ ସାମ୍‌ନାକୁ ଆସିଛି । ସବୁଠାରୁ ମାରାତ୍ôମକ କୁହାଯାଉଥିବା ବଙ୍ଗଳାଦେଶରୁ ଆବିଷ୍କୃତ ମଶାରି ଜାଲ, ବିନ୍ତି ଜାଲ, ମୁଣା ଜାଲରେ ପଡ଼ି ମରିଥାଆନ୍ତି । ସମୁଦ୍ରରେ ବୋଟ୍‌ରେ ମାଛ ମାରୁଥିବାବେଳେ ଜାଲରେ ପଡ଼ି ଏମାନଙ୍କର ମୃତ୍ୟୁ ହୋଇଥାଏ । ଅଦ୍ୟାବଧି ଏମାନଙ୍କର ସଂଖ୍ୟା କେତେ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଛି ତାହାର ଗଣତି ହୋଇପାରିଲାନାହିଁ ।

ଶିଳ୍ପାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁ, ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ, ବେଆଇନ ମାଛଧରା ଯୋଗୁଁ ଏମାନେ ଅକାଳରେ ମରୁଥିବା କୁହାଯାଉଛି । ତେବେ ପରିବେଶପ୍ରେମୀ ଓ ପରିବେଶବିତ୍‌ଙ୍କ ଯୁକ୍ତି ଯେ ଯେତେବେଳେ କି ଅନ୍ୟ ବନ୍ୟ ଜୀବଜନ୍ତୁଙ୍କୁ ଗଣନା କରାଯାଉଛି, ବିରଳ ନୀଳରକ୍ତ କଙ୍କଡ଼ାଙ୍କର ଗଣନା କାହିଁକି କରାଯିବନି? ତୁରନ୍ତ ନୀଳରକ୍ତ କଙ୍କଡ଼ାର ଗଣନା ସହ ସେମାନଙ୍କର ସୁରକ୍ଷା ଲାଗି ପଦକ୍ଷେପ ନିଆଯିବା ଜରୁରି ହୋଇପଡ଼ିଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କେନ୍ଦ୍ରାପଡ଼ାରେ ଯେଉଁ ୨ ପ୍ରକାରର ଅଶ୍ୱଖୁରାକୃତି ନୀଳରକ୍ତ କଙ୍କଡ଼ା ଅଛନ୍ତି ସେମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଜେଏସ୍‌ଆଇ) ଏନେଇ ତତ୍ପରତା ଦେଖାଇଛି ।