ପୁରୀ,୧୧।୫ : ମେ ମାସରେ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଗଣତି କାର୍ଯ୍ୟକ୍ରମ ନିମନ୍ତେ ୯ ଦିନ ଧାର୍ଯ୍ୟ କରାଯାଇଛି। ୧୧ ତାରିଖ ସୋମବାର ରତ୍ନଭଣ୍ଡାର ଗଣତି ମଣତି କରାଯାଇଥିଲା। ସେହିପରି ୧୨ ତାରିଖ ମଙ୍ଗଳବାର ଗଣତି ମଣତି କରାଯିବ। ଏହା ବ୍ୟତୀତ ଅନ୍ୟ ୭ ଦିନ ଏହି ଗଣତି କାର୍ଯ୍ୟକ୍ରମ କରାଯିବ। ଆଜି ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ମେ ମାସର ୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ ତାରିଖରେ ଗଣତି ହେବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।
ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ସେଥିପାଇଁ ଗଣତି ମଣତି କାର୍ଯ୍ୟ ବନ୍ଦ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ୧୧ ତାରିଖରୁ ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି । ପରେ ଆଉ କେଉଁ ଦିନ ଗଣତି ମଣତି କାର୍ଯ୍ୟ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା।
ପୂର୍ବରୁ ଏପ୍ରିଲ୍ ୧୪ ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯାଇ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଅଳଙ୍କାରର ଗଣତି କାର୍ଯ୍ୟ ଶେଷ ହୋଇଛି। ରତ୍ନ ଅଳଙ୍କାର ଗଣତି ମଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆରବିଆଇ ଅଧିକାରୀ ଉପସ୍ଥିତ ରହୁଛନ୍ତି। ସିସିଟିଭି ସର୍ଭିଲାନ୍ସ ମଧ୍ୟରେ ସମସ୍ତ ଗଣତିମଣତି କାର୍ଯ୍ୟ କରାଯିବା ସହ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି ଏବଂ ଫଟୋଗ୍ରାଫି କରାଯାଉଛି।