ଭୁବନେଶ୍ୱର,୨୨/୦୮: ଆଗାମୀ ସ୍ୱାୟତ୍ତ ଶାସନ ଦିବସ ଅବସରରେ ବଡ଼  ଘୋଷଣା କରିବେ ରାଜ୍ୟ ସରକାର । ଆସନ୍ତା ୩୧ରେ ୯ଟି ନୂଆ ବିଜ୍ଞାପିତ ଅଞ୍ଚଳ  ପରିଷଦ (ଏନ୍‌ଏସି) ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ  ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର । 

ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ସ୍ୱାଧୀନତା  ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୨୧ଟି ଏନ୍‌ଏସି ଗଠନ ନେଇ ଘୋଷଣା  କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଥମେ ୧୨ଟି ଏନ୍‌ଏସି ନେଇ ବିଜ୍ଞପ୍ତି ଜାରି  ହୋଇସାରିଛି । ବାକି ଥିବା ୯ଟି ଏନ୍‌ଏସି ଘୋଷଣା ନେଇ ସବୁ ପ୍ରସ୍ତୁତି ସରିଛି । ସ୍ୱାୟତ୍ତ ଶାସନ ଦିବସରେ ଏ ନେଇ ଘୋଷଣା ହେବ । 

ମନ୍ତ୍ରୀ ଡା. ମହାପାତ୍ର କହିଛନ୍ତି,  ସହରୀକରଣ ଅଭିବୃଦ୍ଧିରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ପଛୁଆ ରହିଛି ।  ନୂଆ ସରକାର ଆସିବା ପରେ ସହରୀକରଣକୁ ଗୁରୁତ୍ୱ ଦିଆଯାଉଛି । ଲୋକେ ସହରରେ  ବସବାସ କରିବା ସହ ସହରୀ ସୁବିଧା ଚାହାନ୍ତି । ହେଲେ ନୂଆ ଏନ୍‌ଏସି ଘୋଷଣା  ପାଇଁ ଅନେକ ପ୍ରକ୍ରିୟା ସରିଛି । ବିଭିନ୍ନ ସର୍ତ୍ତାବଳୀ ପୂରଣ କରିବା ସହ ଜିଲ୍ଲାପାଳଙ୍କ  ରିପୋର୍ଟ, ନଗର ଉନ୍ନୟନ ବିଭାଗର ତର୍ଜମା, ପଞ୍ଚାୟତିରାଜ ବିଭାଗର କ୍ଲିୟରାନ୍ସ  ଆଦି ପ୍ରକ୍ରିୟା ଦେଇ ଯିବାକୁ ହେବ । ଲୋକଙ୍କ ମତାମତ ଓ ଆପତ୍ତି ଅଭିଯୋଗକୁ ବି  ଗୁରୁତ୍ୱ ଦିଆଯାଉଛି। ସବୁ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରିବା ସହ ପ୍ରକ୍ରିୟା ପୂରଣ  କରୁଥିଲେ ନୂଆ ଏନ୍‌ଏସି ମାନ୍ୟତା ମିଳିବ । ସେହିପରି ଯେଉଁ ଏନ୍‌ଏସି ମ୍ୟୁନିସିପାଲିଟି  ହେବାକୁ ଯୋଗ୍ୟ ହେଉଥିବେ, ସେ ଦିଗରେ ବି ପଦକ୍ଷେପ ବିଚାର କରାଯାଉଛି।