ଶନିବାର ବସିବ ନୀତି ଆୟୋଗ ବୈଠକ: ଯୋଗଦେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବ ଓଡିଶା

ନୂଆଦିଲ୍ଲୀ,୨୭/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ହେବାକୁ ଥିବା ନୀତି ଆୟୋଗ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମିଲ ହେବାକୁ ମନା କରିଦେଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍) ମଧ୍ୟ ଯୋଗ ଦେବେନାହିଁ ବୋଲି କହିଛନ୍ତି । ଦିଲ୍ଲୀର ଅଧିକାରୀଙ୍କ ନିଯୁକ୍ତି ଏବଂ ବଦଳି ମାମଲାରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଏ ନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ଚିଠିରେ ସେ ଉଲ୍ଲେଖ କରିଛନ୍ତି, କେନ୍ଦ୍ରର ଅଧ୍ୟାଦେଶକୁ ପୂରା ଦେଶ ବିରୋଧ କରୁଛି । ଯଦି ଖୋଦ୍ ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ରାୟକୁ ମାନୁନାହାନ୍ତି ତେବେ ନ୍ୟାୟ ପାଇଁ ଲୋକେ କେଉଁଠିକି ଯିବେ ବୋଲି ପଚାରୁଛନ୍ତି । ଖୋଲାଖୋଲି ସମ୍ବିଧାନର ଉପହାସ କରାଯାଉଛି । ଏପରିସ୍ଥଳେ ବୈଠକରେ ସାମିଲ ହେବାର କିଛି ବି ମାନେ ନାହିଁ ବୋଲି ଚିଠିରେ ଲେଖାଯାଇଛି ।
ସୂଚନା ଯୋଗ୍ୟ, ଗତ ୧୧ ତାରିଖରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ ଦିଲ୍ଲୀ ଅଧିକାରୀଙ୍କ ନିଯୁକ୍ତି ଏବଂ ବଦଳି ନିୟନ୍ତ୍ରଣ ନିର୍ବାଚିତ ସରକାରଙ୍କ ହାତରେ ରହିବ । କିନ୍ତୁ ଏହି ଅଧିକାର ଉପରାଜ୍ୟପାଳଙ୍କୁ ଦେବା ପାଇଁ କେନ୍ଦ୍ର ସରକାର ଗତ ୨୦ ତାରିଖରେ ଏକ ଅଧ୍ୟାଦେଶ ଜାରି କରିଥିଲେ । କେଜରିୱାଲ ଏହି ଅଧ୍ୟାଦେଶକୁ ବିରୋଧ କରୁଛନ୍ତି ।
ଅନ୍ୟପଟେ ନୀତି ଆୟୋଗ ବୈଠକରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବ ଓଡ଼ିଶା । ପୂର୍ବରୁ ଅନୁଷ୍ଠିତ ତିନୋଟି ନୀତି ଆୟୋଗ ବୈଠକରେ ରାଜ୍ୟ ସରାକର ଏହି ଦାବି କରିଆସିଛନ୍ତି। ଚଳିତ ଥର ଏହି ଦାବିକୁ ଆହୁରି ଶାଣିତ ଏବଂ ବଳିଷ୍ଠ ଢ଼ଙ୍ଗରେ ଉପସ୍ଥାପନ କରିବେ ରାଜ୍ୟ ସରକାର ।