ନୂଆଦିଲ୍ଲୀ,୪।୧୨: ଆଗାମୀ ବର୍ଷରେ, ଆପଣଙ୍କୁ ଟୋଲ ଟ୍ୟାକ୍ସ ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି। କେନ୍ଦ୍ର ସରକାର ଏଥିପାଇଁ ଏକ ନୂତନ ବ୍ୟବସ୍ଥା ଉପରେ କାମ କରୁଛନ୍ତି। ଏହା କାର୍ଯ୍ୟକାରୀ ହେବା ପରେ, କୌଣସି ଯାନକୁ ଟୋଲ୍ ବୁଥ୍ରେ ଟ୍ୟାକ୍ସ ଦେବା ପାଇଁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡ଼କରୀ ଲୋକସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଏକ ବର୍ଷ ମଧ୍ୟରେ ବର୍ତ୍ତମାନର ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଆଗକୁ ଟୋଲ୍ ଟ୍ୟାକ୍ସରେ ଇଲେକ୍ଟ୍ରୋନିକ୍ ପ୍ରଣାଳୀରେ ଦିଆଯାଇ ହେବ। ଏହା ଦ୍ୱାରା ଯାନବାହାନ ଚାଳକମାନେ ସର୍ବାଧିକ ଲାଭ ପାଇବେ।
ଶୀତକାଳୀନ ଅଧିବେଶନରେ ଲୋକସଭାରେ ଗୁରୁବାର ନୀତିନ ଗଡକରୀ କହିଥିଲେ, ନୂତନ ବ୍ୟବସ୍ଥା ୧୦ଟି ସ୍ଥାନରେ ଆରମ୍ଭ ହୋଇଛି। ଆଗାମୀ ଏକ ବର୍ଷ ମଧ୍ୟରେ ଏହାକୁ ସାରା ଦେଶରେ ବିସ୍ତାର କରାଯିବ। ଏହା ଆସିବା ଦ୍ୱାରା ବର୍ତ୍ତମାନର ଟୋଲ୍ ବ୍ୟବସ୍ଥା ଶେଷ ହୋଇଯିବ। ଟୋଲ୍ ନାମରେ ଆପଣଙ୍କୁ ଅଟକାଇବା ପାଇଁ କେହି ରହିବେ ନାହିଁ। ଗୋଟିଏ ବର୍ଷ ମଧ୍ୟରେ ସାରା ଦେଶରେ 'ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ' କାର୍ଯ୍ୟକାରୀ କରାଯିବ। ଗଡକରୀ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସାରା ଦେଶରେ ୧୦ ଲକ୍ଷ କୋଟି ଟଙ୍କାର ୪,୫୦୦ ରାଜପଥ ପ୍ରକଳ୍ପ କାର୍ଯ୍ୟ ଚାଲିଛି।
ନିକଟରେ ଜାରି ସରକାରୀ ବିବୃତ୍ତି ଅନୁଯାୟୀ, ଭାରତର ରାଜପଥରେ ଟୋଲ୍ ସଂଗ୍ରହକୁ ସୁଗମ କରିବା ପାଇଁ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ (NETC) କାର୍ଯ୍ୟକ୍ରମ ବିକଶିତ କରିଛି, ଯାହା ଇଲେକ୍ଟ୍ରୋନିକ୍ ଟୋଲ୍ ଟ୍ୟାକ୍ସ ପାଇଁ ଏକ ସମନ୍ୱିତ, ଆନ୍ତଃ-ପରିଚାଳିତ ପ୍ଲାଟଫର୍ମ। ଲୋକସଭାରେ ଭାଷଣ ଦେଇ ନୀତିନ୍ ଗଡ଼କରୀ ଦିଲ୍ଲୀର ପ୍ରଦୂଷଣ ଉପରେ ମଧ୍ୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାର ବିକଳ୍ପ ଇନ୍ଧନକୁ ପ୍ରାଥମିକତା ଦେଉଛନ୍ତି। ଏପରିକି ସେ ମଧ୍ୟ ଟୟୋଟାର ‘ମିରାଇ’ ହାଇଡ୍ରୋଜେନ୍ ଇନ୍ଧନ-ସେଲ୍ କାର ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଗଡ଼କରୀ କହିଛନ୍ତି, ହାଇଡ୍ରୋଜେନ୍ ହେଉଛି ଭବିଷ୍ୟତର ଇନ୍ଧନ। ମୋ ପାଖରେ ମଧ୍ୟ ଏକ ହାଇଡ୍ରୋଜେନ୍-ଚାଳିତ କାର ଅଛି, ଏବଂ ଏହା ଟୟୋଟାରୁ ଆସିଛି। ଏହା ମର୍ସିଡିଜ୍ ଭଳି ଆରାମଦାୟକ। କାରର ନାମ 'ମିରାଇ', ଏହା ଏକ ଜାପାନୀ ଶବ୍ଦ, ଯାହାର ଅର୍ଥ 'ଭବିଷ୍ୟତ'।’
ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଅକ୍ଟୋବରରେ, କେନ୍ଦ୍ର ସରକାର ଫାସଟ୍ୟାଗ୍ ନଥିବା ଗାଡ଼ି ଚାଳକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଥିଲେ। ଏଥିରେ କୁହାଯାଇଥିଲା ଯେ ଯଦି କୌଣସି ଗାଡ଼ିରେ ଫାସଟ୍ୟାଗ୍ ନାହିଁ କିମ୍ବା ଏହା କାର୍ଯ୍ୟ କାମ କରୁନାହିଁ, ତେବେ ଟୋଲ୍ ପ୍ଲାଜାରେ ନଗଦ ଆକାରରେ ଦୁଇଗୁଣ ଟୋଲ୍ ଟ୍ୟାକ୍ସ ଦେବା ପରିବର୍ତ୍ତେ, ୟୁପିଆଇ ବ୍ୟବହାର କରି ଦେୟ କଲେ କେବଳ ୧.୨୫ ଗୁଣ ଟୋଲ୍ ଟ୍ୟାକ୍ସ ଆଦାୟ କରାଯିବ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଥିଲା। ନଭେମ୍ବର ୧୫ ତାରିଖରୁ ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।