ପାଟନା,୧୪।୧୧: ବିହାରରେ ଏନ୍ଡିଏର ବିପୁଳ ବିଜୟ। ଏନ୍ଡିଏର ଏହି ବିଜୟ ପରେ ଖୁବ୍ ଖୁସି ହୋଇ ଯାଇଛନ୍ତି ନୀତୀଶ କୁମାର। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନଡିଏର ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜିତିବା ପରେ ନୀତୀଶ ଟ୍ବିଟ୍ କରି କହିଛନ୍ତି, ବିହାର ବିଧାନସଭା ନିର୍ବାଚନ ୨୦୨୫ ରେ ରାଜ୍ୟବାସୀ ଆମକୁ ବହୁମତ ଦେଇ ଆମ ସରକାରଙ୍କ ପ୍ରତି ବିଶ୍ବାସ ଦେଖାଇଛନ୍ତି। ଏଥିପାଇଁ ରାଜ୍ୟର ସବୁ ସମ୍ମାନିତ ମତଦାତାଙ୍କୁ ମୋର ହୃଦୟରୁ କୃତଜ୍ଞତା। ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ମିଳିଥିବା ସହଯୋଗ ପାଇଁ ତାଙ୍କୁ ନମନ କରୁଛି।
ନୀତୀଶ କୁମାର କହିଛନ୍ତି, ଏନ୍ଡିଏର ମେଣ୍ଟ ଏହି ନିର୍ବାଚନରେ ପୁରା ଏକଜୁଟତା ଦେଖାଇ ଭାରି ବହୁମତ ହାସଲ କରିଛି। ଏହି ବିପୁଳ ବିଜୟ ପାଇଁ ମେଣ୍ଟର ସବୁ ସାଥୀଙ୍କୁ ଚିରାଗ ପାସଓ୍ବାନ, ଜିତନ ରାମ ମାଝି ଓ ଉପେନ୍ଦ୍ର କୁଶଓ୍ବାହଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଆପଣ ସମସ୍ତଙ୍କ ସହଯୋଗରେ ବିହାର ଆହୁରି ଆଗକୁ ବଢିବ ଏବଂ ବିହାର ଦେଶର ସବୁଠାରୁ ଅଧିକ ବିକଶିତ ରାଜ୍ୟ ଶ୍ରେଣୀରେ ସାମିଲ ହେବ।
ଉଲ୍ଲେଖନୀୟ ଯେ, ବିହାର ବିଧାନସଭା ନିର୍ବାଚନରେ ଏନ୍ଡି ୨୪୩ରୁ ପ୍ରାୟ ୨୦୦ରୁ ଅଧିକ ଆସନରେ ଜିତି ପ୍ରଚଣ୍ଡ ବହୁମତରେ ସରକାର ଗଠନ କରିବାକୁ ଯାଉଛି। ସେଭଳି ପ୍ରାୟ ୯୦ ପ୍ରତିଶତ ଷ୍ଟ୍ରାଇକ୍ ରେଟ୍ ସହ ବିଜେପି ରାଜ୍ୟର ସବୁଠାରୁ ବଡ଼ ପାର୍ଟି ରୂପରେ ଉଭା ହୋଇଛି। ଅନ୍ୟପକ୍ଷେ ମହାମେଣ୍ଟ ୩୫ଟି ଆସନ ଜିତି ସାରିଛି। ଆରଜେଡିର ବହୁ ପ୍ରମୁଖ ନେତା ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ନିର୍ବାଚନ ଜିତି ସାରିଛନ୍ତି।