ଆମେରିକାରେ ଏତିକି କୋଟି ଟଙ୍କାରେ ନିଲାମ ହେଲା ନିଜାମଙ୍କ ହୀରା ମୁଦି, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନ୍ୟୁୟର୍କ,୨୨।୬: ଆମେରିକାର ନ୍ୟୁୟର୍କ ସହରରେ ବୁଧବାର ଭାରତୀୟ ଅଳଙ୍କାରର ନିଲାମ ଉପରେ ହୋଇଛି ଟଙ୍କାର ବର୍ଷା। ଏହି ନିଲାମର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ହାଇଦରାବାଦ ନିଜାମ ମୀର ଉସ୍ମାନ ଅଲ୍ଲୀଙ୍କ ହୀରା ମୁଦି, ହାର ଏବଂ ତଲଓ୍ବାର। ନିଲାମରେ ନିଜରଙ୍କ ସବୁଠାରୁ ଖାସ୍ ୫୨.୫୮ କ୍ୟାରେଟର ହୀରା ମୁଦି ‘ମିରର ଅଫ ପାରାଡାଇଜ’ ୪୫ କୋଟି ଟଙ୍କାରେ ବିକ୍ରି ହୋଇଥିଲା।

କେବଳ ସେତିକି ନୁହେଁ ତାଙ୍କ ଖଣ୍ଡା ୧୩.୪ କୋଟି ଟଙ୍କାରେ ନିଲାମ ହୋଇଛି। ‘ମିରର ଅଫ ପାରାଡାଇଜ’ ମୁଦିରେ ଲାଗିଥିବା ହୀରା ଗୋଲକୁଣ୍ଡାର ବିଶ୍ୱପ୍ରସିଦ୍ଧ ଖାଦାନରୁ ମିଳିଥିଲା। ସେହିପରି ୩୩ଟି ହୀରାକୁ ନେଇ ତିଆରି ହୋଇଥିବା ନିଜାମଙ୍କ ହାର ୧୭ କୋଟି ଟଙ୍କାରେ ନିଲାମ ହୋଇଛି। ଏହି ହାର ୧୦.୫ କୋଟି ଟଙ୍କାରେ ନିଲାମ ହବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଅନୁମାନଠାରୁ ଏହା ଅଧିକ ୬.୫ କୋଟି ଟଙ୍କାରେ ବିକ୍ରି ହୋଇଛି।

ନିଜାମଙ୍କ ୧୭ କ୍ୟାରେଟର ଅର୍କାଟ-୨ ହୀରା ୨୩.୫ କୋଟି ଟଙ୍କାରେ ନିଲାମ ହୋଇଛି। ନିଲାମ ସଂସ୍ଥା କ୍ରିଷ୍ଟ ପକ୍ଷରୁ ଏହି ନିଲାମ ପ୍ରକ୍ରିୟା ସଂଚାଳନ କରାଯାଇଥିଲା। ୧୨ ଘଣ୍ଟା ପର୍ଯ୍ୟନ୍ତ ଏହି ନିଲାମୀ ଚାଲିଥିଲା। ଯେଉଁଥିରେ ଭାରତୀୟ କଳାକୃତି ଏବଂ ମୋଗଲ କାଳର ୪୦୦ଟି ବସ୍ତୁ ୭୫୮ କୋଟି ଟଙ୍କାରେ ନିଲାମ ହୋଇଛି। ଏହି ନିଲାମରେ ଭାରତ ସମେତ ୪୪ଟି ଦେଶର ଲୋକ ସାମିଲ ହୋଇଥିଲେ। କୁହାଯାଉଛି ଯେ, ଏହି ନିଲାମରେ ନିଜାମଙ୍କ ପରିବାର ସହିତ, ଜୟପୁର, ଇନ୍ଦୋର, ବଡ଼ୋଦରାର ରାଜ ପରିବାର ମଧ୍ୟ ଯୋଗ ଦେଇଥିଲେ।