ନୂଆଦିଲ୍ଲୀ,୨୨/୪ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ରାଜଧାନୀରେ ବାୟୁ ପ୍ରଦ୍ୟୁଷଣ ରୋକିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଘୋଷଣା କରିଛନ୍ତି ଯେ, କେବଳ ପ୍ରଦୂଷଣ ନିୟନ୍ତ୍ରଣ (PUC) ପ୍ରମାଣପତ୍ର ଥିବା ଗାଡ଼ି ଗୁଡ଼ିକୁ ଦିଲ୍ଲୀରେ ପେଟ୍ରୋଲ ମିଳିବ। ଫଳରେ ଏହି ପ୍ରମାଣପତ୍ର ବିନା ଗାଡ଼ି ଚାଳକମାନଙ୍କୁ ଆଉ ପେଟ୍ରୋଲ୍ ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏହି ନିର୍ଦ୍ଦେଶ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀରେ ଚାଲିଥିବା ପ୍ରଦୂଷଣ ସଙ୍କଟକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସେ କହିଛନ୍ତି ଯେ ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପ ଅପରେଟର ଏବଂ ଏଜେନ୍ସିଗୁଡ଼ିକୁ ଏହି ସମ୍ବନ୍ଧରେ ନିର୍ଦ୍ଦେଶ ଜାରି କରାଯାଇଛି । ସେମାନଙ୍କୁ ସ୍ପଷ୍ଟ କରାଯାଇଛି ଯେ, ସେମାନେ ଏହାକୁ କଡ଼ାକଡ଼ି ପାଳନ କରିବେ। ଏହି କ୍ଷେତ୍ରରେ କୌଣସି ପ୍ରକାରର ଶିଥିଳତାକୁ ବରଦାସ୍ତ କରାଯିବ ନାହିଁ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଏବେ ବିନା ବୈଧ 'ପ୍ରଦୁଷଣ ନିୟନ୍ତ୍ରଣ ଅନ୍ତର୍ଗତ' ପ୍ରମାଣପତ୍ର ବିନା କୌଣସି ଯାନକୁ ପେଟ୍ରୋଲ, ଡିଜେଲ, ସିଏନଜି କିମ୍ବା ଏଲପିଜି ଭଳି ଇନ୍ଧନ ଯୋଗାଇ ଦିଆଯିବ ନାହିଁ। ବାୟୁ ପ୍ରଦୂଷଣ ଚ୍ୟାଲେଞ୍ଜର ମୁକାବିଲା ପାଇଁ କଡ଼ା ଏବଂ ପ୍ରଭାବଶାଳୀ ପଦକ୍ଷେପ ନେବା ସମୟର ଆବଶ୍ୟକତା । ଆମ ସରକାର ପୂର୍ଣ୍ଣ ପ୍ରତିବଦ୍ଧତା, ଦୃଢ଼ ଇଚ୍ଛାଶକ୍ତି ଏବଂ ଜନସାଧାରଣଙ୍କ ହିତ ପାଇଁ ଏକ ସଂକଳ୍ପ ସହିତ ଏହି ଦିଗରେ ଅକ୍ଲାନ୍ତ ପରିଶ୍ରମ କରୁଛି।"