ଲକ୍ଷ୍ନୌ: ରାଜ୍ୟର ସବୁ ସହରରେ ଲାଗୁ ହୋଇଛି ନୂଆ ନିୟମ । ରାଜ୍ୟ ପରିବହନ ବିଭାଗ ନୂଆ ପଲିସି ଲାଗୁ କରିଛି । ବିନା ହେଲମେଟ୍‌ରେ ଗଲେ ପେଟ୍ରୋଲ୍‌ ପମ୍ପରେ ଉଭୟ ପେଟ୍ରୋଲ ଓ ଡିଜେଲ୍‌ ମିଳିବ ନାହିଁ । ଉତ୍ତର ପ୍ରଦେଶ ପରିବହନ ବିଭାଗ ରବିବାର ପ୍ରତି ସହର ପାଇଁ ‘ନୋ ହେଲମେଟ୍‌, ନୋ ଫ୍ୟୁଲ୍‌’ ପଲିସି ଲାଗୁ କରିଛି । ଏନେଇ ଜାନୁଆରୀ ୮ରେ ପରିବହନ କମିଶନର ବ୍ରଜେଶ ସିଂହ ନୂଆ ପଲିସି ସଂପର୍କରେ ଏକ ବିଜ୍ଞପ୍ତି ଜାରି କରିଥିଲେ । 

ସବୁ ପେଟ୍ରୋଲ ପମ୍ପଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ବିନା ହେଲମେଟରେ ଆସୁଥିବା ବାଇକ୍‌ ଚାଳକଙ୍କୁ ପେଟ୍ରୋଲ୍‌ ଦେବେ ନାହିଁ । ଏପରିକି ପଛରେ ବସିଥିବା ବ୍ୟକ୍ତି ଯଦି ହେଲମେଟ୍‌ ପିନ୍ଧିନଥିବେ ତେବେ ପେଟ୍ରୋଲ ମିଳିବ ନାହିଁ । ସମସ୍ତ ୭୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ଚିଠି ଦିଆଯାଇଛି । ହେଲମେଟ ପିନ୍ଧୁନଥିବା ବାଇକ୍‌ ଚାଳକଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଏହି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । 

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ସଡ଼କ ଦୁର୍ଘଟଣା ପାଇଁ ରାଜ୍ୟରେ ବାର୍ଷିକ ୨୫୦୦୦-୨୬୦୦୦ ଜୀବନ ଯାଉଛି । ବିଶେଷ କରି ବିନା ହେଲମେଟରେ ଗାଡ଼ି ଚଳାଉଥିବା ବାଇକ ଚାଳକଙ୍କ ମୃତ୍ୟୁ ଅଧିକ ହେଉଛି । ତେବେ ଏହି ପଲିସି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କମ୍‌ କରିବା ପାଇଁ ଆସିଛି ।