ପଲିଥିନ୍ କଟକଣା ନା ପ୍ରହସନ ? ସବୁଠି ବେଧଡ଼କ ବିକ୍ରି, କେହି ବି ମାନୁନାହାନ୍ତି…

ଭୁବନେଶ୍ୱର,୮ା୨(ବ୍ୟୁରୋ): ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ପଲିଥିନ୍ ସାମଗ୍ରୀ ଉପରେ ସରକାର କଟକଣା ଲଗାଇଥିଲେ । ରାଜଧାନୀ ସମେତ ୫ଟି ସହରରେ କଟକଣା ଲାଗିଲା । ପଲିଥିନ୍ ସାମଗ୍ରୀର ବିକ୍ରି, ବ୍ୟବହାର, ପରିବହନ ଓ ତିଆରିକୁ ନିଷିଦ୍ଧ ଘୋଷଣା ହେଲା । ପଲିଥିନ୍ ବ୍ୟବହାର ବନ୍ଦ ପାଇଁ ବିଏମ୍ସି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦାୟିତ୍ୱ ନେଲେ । ପଲିଥିନ୍ ବ୍ୟବହାର କଲେ ଜରିମନା ଆଦାୟ କରିବୁ ବୋଲି ବିଏମ୍ସି ବାହାସ୍ପୋଟ ମାରିଲା । ହେଲେ ଏହି ଘୋଷଣା ଏବେ ତୁଚ୍ଛା ପ୍ରହସନ ପାଲଟିଛି । ସହର ସାରା ବେଧଡକ ପଲିଥିନ୍ ସାମଗ୍ରୀ ବିକ୍ରି ଚାଲିଛି । ହାଟ, ବଜାର, ରାସ୍ତାକଡ଼ ଦୋକାନ, ଯୁଆଡ଼େ ଚାହିଁଲେ ପଲିଥିନ୍ କ୍ୟାରି ବ୍ୟାଗ୍ରେ ଦୋକାନୀ ବିନା ସଙ୍କୋଚରେ ସାମଗ୍ରୀ ଦେଉଛନ୍ତି । ଦେଖିଲେ ଲାଗୁଛି ଯେମିତି ପଲିଥିନ୍କୁ ନେଇ ସହରରେ କୌଣସି କଟକଣା ନାହିଁ । ପୂର୍ବରୁ କିଛି ଦିନ ଯାଏ ବିଏମ୍ସି ପଲିଥିନ୍କୁ ନେଇ ସହରରେ ତନାଘନା କରିଥିଲା । ପଲିଥିନ୍ କଟକଣା ମାନୁନଥିବା ଦୋକାନ ଉପରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ନେଇଥିଲା । ଜୋନ୍ସ୍ତରରେ ସ୍କ୍ୱାର୍ଡ ଗଠନ କରି ନିଷିଦ୍ଧ ଘୋଷିତ ପଲିଥିନ୍ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କଠାରୁ ଜରିମାନା ଆଦାୟ ଚାଲିଲା । ପଲିଥିନ୍ କଟକଣାକୁ କାର୍ଯ୍ୟକାରୀ କରିବାକୁ ବିଏମ୍ସିରେ ଘନ ଘନ ବୈଠକ ବସିଲା । ମିଶନ ମୋଡ୍ରେ ବିଏମ୍ସି କାମ ଆରମ୍ଭ କରି ଦେଇଥିଲା । ବିଏମ୍ସିର ତନାଘନା ଦେଖି ଦୋକାନୀମାନେ ବି ଛାନିଆ ହୋଇପଡିଥିଲେ । କିଏ ନିଜ ଆଡୁ ଆଉ କିଏ ଜରିମାନା ଓ କାର୍ଯ୍ୟାନୁଷ୍ଠାନ ଭୟରେ ପଲିଥିନ୍ ସାମଗ୍ରୀ ବିକ୍ରି କରିବା ବନ୍ଦ କରି ଦେଇଥିଲେ । ପଲିଥିନ୍ର ବିକଳ୍ପ ଭାବେ କାଗଜ ଠୁଙ୍ଗା ଓ ଅନ୍ୟ ସାମଗ୍ରୀ ବଜାରକୁ ଆସିଲା ।

ଦୋକାନୀମାନେ ଏହାକୁ ଆପଣାଇବାକୁ ଲାଗିଲେ । ଲୋକେ ବି ଧୀରେ ଧୀରେ ଏହା ସହ ଅଭ୍ୟସ୍ତ ହେଉଥିଲେ । କିନ୍ତୁ ଦିନ କେଇଟା ପରେ ବିଏମ୍ସିର କାର୍ଯ୍ୟାନୁଷ୍ଠାନ ଠପ୍ ହୋଇଗଲା । ପଲିଥିନ୍ ବ୍ୟବହାର କଲେ ଜରିମାନା ସହ ଲାଇସେନ୍ସ ବାତିଲ କରିବ ବୋଲି ବିଏମ୍ସି ଘୋଷଣା କରିଥିଲା । କିନ୍ତୁ ବିଏମ୍ସିର ଏହି ବାହାସ୍ପୋଟ ଉଡ଼ିଗଲା । ଲାଇସେନ୍ସ ବାତିଲ ତ ଦୂର, ଦୋକାନ ଯାଞ୍ଚ ପାଇଁ ଏବେ ବିଏମସି ଅଫିସର ଓ କର୍ମଚାରୀଙ୍କୁ ସମୟ ନାହିଁ । ଆଉ ଏହାର ଫଳ, ଏବେ ସବୁଠି ବେଧଡକ ଭାବେ ପଲିଥିନ୍ ବିକ୍ରି ଓ ବ୍ୟବହାର ପୁଣି ଆରମ୍ଭ ହୋଇଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ଶୋଇପଡ଼ିଛି । ପଲିଥିନ୍ ଉତ୍ପାଦନ ଉପରେ ରୋକ୍ ଲଗାଇବା ହେଉ କି ସହରକୁ ପଲିଥିନ୍ ସାମଗ୍ରୀ କେଉଁଠୁ ଆସୁଛି ତାର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି । ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏହାକୁ ଅତି ହାଲୁକା ଭାବେ ନେଇଛନ୍ତି । ପଲିଥିନ୍ କଟକଣାକୁ କାର୍ଯ୍ୟକାରୀ ପାଇଁ ଆମେ ଡେପୁଟି ଜୋନାଲ ଅଫିସରଙ୍କୁ କହିଛୁ । ଦାୟିତ୍ୱରେ ଥିବା ଅଫିସରମାନେ ନିର୍ବାଚନ ପ୍ରଶିକ୍ଷଣରେ ଯାଇଛନ୍ତି । ସେମାନେ ଆସିଲେ ଆମେ ଯାହା କରିବୁ ବୋଲି ସେ କହିଛନ୍ତି ।