ଚେନ୍ନାଇ,୨୬/୦୧: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ଅଧ୍ୟକ୍ଷ ଏମ୍ କେ ଷ୍ଟାଲିନ୍ ‘ତାମିଲ ଭାଷା ସହିଦ ଦିବସ’ ଉପଲକ୍ଷେ ରବିବାର ରାଜ୍ୟର ଭାଷା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଏ ପ୍ରସଙ୍ଗରେ ଷ୍ଟାଲିନ୍ କହିଛନ୍ତି, ରାଜ୍ୟରେ ହିନ୍ଦୀ ପାଇଁ କୌଣସି ସ୍ଥାନ ନାହିଁ । ଏହାକୁ ଲଦିବାକୁ ଚେଷ୍ଟା କରାଗଲେ ଆମେ ବିରୋଧ କରିବୁ । ତାମିଲ ଭାଷା ପାଇଁ ଆମ ଭଲପାଇବା ଆଦୌ ମରିବ ନାହିଁ । ଯେବେ ବି ହିନ୍ଦୀ ଭାଷାକୁ ଆମ ଉପରେ ଲଦିବା ପାଇଁ ଉଦ୍ୟମ କରାଯାଇଛି, ତାହାର ବିରୋଧ କରାଯାଇଛି । ଆଗକୁ ମଧ୍ୟ ବିରୋଧ ଜାରି ରହିବ ।
ସେ କହିଛନ୍ତି, ମୁଁ ସେହି ସହିଦମାନଙ୍କୁ କୃତଜ୍ଞତାପୂର୍ବକ ସମ୍ମାନ ଜଣାଉଛି, ଯେଉଁମାନେ ତାମିଲ ନିମନ୍ତେ ନିଜ ମୂଲ୍ୟବାନ ଜୀବନ ଉତ୍ସର୍ଗ କରିଥିଲେ । ଭାଷା ଯୁଦ୍ଧରେ ଏବେ ଆଉ କାହାର ଜୀବନ ଯିବନାହିଁ । ମୁଖ୍ୟମନ୍ତ୍ରୀ ଭାଷା ସହିଦ ଦିବସ ଅବସରରେ ‘ଏକ୍ସ’ରେ ହିନ୍ଦୀବିରୋଧୀ ଆନ୍ଦୋଳନ ସହ ଜଡ଼ିତ ଇତିହାସର ଏକ କ୍ଷୁଦ୍ର ଭିଡିଓ ସେୟାର କରିଛନ୍ତି । ଏଥିରେ ୧୯୬୫ରେ ହିନ୍ଦୀ ବିରୋଧରେ ହୋଇଥିବା ସଂଘର୍ଷ ସହ ଜଡ଼ିତ ଫଟୋ ରହିଛି ।