ନୂଆଦିଲ୍ଲୀ: ମେଡିସିନ୍‌ କ୍ଷେତ୍ରରେ ଅତୁଳନୀୟ ଅବଦାନ ଲାଗି ଦୁଇ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର ୨୦୨୪ ପ୍ରଦାନ କରାଯାଇଛି । ଭିକ୍ଟର ଆମ୍ବ୍ରୋସ୍‌ ଏବଂ ଗ୍ୟାରି ରୁବକନଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି  । କ୍ୟାରୋଲିନ୍ସକା ଇନଷ୍ଟିଚ୍ୟୁଟ୍‌ ଅଫ ନୋବେଲ ଏକାଡେମୀ ପକ୍ଷରୁ ସୋମବାର (ଅକ୍ଟୋବର ୭) ଏନେଇ ଘୋଷଣା ହୋଇଛି । ୧୯୦୧ ପରେ ଫିଜିଓଲୋଜି ବା ମେଡିସିନ୍‌ରେ ଏହା ୧୧୫ ତମ ନୋବେଲ ପୁରସ୍କାର । ୨୨୯ ଜଣ ବିଜେତାଙ୍କ ମଧ୍ୟରେ କେବଳ ୧୩ ଜଣ ମହିଳା ମେଡିସନ୍‌ରେ ନୋବେଲ ପୁରସ୍କାର ପାଇଛନ୍ତି । 




ଭିକ୍ଟର ଆମ୍ବ୍ରୋସ୍‌ ଏବଂ ଗ୍ୟାରି ରୁବକନ ମାଇକ୍ରୋ RNA ଆବିଷ୍କାର କରିବା ସହ ପୋଷ୍ଟ ଟ୍ରାନ୍ସକ୍ରିପ୍ସନାଲ୍‌ ଜିନ୍‌ ରେଗୁଲେସନ୍‌ କ୍ଷେତ୍ରରେ ଏହାର ଭୂମିକା ସଂପର୍କରେ ତଥ୍ୟ ହାସଲ କରିଛନ୍ତି ।  ଜିନ୍‌ର କାର୍ଯ୍ୟକଳାପ କିଭଳି ନିୟନ୍ତ୍ରଣ ହେଉଛି ସେନେଇ ଏକ ମୌଳିକ ସିଦ୍ଧାନ୍ତର ଉଦ୍ଭାବନ କରିଛନ୍ତି ଦୁଇ ବୈଜ୍ଞାନିକ ଭିକ୍ଟର ଆମ୍ବ୍ରୋସ୍‌ ଏବଂ ଗ୍ୟାରି ରୁବକନ ।

ଦୁଇ ବୈଜ୍ଞାନିକ ଜିନ୍‌ ରେଗୁଲେସନ୍‌କୁ ନେଇ ନୂଆ ସିଦ୍ଧାନ୍ତ ପାଇଛନ୍ତି ଯାହା, ମଣିଷ ସମେତ ଅନ୍ୟ ବହୁକୋଷୀୟ ଜୀବମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏଥିରୁ ଜଣାପଡ଼ିଛି, ମଣିଷର ଜିନୋମ ଏକ ହଜାରରୁ ଅଧିକ ଏମଆରଏନଏକୁ କୋଡ୍‌ କରିଥାଏ । ଗୋଟିଏ ଜୀବ କିଭଳି କାର୍ଯ୍ୟ କରୁଛି ଏବଂ କିଭଳି ତାର ବୃଦ୍ଧି ହେଉଛି ତାହା ମାଇକ୍ରୋ ଆରଏନଏ ଉପରେ ନିର୍ଭର କରେ ।   

ସୂଚନାଯୋଗ୍ୟ, ୨୦୨୩ରେ କାଟାଲିନ୍‌ କାରିକୋ ଏବଂ ଡ୍ରିଉ ଓ୍ବିଜମ୍ୟାନଙ୍କୁ ମେଡିସିନ୍‌ରେ ନୋବେଲ ପୁରସ୍କାର ମିଳିଥିଲା । କୋଭିଡ ୧୯ ବିରୋଧରେ ପ୍ରଭାବୀ ଏମଆରଏନଏ ଭ୍ୟାକ୍ସିନ୍‌ ଉଦ୍ଭାବନ ଦିଗରେ ସେମାନଙ୍କ ଗବେଷଣା ବେଶ ଚର୍ଚ୍ଚା ସାଉଁଟିଥିଲା । ତେବେ ମେଡିସିନ ବା ପିଜିଓଲୋଜିରେ କ୍ୟାରୋଲିନ୍ସକା ଇଷ୍ଟିଚ୍ୟୁଟ୍‌ ଦ୍ବାରା ନୋବେଲ ପୁରସ୍କାର ପ୍ରଦାନ କରାଯାଏ । ସେହିଭଳି ଫିଜିକ୍ସ (ଭୌତିକ ବିଜ୍ଞାନ) ଏବଂ କେମିଷ୍ଟ୍ରି (ରସାୟନ ବିଜ୍ଞାନ) ଲାଗି ନୋବେଲ ପ୍ରାଇଜ୍‌ ଦି ରୟାଲ ସ୍ବେଡିସ୍‌ ଏକାଡେମୀ ଅଫ ସାଇନ୍ସେସ୍‌ ଦ୍ବାରା ଦିଆଯାଏ ।