ନୂଆଦିଲ୍ଲୀ, ୧୩।୪: ନୋଏଡ଼ାର ଶିଳ୍ପାଞ୍ଚଳରେ ଏବେ ଅସନ୍ତୋଷର ନିଆଁ ଜଳୁଛି । ହଜାର ହଜାର ସଂଖ୍ୟାରେ କାରଖାନା ଶ୍ରମିକ ରାଜପଥକୁ ଓହ୍ଲାଇ ନିଜର ଦୁଃଖ ଓ କ୍ରୋଧ ଜାହିର କରିଛନ୍ତି । ଅଳ୍ପ ଦରମା, ଅତ୍ୟଧିକ କାର୍ଯ୍ୟଭାର ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅମାନୁଷିକ ବ୍ୟବହାର ବିରୋଧରେ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ହାତରେ ପ୍ଲାକାର୍ଡ ଧରି ହଜାର ହଜାର ଶ୍ରମିକ ଶାନ୍ତିପୂର୍ଣ୍ଣ କିନ୍ତୁ ଦୃଢ଼ ସ୍ୱରରେ ନିଜର ଅଧିକାର ପାଇଁ ଦାବି କରିଛନ୍ତି । ପ୍ରଦର୍ଶନକାରୀ ଶ୍ରମିକଙ୍କ କହିବା କଥା ଯେ, ବର୍ତ୍ତମାନର ମହଙ୍ଗା ଯୁଗରେ ସେମାନଙ୍କୁ ମିଳୁଥିବା ଦରମା ସମୁଦ୍ରକୁ ଶଙ୍ଖେ ପରି । ଜଣେ ହେଲ୍ପରଙ୍କୁ ମାତ୍ର ୧୧ ହଜାର ଟଙ୍କା ଏବଂ ଅପରେଟରଙ୍କୁ ପ୍ରାୟ ୧୩,୫୦୦ ଟଙ୍କା ମିଳୁଛି ।

ଏହା ବି ପଢ଼ନ୍ତୁ... ​​​​​​​ଆମେରିକା-ଇରାନ ମଧ୍ୟରେ ଚୁକ୍ତି ପ୍ରସ୍ତୁତ ଥିଲା, କିନ୍ତୁ ନେତନ୍ୟାହୁଙ୍କ ଫୋନ୍ କଲ୍ ସବୁ ବିଗାଡି ଦେଲା: ଇରାନ ବୈଦେଶିକ ମନ୍ତ୍ରୀଙ୍କ ଦାବି

ଗ୍ୟାସ୍ ସିଲିଣ୍ଡର ଖର୍ଚ୍ଚ: ପ୍ରାୟ ୪,୦୦୦ ଟଙ୍କା ।

ଘର ଭଡ଼ା: ୪,୦୦୦ ଟଙ୍କା ।

ବାକି ଖର୍ଚ୍ଚ: ପିଲାଙ୍କ ପାଠପଢ଼ା ଏବଂ ଖାଇବା ଖର୍ଚ୍ଚ ପାଇଁ ପାଖରେ କିଛି ବି ବଞ୍ଚୁନାହିଁ ।

ଶ୍ରମିକମାନେ ଦାବି କରିଛନ୍ତି ଯେ, ୮ ଘଣ୍ଟା କାର୍ଯ୍ୟ ପାଇଁ ସର୍ବନିମ୍ନ ୧୮ ରୁ ୨୦ ହଜାର ଟଙ୍କା ଦରମା ନିର୍ଦ୍ଧାରଣ କରାଯାଉ । ମହିଳା ଶ୍ରମିକମାନେ କମ୍ପାନୀ ଭିତରେ ଚାଲିଥିବା ଶୋଷଣର କରୁଣ କାହାଣୀ ଶୁଣାଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, କାମର ଟାର୍ଗେଟ ପୂରଣ କରିବା ଚକ୍କରରେ ଶ୍ରମିକଙ୍କୁ ପାଣି ପିଇବା କିମ୍ବା ଶୌଚାଳୟ ଯିବାକୁ ମଧ୍ୟ ଅନୁମତି ମିଳୁନାହିଁ । ସାମାନ୍ୟ ଭୁଲ୍ କିମ୍ବା ବିରୋଧ କଲେ ଅଧିକାରୀମାନେ ଅଶ୍ଳୀଳ ଗାଳିଗୁଲଜ ଏବଂ ଦୁର୍ବ୍ୟବହାର କରୁଛନ୍ତି । ଅନେକ ଶ୍ରମିକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଜବରଦସ୍ତି ରାତିରେ କାମ କରାଯାଉଛି । କିଛି ସ୍ଥାନରେ ତ ଶ୍ରମିକଙ୍କୁ ଜବରଦସ୍ତି ମଦ ପିଆଇ କାମ କରାଯାଉଥିବା ଭଳି ସଂଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଶ୍ରମିକମାନେ କହିଛନ୍ତି ଯେ ସେମାନଙ୍କୁ ୯ରୁ ୧୦ ଘଣ୍ଟା କାମ କରାଯାଉଛି, କିନ୍ତୁ ଓଭରଟାଇମ୍‌ର ଉଚିତ୍ ପ୍ରାପ୍ୟ ଦିଆଯାଉ ନାହିଁ ।

କମ୍ପାନୀର ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦରମା ବର୍ଷକୁ ହଜାର ହଜାର ଟଙ୍କା ବଢୁଥିବା ବେଳେ, ଶ୍ରମିକଙ୍କ ପାଇଁ ମାତ୍ର ୧୦୦ ରୁ ୨୦୦ ଟଙ୍କା ବୃଦ୍ଧି କରାଯାଉଛି । ହେଲ୍ପରଙ୍କ ପାଇଁ ସର୍ବନିମ୍ନ ୧୫,୦୦୦ ଏବଂ ଅନ୍ୟଙ୍କ ପାଇଁ ୨୦,୦୦୦ ଟଙ୍କା ଦରମା । ଓଭରଟାଇମ୍ ପାଇଁ ଦୁଇଗୁଣା ଅର୍ଥ ପ୍ରଦାନ । କାର୍ଯ୍ୟକ୍ଷେତ୍ରରେ ସମ୍ମାନଜନକ ବ୍ୟବହାର ଏବଂ ସମାନ ଦରମା ନୀତି । ବର୍ତ୍ତମାନ ସୁଦ୍ଧା ସେହି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଶ୍ରମିକମାନେ ସ୍ପଷ୍ଟ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ମିଳିନାହିଁ, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଥମିବ ନାହିଁ । ପ୍ରଶାସନ ଏବଂ କମ୍ପାନୀ ମାଲିକଙ୍କ ନୀରବତା ଏହି ଅସନ୍ତୋଷକୁ ଆହୁରି ବଢ଼ାଇବାରେ ଲାଗିଛି ।