କେହି ଜଣେ ବି ଭୋକିଲା ପେଟରେ ନ ଶୁଅନ୍ତୁ, ସମାଜର ଶେଷ ବ୍ୟକ୍ତି ନିକଟରେ ଖାଦ୍ୟ ପହଞ୍ଚାଇବା ସରକାରଙ୍କ କର୍ତ୍ତବ୍ୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୦୬/ ୧୨: ଭାରତର ସଂସ୍କୃତି ଏବଂ ପରମ୍ପରା ହିଁ ବିଶ୍ବ ଦରବାରରେ ଆମକୁ ସ୍ବତନ୍ତ୍ର ପରିଚୟ ଦେଇଛି । ଆମ ଏକତା ଏବଂ ଅଖଣ୍ଡତା ବିଶ୍ବକୁ ପରିବ୍ୟାପ୍ତ । ତେଣୁ ଏହାକୁ ବଜାର ରଖିବା ମଧ୍ୟ ଆମର କର୍ତ୍ତ୍ୟବ । ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମେ ମର୍ମସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି ସୁପ୍ରିମକୋର୍ଟ ।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ‘ଆମ ଦେଶର ସଂସ୍କୃତି ହେଉଛି କେହି ଜଣେ ବି ଯେମିତି ଖାଲି ପେଟରେ ନଶୁଅନ୍ତି ତାହା ସୁନିଶ୍ଚିତ କରିବା ଆଉ ତାହା କେନ୍ଦ୍ର ସରକାରଙ୍କ ଦାୟିତ୍ବ’। ମଙ୍ଗଳବାର ଏ ନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (National Food Security Act) ଅନୁଯାୟୀ ସମାଜରେ ଥିବା ଶେଷ ଲୋକଟି ପାଖରେ ଯେପରି ଖାଦ୍ୟ ପହଞ୍ଚେ ଏବଂ କେହି ଯେମିତି ଖାଲି ପେଟରେ ନ ଶୋଇବେ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ରକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।
ଜଷ୍ଟିସ୍ ଏମ୍.ଆର୍. ଶାହ ଏବଂ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏ ବାବଦରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏକ ତାଜା ରିପୋର୍ଟ ଚାର୍ଟ ପ୍ରଦାନ କରିବାକୁ କହିଛନ୍ତି । ଇ-ଶ୍ରମ ପୋର୍ଟାଲରେ କେତେ ସଂଖ୍ୟକ ଶରଣାର୍ଥୀ ଏବଂ ଅସଂଗଠିତ କ୍ଷେତ୍ରର କର୍ମଚାରୀ ପଞ୍ଜିକରଣ କରାଇଛନ୍ତି ତାହାର ମଧ୍ୟ ତାଜା ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବେଞ୍ଚ ।
କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବେଞ୍ଚ କହିଛନ୍ତି, ‘ଆମେ ଏହା କହୁନାହୁଁ ଯେ କେନ୍ଦ୍ର ସରକାର କିଛି କରୁନାହାନ୍ତି । କରୋନା ମହାମାରୀ ସମୟରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ସରକାର କରିଥିବା ପ୍ରୟାସ ପ୍ରଶଂସନୀୟ । ତେଣୁ ଏହା ଯେପରି ଜାରି ରୁହେ ତାହା ଦେଖିବାକୁ ପଡିବ । ଏହା ଆମର ସଂସ୍କୃତି ଯେ, କେହି ଯେପରି ଖାଲି ପେଟରେ ନଶୋଇବେ ତାହା ସୁନିଶ୍ଚିତ କରିବା’।
୩ ଜଣ ସାମାଜିକ କର୍ମୀ ଏ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଅଞ୍ଜଳି ଭରଦ୍ବାଜ, ହର୍ଷ ମନ୍ଦେର ଏବଂ ଜଗଦୀପ ଛୋକର ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ମାଧ୍ୟମରେ ଫାଇଲ କରିଥିଲେ । ଆଡଭୋକେଟ୍ ପ୍ରଶାନ୍ତ ଭୂଷଣ କହିଛନ୍ତି, ୨୦୧୧ ଜନଗଣନା ପରେ ଭାରତର ଜନସଂଖ୍ୟା ବୃଦ୍ଧି ପାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅଧିନରେ ଥିବା ଲାଭାର୍ଥୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛି।
ପ୍ରଶାନ୍ତ ଭୂଷଣ କୋର୍ଟଙ୍କୁ କହିଛନ୍ତି, ‘ସରକାର ଦାବି କହୁଛନ୍ତି ଯେ ଗତ କିଛି ବର୍ଷ ହେଲା ଜନସାଧାରଣଙ୍କ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଛି । କିନ୍ତୁ ବିଶ୍ବ କ୍ଷୁଧା ସୂଚକାଙ୍କ (global hunger index)ରେ ଭାରତ ଦ୍ରୁତ ଗତିରେ ନିମ୍ନଗାମୀ ହେଉଛି’।