ପିୟୋଂୟାଙ୍ଗ,୧୦/୦୫: ଉତ୍ତର କୋରିଆ ତାର ପରମାଣୁ ନୀତିରେ ପରିବର୍ତ୍ତନ କରିଛି । ପରିବର୍ତ୍ତିତ ନୀତି ଅନୁସାରେ ଦେଶର ନେତା କିମ୍ ଜଙ୍ଗ-ଉନ୍ଙ୍କ ଉପରେ ଯଦି କୌଣସି ବିଦେଶୀ ଶକ୍ତି ଆକ୍ରମଣ କରେ କିମ୍ବା ତାଙ୍କୁ ହତ୍ୟା କରାଯାଏ ତେବେ ତୁରନ୍ତ ସେହି ଦେଶ ଉପରେ ପରମାଣୁ ଆକ୍ରମଣ କରାଯିବ । ଏଥିପାଇଁ ସମ୍ବିଧାନରେ ଆଇନଗତ ବ୍ୟବସ୍ଥା କରାଯାଇଛି । ଗତ ମାର୍ଚ୍ଚ ୨୨ରେ ଅନୁଷ୍ଠିତ ଉତ୍ତର କୋରିଆର ସଂସଦ ଅଧିବେଶନରେ ଏହି ସମ୍ବିଧାନ ସଂଶୋଧନ ବ୍ୟବସ୍ଥାକୁ ସ୍ୱୀକୃତି ଦିଆଯାଇଛି । ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ (ଏନ୍ଆଇଏସ୍) ପକ୍ଷରୁ ଦକ୍ଷିଣ କୋରିଆକୁ ନିକଟରେ ଏହି ସୂଚନା ଦିଆଯାଇଛି ।
ସଂଶୋଧିତ ଆଇନ ଅନୁସାରେ କିମ୍ଙ୍କ କମାଣ୍ଡରେ ରହିବ ଦେଶର ପରମାଣୁ ଅସ୍ତ୍ର । ଦେଶର ପରମାଣୁ ଆଇନର ଧାରା ୩ ଅନୁସାରେ ଯଦି କୌଣସି ବାହ୍ୟ ଶତ୍ରୁ ଯୋଗୁ ଦେଶର ପରମାଣୁ ଶକ୍ତି କିମ୍ବା ଏହାର କମାଣ୍ଡ-ଆଣ୍ଡ-କଣ୍ଟ୍ରୋଲ ସିଷ୍ଟମ ବିପଦରେ ପଡେ ତେବେ ସ୍ୱତଃପ୍ରବୃତ୍ତ ଭାବେ ତଥା ତତ୍କାଳ ପରମାଣୁ ଆକ୍ରମଣ କରାଯିବ । ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସୁପ୍ରିମଲିଡର ଆୟତୋଲା ଅଲି ଖାମେନେଇ ଓ ଅନ୍ୟ ଶୀର୍ଷ ନେତାମାନେ ପ୍ରାଣ ହରାଇବାର କିଛିଦିନ ପରେ ଉତ୍ତର କୋରିଆ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ଅଧିକ ପଢ଼ନ୍ତୁ :- Iran warns US: 'ହୋର୍ମୁଜ ମାମଲାରେ ଦଖଲ ଦେଲେ ଭୟଙ୍କର ଯୁଦ୍ଧ'; ଆମେରିକାକୁ ଇରାନର ଚେତାବନୀ, ଜାଣନ୍ତୁ କଣ କହିଲେ ଟ୍ରମ୍ପ ?