ନୂଆଦିଲ୍ଲୀ, ୨୭/୦୩ ; ଉତ୍ତର କୋରିଆର ଗୁପ୍ତଚରମାନେ ଅନ୍ୟ ଦେଶରେ ଚାକିରି ଖୋଜୁଛନ୍ତି । ଆଇଟି ଇଞ୍ଜିନିୟର ହୋଇ ସୁରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ଚୋରି କରୁଛନ୍ତି । ଏହିଭଳି ଭାବେ ଉତ୍ତର କୋରିଆ ପାଶ୍ଚାତ୍ୟ ରକ୍ଷା କମ୍ପାନିଙ୍କ ପାଇଁ ଏକ ବଡ଼ ସାଇବର ବିପଦ ରୂପେ ଉଭା ହୋଇଛି । ଗୁଗଲ୍‌ର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି, ଉତ୍ତର କୋରିଆର ହ୍ୟାକର୍‌ ନକଲି ଚାକିରି ପ୍ରସ୍ତାବର ଉପଯୋଗ କରି କମ୍ପାନିରେ ପ୍ରବେଶ କରୁଛନ୍ତି । ଏକ ଗୁଇନ୍ଦା ରିପୋର୍ଟ ଏହି ଚେତାବନୀ ଦେଇଛି । ଅନୁମାନ ଯେ ନକଲି ପରିଚୟ ଜରିଆରେ କିମ୍‌ ଜଙ୍ଗ ଉନ୍‌ଙ୍କର ଏହି ଗୁପ୍ତଚରମାନେ ଆମେରିକାର ୧୦୦ରୁ ଅଧିକ କମ୍ପାନିରେ କାମ କରୁଛନ୍ତି ।

ବୈଶ୍ୱିକ ପ୍ରତିରକ୍ଷା ଚୁକ୍ତି ଓ ଯୋଗାଣ ଶୃଙ୍ଖଳାକୁ ଟାର୍ଗେଟ୍‌

ଗୁଗଲ୍‌ ଥ୍ରେଟ୍‌ ଇଣ୍ଟେଲିଜେନ୍ସର ରିପୋର୍ଟ ଅନୁସାରେ, ଏହି ଗୁପ୍ତଚରମାନଙ୍କୁ ଚାକିରି ଦେବାରେ ସାହାଯ୍ୟ କରିଥିବା ଆମେରିକୀୟଙ୍କ ବିଷୟରେ ମଧ୍ୟ ଖବର ମିଳିଛି । ସେମାନଙ୍କୁ ଯାଞ୍ଚ ପରିସରଭୁକ୍ତ କରାଯାଇଛି । ପାଶ୍ଚାତ୍ୟ କମ୍ପାନି ଏମାନଙ୍କୁ କାମରେ ରଖିବା ପରେ ଏମାନେ ଏଆଇ, ଡିପ୍‌ଫେକ ଓ ଲାପ୍‌ଟପ୍‌ କମ୍ପାନିଗୁଡ଼ିକୁ ଉପଯୋଗ କରି ତଥ୍ୟ ଚୋରି ସମେତ ଗୁଇନ୍ଦାଗିରି କରୁଛନ୍ତି । ଗୁଗଲ୍‌ ଅଧ୍ୟୟନକର୍ତ୍ତା ଜାଣିବାକୁ ପାଇଛନ୍ତି, ଉତ୍ତର କୋରିଆ ଗୁପ୍ତଚରମାନେ ୨୦୧୯ରୁ ଏହି ରଣନୀତି ଆପଣାଉଛନ୍ତି । ‘ବିୟଣ୍ଡ ଦ ବ୍ୟାଟଲଫିଲ୍ଡ: ଥ୍ରେଟ୍‌ ଟୁ ଡିଫେନ୍ସ ଇଣ୍ଡଷ୍ଟ୍ରିୟଲ ବେସ୍‌’ ଶୀର୍ଷକ ଏହି ରିପୋର୍ଟ ବୈଶ୍ୱିକ ପ୍ରତିରକ୍ଷା ଚୁକ୍ତି ଓ ଯୋଗାଣ ଶୃଙ୍ଖଳାକୁ ଟାର୍ଗେଟ୍‌ କରୁଥିବା ଉତ୍ତର କୋରିଆର ସାଇବର ଅଭିଯାନର ବିପଦ ପ୍ରତି ଇଙ୍ଗିତ କରିଛି । ଗୁଗଲ୍‌ ରିପୋର୍ଟ ଅନୁସାରେ, ୨୦୧୯ରୁ ଡେମୋକ୍ରାଟିକ୍‌ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ କୋରିଆ ଦ୍ୱାରା ପାରମ୍ପରିକ ନେଟ୍‌ୱର୍କ ଅନୁପ୍ରବେଶ ବିପଦ ସମେତ ଆଇଟି କର୍ମଚାରୀଙ୍କ ମାଧ୍ୟମରେ ଅନ୍ତରୀଣ ଅନୁପ୍ରବେଶ ମଧ୍ୟ ବଢ଼ିବା ଆରମ୍ଭ ହୋଇଛି । ରକ୍ଷା ସମ୍ବନ୍ଧୀୟ ସଂଗଠନଗୁଡ଼ିକରେ ଆଇଟି କର୍ମଚାରୀମାନେ ଚାକିରି ପାଇଁ ଆବେଦନ କରୁଥିବାର ପ୍ରମାଣ ମିଳିଛି ।

ଗୁଗଲ୍‌ ଅନୁସାରେ, ଆମେରିକୀୟ ନ୍ୟାୟ ବିଭାଗ ଜୁନ୍‌ ୨୦୨୫ରେ ଏକ ଅଭିଯାନ ଆରମ୍ଭ କରିଥିଲା । ସେଥିରେ ୧୬ ରାଜ୍ୟରେ ସ୍ଥିତ ୨୯ ସନ୍ଦିଗ୍ଧ ଲାପ୍‌ଟପ୍‌ କମ୍ପାନିର ତଲାସି ନିଆଯାଇଥିଲା । ଏଥିରେ ଜଣେ ଆମେରିକୀୟ ଦଲାଲଙ୍କୁ ଗିରଫ କରାଗଲା ଏବଂ ୮ ଅନ୍ତର୍ଜାତୀୟ ଦଲାଲଙ୍କ ବିରୋଧରେ ଅଭିଯୋଗ ଦାଖଲ ହେଲା । ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ୫୦୦ ଫର୍ଚ୍ୟୁନ କମ୍ପାନି ସମେତ ୧୦୦ରୁ ଅଧିକ ଆମେରିକୀୟ କମ୍ପାନିରେ ସଫଳତାପୂର୍ବକ ଆଉଟ୍‌ସୋର୍ସ ଚାକିରି ପ୍ରାପ୍ତ କରିଥିଲେ । ଗୋଟିଏ ମାମଲାରେ ଆଇଟି କର୍ମଚାରୀମାନେ କାଲିଫର୍ଣ୍ଣିଆ ସ୍ଥିତ ଜଣେ ରକ୍ଷା ଠିକାଦାରଙ୍କଠୁ ସମ୍ବେଦନଶୀଳ ତଥ୍ୟ ଚୋରି କରିଥିଲେ । ଏଥିସହ ୨୦୨୫ରେ ମେରିଲାଣ୍ଡ ବାସିନ୍ଦା କୁଓଙ୍ଗ ଭୋଙ୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ଉତ୍ତର କୋରିଆର ଆଇଟିଡବ୍ଲ୍ୟୁ ଯୋଜନାକୁ ସୁବିଧାଜନକ କରିବାରେ ଭୂମିକା ପାଇଁ ୧୫ ମାସ ଜେଲ ଦଣ୍ଡ ହେଲା ।

ଏହି ଖବରଟିକୁ ପଢନ୍ତୁ- ହୋର୍ମୁଜ ପ୍ରଣାଳୀକୁ ଅବରୋଧ କରିଥିବା ବ୍ୟକ୍ତିକୁ ହତ୍ୟା କରିଛୁ , ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପିଏମ୍ ନେତନ୍ୟାହୁଙ୍କ ବଡ଼ ଘୋଷଣା