ନୂଆଦିଲ୍ଲୀ,୨୮।୪: ଉତ୍ତର କୋରିଆର ସୈନିକ ରୁଷ ସହିତ ମିଶି ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢୁଛି। ତେବେ ପ୍ରକୃତ କଥା ଯଦି କହିବା ତେବେ ଉତ୍ତର କୋରିଆର ସୈନିକ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ବି ପ୍ରସ୍ତୁତ। ଯଦି ପରିସ୍ଥିତି ଏପରି ହୁଏ ଯେ ଶତ୍ରୁ ସେମାନଙ୍କୁ ଧରିବାକୁ ଯାଏ, ତେବେ ସେମାନେ ନିଜକୁ ନିଜେ ବିସ୍ଫୋରଣ କରି ଉଡାଇ ଦେବେ। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ନିଜେ ଏନେଇ ସୂଚନା ଦେଇଛନ୍ତି। ଏହା ସହ ସେ ନିଜ ଦେଶର ସୈନିକଙ୍କର ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ସରକାରୀ ମିଡିଆ ସୁତ୍ରରୁ କୁହାଯାଇଛି ଯେ, କିମ୍ ଜୋଙ୍ଗ ସୈନିକଙ୍କୁ ନାୟକ ବୋଲି କହିଛନ୍ତି। ଏହା ସହ କହିଛନ୍ତି, ସେମାନେ ସାହାସ ଦେଖାଇ ଶତ୍ରୁ ହାତରେ ପଡିବା ମାତ୍ରେ ନିଜେ ବମ୍‌ରେ ଉଡାଇ ବୀରତ୍ବପୂର୍ଣ୍ଣ ମୃତ୍ୟୁ ପ୍ରାପ୍ତ କରୁଛନ୍ତି।

ଉଲ୍ଲେଖନୀୟ ଯେ, ପ୍ୟୋଙ୍ଗୟାଙ୍ଗରେ ରୁଷର ଯୁଦ୍ଧରେ ଶହୀଦ ହୋଇଥିବା ଉତ୍ତର କୋରିଆର ସୈନିକଙ୍କ ସମ୍ମାନରେ ଏକ ସ୍ମାରକ ସଂଗ୍ରାହାଳୟ ଉଦଘାଟନ କରାଯାଇଥିଲା। ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ ଓ ରୁଷ ପ୍ରତିରକ୍ଷା ମନ୍ତ୍ରୀ ଏଣ୍ଡ୍ରି ବେଲାସୋଭ ମିଳିତ ଭାବରେ ଏହି ସଂଗ୍ରାହାଳୟର ଉଦଘାଟନ କରିଛନ୍ତି। ସମାରୋହ ବେଳେ ସାମରିକ ଜେଟ୍ ବିମାନ ଆକାଶରେ ଉଡାର ଭରୁଥିଲା ଓ ଧଳା ରଙ୍ଗର ବେଲୁନ୍ ଛଡାଯାଇଥିଲା। ରୁଷ ପକ୍ଷରୁ ଷ୍ଟେଟ୍ ଡ୍ୟୁମାର ଅଧ୍ୟକ୍ଷ ଭ୍ୟୋଚେସ୍ଳାଭା ଭୋଲିଡିନ୍ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ କିମ୍ ଜୋଙ୍ଗ ଶହୀଦ ସୈନିକଙ୍କୁ ପୁଷ୍ପ ଅର୍ପିତ କରିଥିଲେ ଓ ଅତିଥି ପୁସ୍ତିକାରେ ସାକ୍ଷର କରିଥିଲେ।

ଉଲ୍ଲେଖନୀୟ ଯେ, ଉତ୍ତର କୋରିଆା ଓ ରୁଷ ମଧ୍ୟରେ ୨୦୨୪ ରେ ଏକ ବ୍ୟାପକ ସାମରିକ ଚୁକ୍ତି ହୋଇଥିଲା। ଏଥିରେ ପାରସ୍ପାରିକ ପ୍ରତିରକ୍ଷା ନିୟମ ରହିଛି। ୨୦୨୫ ରେ ଦୁଇ ଦେଶ ଘୋଷଣା କରିଥିଲେ ଯେ, ତାଙ୍କ ସୈନିକ ରୁଷର କୁର୍ସ୍କରେ ୟୁକ୍ରେନର ଅନୁପ୍ରବେଶକୁ ରୋକିବା ପାଇଁ ମିଳିତ ରୂପରେ ଯୁଦ୍ଧରେ ସାମିଲ ହେବେ। ଏହି ଯୁଦ୍ଧରେ ପ୍ରାୟ ୧୫୦୦୦ ସୈନିକଙ୍କୁ ପଠାଯାଇଥିଲା, ତାଙ୍କ ଭିତରୁ ୨୦୦୦ ସୈନିକଙ୍କ ମୃତ୍ୟୁ ହୋଇସାରିଛି। ତେବେ ଦୁଇ ଦେଶ ଏନେଇ କୌଣସି ଔପଚାରିକ ଘୋଷଣା କରିନାହାନ୍ତି।