ନୂଆଦିଲ୍ଲୀ ୧୧/୧୦:  ଉତ୍ତର କୋରିଆରେ ଯଦି ଆପଣଙ୍କ ଖାଦ୍ୟ ଥାଳିରେ ବାଘ ମାଂସ  ପରସାଯାଏ, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ  ଏଠାରେ ଲୋକେ ଏବେ ବାଘ, ଭାଲୁ ଓ ଓଧ ଭଳି ଜନ୍ତୁଙ୍କୁ ଭୋଜନ ପାଇଁ ଶିକାର କରୁଛନ୍ତି । ସଉକ ଭାବେ ଏମାନଙ୍କର  ଶିକାର କରାଯାଉଛି ବୋଲି ଯଦି ଭାବୁଛନ୍ତି, ତାହା ଆଦୌ  ନୁହେଁ । ଯେଉଁ ଜନ୍ତୁଙ୍କ ମାଂସ ଖାଇବାଯୋଗ୍ୟ ନୁହେଁ, ଲୋକେ ବାଧ୍ୟହୋଇ ସେମାନଙ୍କୁ ମାରି ଖାଉଛନ୍ତି ।

ଉତ୍ତର କୋରିଆବାସୀ କ୍ଷୁଧାର ଜ୍ୱାଳା ସହିପାରୁନାହାନ୍ତି ।  ସେଥିପାଇଁ ବାଘ ଓ ଭାଲୁ ଭଳି ଜନ୍ତୁଙ୍କୁ ରାନ୍ଧି ଖାଉଛନ୍ତି । ଏଠାରେ ଲୋକେ ଅନେକ ବର୍ଷ ହେଲା ଦୁର୍ଭିକ୍ଷ ସହ ସଂଘର୍ଷ କରୁଛନ୍ତି ।  ଉତ୍ତର କୋରିଆ ସୁପ୍ରିମୋ କିମ୍‌ ଜଙ୍ଗ-ଉନ୍‌ ବିଳାସପୂର୍ଣ୍ଣ ଜୀବନ  ନିର୍ବାହ କରୁଛନ୍ତି । କିନ୍ତୁ ଦେଶବାସୀଙ୍କୁ ଭୋକରେ ରଖିଛନ୍ତି,  ଯେଉଁଥିପାଇଁ ସେ ସର୍ବଦା ଲୋକଙ୍କ ଆକ୍ରୋଶର ଶିକାର  ହେଉଛନ୍ତି । ଏଠାରେ ରାଜ୍ୟ ବ୍ୟବସ୍ଥା ଧ୍ୱସ୍ତ ହୋଇସାରିଛି । ଖାଦ୍ୟ  ସଙ୍କଟ ଚରମରେ ପହଞ୍ଚିଛି । ଏହି ସ୍ଥିତିରେ ବିଲୁପ୍ତିର ଦ୍ୱାରରେ  ଥିବା ଦୁର୍ଲଭ ଜନ୍ତୁଙ୍କ ଶିକାର କରିବାକୁ ମଧ୍ୟ ଲୋକେ ପଛାଉ  ନାହାନ୍ତି । ଦେଶରୁ ବାହାରିଥିବା ୪୨ ଜଣଙ୍କ ସହ ଆଲୋଚନା  ପରେ ଏହି ଚିତ୍ର ସାମ୍ନାକୁ ଆସିଛି । ଏମାନେ ସାହସ ଜୁଟାଇ ଏକଛତ୍ରବାଦ ଶାସନାଧୀନ ନିଜ ଦେଶର ଜୀବନସ୍ତର ବିଷୟରେ  ଗଣମାଧ୍ୟମକୁ କହିଛନ୍ତି । ୟୁନିଭର୍ସିଟି କଲେଜ ଲଣ୍ଡନର ଜୋଶୁଆ  ଏଲ୍‌ଭେସ-ପାୱେଲ ଗଣମାଧ୍ୟମକୁ କହିଛନ୍ତି, ଶୁଣିବାକୁ ଅଜବ  ଲାଗିପାରେ । କିନ୍ତୁ ଉତ୍ତର କୋରିଆରେ ଖିଆ ଯାଉନଥିବା ସମସ୍ତ  ଛୋଟ-ବଡ଼ ଜନ୍ତୁଙ୍କର ଶିକାର କରାଯାଉଛି । ଦେଶରେ ବିତରଣ  ପ୍ରଣାଳୀ ଧ୍ୱସ୍ତ ହେବା ପରେ ଜନ୍ତୁଙ୍କର ବ୍ୟାପକ ଶିକାର ଆରମ୍ଭ  ହୋଇଛି । ଏଥିରେ ସର୍ବାଧିକ ବାଘ ଶିକାର କରାଯାଉଛି, ତାହା  ପୁଣି କେବଳ ଭୋଜନ ପାଇଁ ।  

୧୯୯୦ ଦଶକ ପରେ ପ୍ରଥମ ଥର ଦୁର୍ଭିକ୍ଷ ଯୋଗୁ  ଉତ୍ତର କୋରିଆବାସୀ ଦ୍ୱିପ୍ରହର ଭୋଜନ ନ ପାଇଁ ଭୋକରେ  ରହୁଛନ୍ତି । ଏଠାରେ ଭୋକରେ ଥିବା ସ୍ଥାନୀୟ ଲୋକଙ୍କ ପାଇଁ  ଦୁର୍ଲଭ ପ୍ରଜାତି ଯଥା- ସାଇବେରିଆ ବାଘ, ଅମୂର ଚିତାବାଘ  ଓ ସେବଲ ଆଦି (ଏକ ପ୍ରକାର ନେଉଳ) ଖାଦ୍ୟ ପାଲଟିଛନ୍ତି ।  ରାତ୍ରିଭୋଜନରେ ପରସା ଯାଉଥିବା ଅନ୍ୟ ଜନ୍ତୁଙ୍କ ମଧ୍ୟରେ  ଭାଲୁ, ଓଧ, ହରିଣ ଓ ଲମ୍ବା ଲାଞ୍ଜଯୁକ୍ତ ଗୋରଲ (ଛେଳି  ଭଳି ଜନ୍ତୁ) ସାମିଲ । ଏପରିକି କୋକିଶିଆଳି, ବେଜର ମଧ୍ୟ  ଏମାନଙ୍କ ଭୋଜନରେ ସାମିଲ ହୋଇଛନ୍ତି ।