ନୂଆଦିଲ୍ଲୀ, ୦୧/୦୬: ଉତ୍ତରପୂର୍ବ  ଭାରତରେ ପ୍ରବଳ ବର୍ଷା ଲାଗି ରହିଛି ।  ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ,  ମିଜୋରାମ, ସିକ୍କିମରେ ବନ୍ୟା ସ୍ଥିତି ସୃଷ୍ଟି  ହୋଇଛି । ଗତ ୨ ଦିନରେ ଏଠାରେ ୩୦  ଜଣଙ୍କ ମୃତ୍ୟୁ ଘଟିଲାଣି । କେବଳ ୨୨ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ  ମଧ୍ୟରେ ଭୂସ୍ଖଳନ ଯୋଗୁ ଆସାମରେ  ୯ ଜଣଙ୍କ ମୃତ୍ୟୁ ଘଟିଛି । ବନ୍ୟାଯୋଗୁ ୧୦  ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଅରୁଣାଚଳ ପ୍ରଦେଶରେ ଅଚାନକ  ବନ୍ୟା-ଭୂସ୍ଖଳନ କାରଣରୁ ୭ ଜଣଙ୍କ ମୃତ୍ୟୁ  ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ପରିବାରର  ସଦସ୍ୟ ଅଛନ୍ତି । ପୂର୍ବ କାମେଙ୍ଗ ଜିଲ୍ଲାରେ  ୧୩ ନମ୍ବର ଜାତୀୟ ରାଜପଥର ବାନାସେପ୍ପା ସେକ୍ସନରେ ଶୁକ୍ରବାର ବିଳମ୍ବିତ ରାତିରେ ଭୂସ୍ଖଳନ ହୋଇଥିଲା । ଏଥିରେ  ଏହି ଦୁଇ ପରିବାରର ଗାଡ଼ି ଖାଇକୁ  ଖସିପଡ଼ିଥିଲା ।

ସେହିଭଳି ମିଜୋରାମରେ ୪  ଓ ମେଘାଳୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।  ସେହିପରି ଭୂସ୍ଖଳନ, ପାହାଡ଼  ଅତଡ଼ା ଖସିବା ଆଦି କାରଣରୁ ଗତକାଲି  ମେଘାଳୟରେ ୩, ଅରୁଣାଚଳ ପ୍ରଦେଶରେ  ୨ ଏବଂ ମିଜୋରାମ, ନାଗାଲାଣ୍ଡ ଓ ତ୍ରିପୁରାରେ  ଜଣେ ଲେଖାଏଙ୍କ ମୃତ୍ୟୁ ହୋଇଥିଲା । ମିଜୋରାମର ଲାଙ୍ଗ୍‌ଟଲାଇ ସହରରେ ଭୂସ୍ଖଳନ  ଯୋଗୁ ୫ ଘର ଏବଂ ଏକ ହୋଟେଲ ଭାଙ୍ଗି  ଯାଇଛି । ସିକ୍କିମରେ ଭୂସ୍ଖଳନ ଯୋଗୁ ଥେଙ୍ଗ୍‌  ଏବଂ ଚୁଙ୍ଗ୍‌ଥାଙ୍ଗ୍‌ ଅଞ୍ଚଳରେ ଅନେକ ଘର  ଆବର୍ଜନା ତଳେ ପୋତି ହୋଇଯାଇଛି ।  ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ନେଇ  ଆଲର୍ଟ ଜାରି କରାଯାଇଛି । ନେପାଳରେ  ବର୍ଷା କାରଣରୁ ବିହାରର କିଶନଗଞ୍ଜ ଜିଲ୍ଲାର  ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି । 

କନକଇ, ବୁଢ଼ୀ କନକଇ ଏବଂ ମେଚି ନଦୀରେ  ଜଳସ୍ତର ବଢ଼ିଛି । ନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ  ପାଣି ପଶିଯାଇଛି । ଫଳରେ ଅନେକ ଫସଲ ନଷ୍ଟ ହୋଇଛି । ଜମ୍ମୁ-କାଶ୍ମୀରରେ ଶନିବାର  ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ମଧ୍ୟ  ହୋଇଛି । ମେ’ ୩୦ ସୁଦ୍ଧା ଦେଶରେ  ହାରାହାରି ୧୧୬.୬ ମିମି ବର୍ଷା ହୋଇଥିବା  ରେକର୍ଡ ହୋଇଛି । ଯାହା କି କୌଣସି ମେ’  ମାସରେ ସର୍ବାଧିକ । ୧୯୯୦ ମସିହାରେ ଏହା  ୧୧୦.୭ ମିମି ଥିଲା । ସାଧାରଣତଃ ମେ’ରେ  ହାରାହାରି ୬୧.୪ ମିମି ବର୍ଷା ହୋଇଥାଏ ।