ପୌରାଣିକ ଉପାଖ୍ୟାନରେ ସବୁ ସମୟରେ ଇନ୍ଦ୍ରଙ୍କ କଥା ଆସେ । ବିଶ୍ୱ ବ୍ରହ୍ମାଣ୍ଡରେ ଯେକୌଣସି ବ୍ୟକ୍ତି ଯେକୌଣସି ଉଦ୍ଦେଶ୍ୟରେ ତପସ୍ୟା କରୁ ବା ଶକ୍ତି ସଞ୍ଚୟ କରୁ, ଇନ୍ଦ୍ରଙ୍କୁ ସବୁବେଳେ ନିଜ ସିଂହାସନ ଚାଲିଯିବାର ଭୟ ଦେଖାଯାଏ । ଏଣୁ କ୍ଷମତା ଚାଲିଯିବା ଭୟର ବଶବର୍ତ୍ତୀ ହୋଇ ସେହି ତପସ୍ୱୀ ବା ଶକ୍ତି ବିରୋଧରେ ଇନ୍ଦ୍ର ମହାରାଜ ପରୋକ୍ଷ ବା ପ୍ରତ୍ୟକ୍ଷ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଯାଆନ୍ତି । କିନ୍ତୁ ପରିଣାମସ୍ୱରୂପ ସବୁ ସମୟରେ ଇନ୍ଦ୍ର ମହାରାଜ ପରାଜୟ ବରଣ କରନ୍ତି ଏବଂ ନିଜର ଭୁଲ୍‌ ବୁଝିପାରି କ୍ଷମା ମାଗି ଆସନ୍ତି । ଅନେକ ସମୟରେ ନିଜର ଶକ୍ତିକୁ ନେଇ ଇନ୍ଦ୍ରଙ୍କ ମନରେ ଅହଂକାର ବି ଆସେ ଯେ, ସେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି, କିନ୍ତୁ ଏହି ଅହଂକାର କାରଣରୁ ସବୁ ସମୟରେ ସେ ଲଜ୍ଜିତ ବି ହୁଅନ୍ତି ।

ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗୋପବାସୀଙ୍କୁ ଗିରି ଗୋବର୍ଦ୍ଧନଙ୍କ ପୂଜା କରିବାକୁ ଆଗ୍ରହ କଲେ, ସେତେବେଳେ ଇନ୍ଦ୍ର ଭାବିଲେ ତାଙ୍କୁ ପୂଜା ନକରି ଗୋପବାସୀ ଗୋବର୍ଦ୍ଧନ ପର୍ବତକୁ କାହିଁକି ପୂଜା କରୁଛନ୍ତି । ଏଣୁ ସେ ତାଙ୍କର ଶକ୍ତି ପ୍ରୟାଗ କରିବାକୁ ଯାଇ ବର୍ଷାର ପ୍ରଳୟ ସୃଷ୍ଟିକଲେ, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତ ଉଠାଇ ସମସ୍ତ ଗୋପବାସୀଙ୍କୁ ରକ୍ଷାକଲେ ଏବଂ ଇନ୍ଦ୍ର ନିଜ ଶକ୍ତିର ଅହଙ୍କାରକୁ ଜାଣିପାରି ବାଲ୍‌ ଶ୍ରୀକୃଷ୍ଣଙ୍କ ପାଖରେ କ୍ଷମାପ୍ରାର୍ଥନା କରିଥିଲେ । ଏଠାରେ ଆମେରିକାର ଅବସ୍ଥା ମଧ୍ୟ ଠିକ୍‌ ସେୟା । ଆମେରିକା ନିଜକୁ ନିଜେ ବିଶ୍ୱର ସର୍ବଶକ୍ତିଶାଳୀ ଓ ବିଶ୍ୱ ସମ୍ରାଟ ଭାବେ ସ୍ୱଘୋଷିତ କରି ଅନ୍ୟ ଯେକୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ପଛାଏ ନାହିଁ । ଦେଖାଇବା ପାଇଁ ତ କାରଣ ଅଲଗା ଥାଏ, କିନ୍ତୁ ଉଦ୍ଦେଶ୍ୟ ହେଉଛି ଯେପରି କୌଣସି ଦେଶ ଆମେରିକା ଠାରୁ ଶକ୍ତିଶାଳୀ ନହୁଏ ଏବଂ କୌଣସି ବ୍ୟକ୍ତି ଆମେରିକାର ରାଷ୍ଟ୍ରପତିଙ୍କ ଠାରୁ ବଡ଼ ନହୋଇଯାଏ । ସେଥିଲାଗି ବିନା କାରଣରେ ଆମେରିକା ନିଜର ବଡ଼ପଣିଆ ଜାହିର୍‌ କରିବା ପାଇଁ ଅନେକ ଦେଶ ସହିତ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଯାଏ । ପରିଣାମସ୍ୱରୂପ ନିରୀହ ବ୍ୟକ୍ତିଙ୍କୁ ନିଜ ଜୀବନ ହରାଇବା ସହିତ ଅନେକ ଦେଶର ସଭ୍ୟତା ଓ ସମ୍ପତ୍ତି ବରବାଦ୍‌ ହୋଇଯାଏ । ଅନେକ ଯୁଦ୍ଧ ବିନା ପରିଣାମରେ ଶେଷ ହୁଏ । ଏଥିରେ ଆମେରିକାର କି ଲାଭ ହୋଇଛି ବୁଝାଯାଏନି, କିନ୍ତୁ କ୍ଷତି ତ ସମଗ୍ର ବିଶ୍ୱର, ମାନବ ସମାଜ ଓ ସଭ୍ୟତାର ହୋଇଛି ଏହା ନିଶ୍ଚିତ ।

୧୯୪୭ରୁ ୧୯୯୧ ପର୍ଯ୍ୟନ୍ତ ଆମେରିକା ଓ ସୋଭିଏତ ୟୁନିଅନ (ରୁଷିଆ) ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା । ଉଦ୍ଦେଶ୍ୟ ଏହା ଦେଖେଇବାର ଥିଲା ଯେ, ବିଶ୍ୱରେ କେଉଁ ଦେଶ ଶ୍ରେଷ୍ଠ, ଆମେରିକା ନା ସୋଭିଏତ ୟୁନିଅନ? ଇଚ୍ଛା ନଥିଲେ ବି ବିଶ୍ୱର ଅନେକ ଦେଶଙ୍କୁ ନିଜ ସମର୍ଥନରେ ଲଢ଼େଇ କରିବା ପାଇଁ ଦୁଇ ଦେଶ ଏକପ୍ରକାର ବାଧ୍ୟ କରିଦେଇଥିଲା । ପରିଣାମସ୍ୱରୂପ ଆଜି ମଧ୍ୟ ଏହା ଅସମାହିତ ପ୍ରଶ୍ନ ଯେ, ଏହି ଯୁଦ୍ଧରେ ଆମେରିକା ବିଜୟ ହୋଇଥିଲା ନା ସୋଭିଏତ ରୁଷିଆ । ୧୯୫୫-୧୯୭୫ ପର୍ଯ୍ୟନ୍ତ ଭିଏତନାମାରେ ଆମେରିକାର ଯୁଦ୍ଧ ଲଢ଼ିଥିଲା । ଉଦ୍ଦେଶ୍ୟ କମ୍ୟୁନିଜିମକୁ ରୋକିବାର କୁହାଯାଉଥିଲେ ମଧ୍ୟ ମୁଖ୍ୟ ଉଦ୍ଦେଶ୍ୟ ଭିଏତନାମାକୁ ଦଖଲ କରିବାର ଥିଲା । ପରିଣାମ ୨୦ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ଆମେରିକାର ୫୮ ହଜାରରୁ ଅଧିକ ସୈନ୍ୟ ମୃତ୍ୟୁବରଣ କରିବା ସହିତ ତିନିଲକ୍ଷରୁ ଅଧିକ ସୈନ୍ୟ ଆହତ ହୋଇଥିଲେ । ଭିଏତନାମା ଦେଶର ୨୦ରୁ ୪୦ଲକ୍ଷ ସାଧାରଣ ଜନତା ମୃତ । ଶେଷରେ ଯୁଦ୍ଧର ପରିଣାମ ଅସମାହିତ ଭାବେ ଶେଷ ହୋଇଥିଲା । ୨୦୦୧ରୁ ୧୦୧୨ ମସିହା ପର୍ଯ୍ୟନ୍ତ ଆମେରିକା ଓ ଆଫଗାନିସ୍ତାନ ଯୁଦ୍ଧର ଉଦାହରଣ ନିଅନ୍ତୁ । ରୁଷିଆ ବିରୋଧରେ ଆଫଗାନିସ୍ତାନରେ ତାଲିବାନମାନଙ୍କୁ ପୋଷଣ କରି ବଡ଼ କରିଥିଲା ଆମେରିକା । କିନ୍ତୁ ଯେତେବେଳେ ଜେହାଦୀ ଶକ୍ତି ଆମେରିକାର କଥା ନମାନି ଭସ୍ମାସୁର ଭଳି ବ୍ୟବହାର କରିଥିଲେ ସେତେବେଳେ ଆମେରିକା ତାଲିବାନ ବିରୋଧରେ ୨୦ବର୍ଷ କାଳ ଯୁଦ୍ଧ ଲଢ଼ିଥିଲା । ଯେଉଁଥିରେ ଆମେରିକାର ତିନିହଜାରରୁ ଅଧିକ ସେନା ମୃତ ଏବଂ ହଜାର ହଜାର ଆଫଗାନି ନାଗରିକ ମୃତ୍ୟୁବରଣ କରିବା ସଙ୍ଗେ ସଙ୍ଗେ ଆଫଗାନିସ୍ତାନର ବିକାଶ ବାଧାପ୍ରାପ୍ତ ହୋଇଥିଲା ।

ପରିଣାମ, ଯେଉଁ ତାଲିବାନମାନଙ୍କୁ ମୂଳପୋଛ ପାଇଁ ଆମେରିକା ଯୁଦ୍ଧ ଲଢ଼ୁଥିଲା, ୨୦୨୧ ମସିହାରେ ତାଲିବାନ ସରକାର ଆଫଗାନିସ୍ତାନରେ ଆସିବା ପରେ ଆମେରିକାର ସେନା ବାଧ୍ୟ ହୋଇ ଆଫଗାନିସ୍ତାନ ଛାଡ଼ି ଚାଲି ଆସିଥିଲେ । ୨୦୦୩ରୁ ୨୦୧୧ ପର୍ଯ୍ୟନ୍ତ ଇରାନରେ ଆମେରିକାର ଯୁଦ୍ଧ ବି ସେହିଭଳି ଥିଲା । ସଦ୍ଦାମ ହୁସେନକୁ ପ୍ରଥମେ ଇରାନ ବିରୋଧରେ ଆମେରିକା ଶକ୍ତିଶାଳୀ କରିବା ପରେ, ଶେଷରେ ଆମେରିକାର କଥା ନମାନିବାରୁ ସଦ୍ଦାମ ହୁସେନ ବିରୁଦ୍ଧରେ ୮ବର୍ଷ ଧରି ଯୁଦ୍ଧ ଲଢ଼ିଥିଲା ଆମେରିକା । କିନ୍ତୁ ସେହି ଯୁଦ୍ଧରେ ବି ଆମେରିକାର କୌଣସି ଲାଭ ହୋଇନଥିଲା । ଏଇ କିଛିଦିନ ତଳର ଘଟଣା ନିଅନ୍ତୁ । ଭେନେଜୁଏଲାର ରାଷ୍ଟ୍ରପତି ନିକଲାସ ମାଦୁରାଙ୍କୁ ତାଙ୍କ ପତ୍ନୀଙ୍କ ସହ ରାତିଅଧରେ ଆମେରିକାର ସୈନ୍ୟମାନେ ହାତକଡ଼ି ପକାଇ ଉଠାଇ ଆଣିଥିଲେ । କୌଣସି ଦେଶର ସାର୍ବଭୌମତ୍ୱକୁ ହତାଦର କରିବା କ’ଣ ଆମେରିକା ପକ୍ଷେ ଠିକ୍‌ ହୋଇଥିଲା । ଏବେ ଆସନ୍ତୁ ଆମେରିକା ଓ ଇରାନ ଯୁଦ୍ଧ କଥାକୁ । ଇରାନର ଉଦାହରଣ ପୌରାଣିକ ଚରିତ୍ର କୁବେରଙ୍କ ଭଳି । କୁବେରଙ୍କ ପାଖରେ ଯେଉଁଭଳି ଅମାପ ସମ୍ପତ୍ତି ଠୁଳ ହେବାପରେ ସେ ଭାବିଲେ ଯେ ଏହି ଧନ ମାଧ୍ୟମରେ ମୁଁ କାହାକୁ ବି କିଣିପାରେ । ଏହି ଅହଂକାର କାରଣରୁ ଭଗବାନ ରାମଙ୍କୁ ମଧ୍ୟ ଲଙ୍କା ବିଜୟ ସମୟରେ ସମୁଦ୍ରରେ ସେତୁ ନିର୍ମାଣ କରିବା ପାଇଁ ମଧ୍ୟ କୁବେର ସହଯୋଗ କରିନଥିଲେ ।

ପରିଣାମ ସ୍ୱରୂପ, ଭଗବାନ ରାମଙ୍କ କୋପଦୃଷ୍ଟିର ସମ୍ମୁଖୀନ ତାଙ୍କୁ ହେବାକୁ ପଡ଼ିଲା । ବର୍ତ୍ତମାନ ବିଶ୍ୱର ପ୍ରଧାନ ଶକ୍ତିସ୍ରୋତ ହେଉଛି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ । ସୌରଶକ୍ତି, ପବନଶକ୍ତିର ବହୁଳ ଉପଯୋଗ ଓ ଉତ୍ପାଦନ ଏପର୍ଯ୍ୟନ୍ତ ହୋଇପାରିନାହିଁ । ଏଣୁ ଖଣିଜ ତୈଳଭଣ୍ଡାର ଥିବା ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକ ସବୁ ସମୟରେ ଏହି ଖଣିଜ ତୈଳ ଉପଲବ୍ଧ ଧନ ଦ୍ୱାରା ପରସ୍ପର ମଧ୍ୟରେ ଲଢ଼େଇ କରିଥାନ୍ତି । ଅନ୍ୟପକ୍ଷରେ ଆମେରିକା, ରୁଷିଆ, ଚାଇନା ଭଳି ଦେଶ ମଧ୍ୟରେ ତୈଳଖଣିକୁ କିଏ ଅଧିକରୁ ଅଧିକ ଉପଭୋଗ ଓ ନିଜ ଅକ୍ତିଆରରେ ରଖିପାରିବ ସେଥିପାଇଁ ଯୁଦ୍ଧ କରନ୍ତି । ହିନ୍ଦୁତ୍ୱକୁ ଧର୍ମନିରପେକ୍ଷତାରେ ବାଧା ସୃଷ୍ଟି କରୁଥିବା କଥା କୁହାଯାଉଥିବା ବେଳେ ଇସଲାମିକ ଓ ଖ୍ରୀଷ୍ଟିଆନ ଦେଶମାନଙ୍କ ମଧ୍ୟରେ ଆଜି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିଜ ନିଜର ଧର୍ମର ବର୍ଚସ୍ୱ ସ୍ଥାପନା ପାଇଁ ମଧ୍ୟ ଏହି ଯୁଦ୍ଧ ଚାଲିଛି । ଯୁଦ୍ଧ ସମୟରେ ଆପଣମାନେ ଦେଖିଥିବେ ଇରାନ ବଙ୍କର ମଧ୍ୟରେ କ୍ଷେପଣାସ୍ତ୍ର ସାମ୍ନାରେ ସୈନ୍ୟମାନେ ନମାଜ କରୁଥିବାର ଦୃଶ୍ୟର ଚିତ୍ର ଜାରି କଲାବେଳେ, ସମସ୍ତ ବଡ଼ ବଡ଼ ଈସାଇ ଧର୍ମଗୁରୁମାନେ ଟ୍ରମ୍ପଙ୍କୁ ସାମ୍ନାରେ ବସାଇ ପ୍ରାର୍ଥନା କରୁଥିବାର ଭିଡିଓ ଆମେରିକା ଜାରି କରୁଛି । ସବୁବେଳେ ମନେ ରଖିବାକୁ ହେବ ଯେ, ଯୁଦ୍ଧରେ କାହାର ବି ଲାଭ ହୁଏନାହିଁ । ନା ଜିତିବା ପକ୍ଷର, ନା ହାରିବା ପକ୍ଷର । ଯୁଦ୍ଧ ହେଉଛି ସବୁବେଳେ ଅନ୍ତିମ ବିକଳ୍ପ ।

ମଧ୍ୟପ୍ରାଚ୍ୟର ଦେଶମାନଙ୍କୁ ଓ ଆମେରିକା, ରୁଷୀୟ, ଚୀନ, ଇସ୍ରାଏଲ ଭଳି ମହାଶକ୍ତିମାନଙ୍କୁ ମନେରଖିବାକୁ ହେବ ଯେ, ସମୟ ସଦା ପରିବର୍ତ୍ତନଶୀଳ । ସମୟର ଚକ ସର୍ବଦା ଘୂରିବୁଲୁଛି । ଆଜି ଯେଉଁ ତୈଳ ଓ ସାମରିକ ଶକ୍ତିକୁ ନେଇ ସମସ୍ତେ ଅହଙ୍କାରରେ ମସ୍‌ଗୁଲ । କାଲି ସେହି ଶକ୍ତି ଆଉ କେଉଁ ଦେଶ ପାଖରେ ଥିବ । ଖଣିଜ ତୈଳର ଭଣ୍ଡାର ମଧ୍ୟ ଅସୀମିତ ନୁହେଁ, କେବେ ନା କେବେ ତାହା ସମାପ୍ତ ହୋଇଯିବ । ଏଣୁ ସମସ୍ତଙ୍କୁ ବିଶ୍ୱ ଏକ ପରିବାର ଭାବରେ ଚଳିବାକୁ ହେବ । ମଧ୍ୟପ୍ରାଚ୍ୟର ଦେଶମାନେ ବିଶ୍ୱର ଅନ୍ୟ ଦେଶମାନଙ୍କୁ ତେଲ ବନ୍ଦ କରିଦେବାର ଧମକ ଦିଅନ୍ତି । ସେମାନେ କେବେ ଚିନ୍ତା କରିଛନ୍ତି କି ଯଦି ତାର ପ୍ରତିବଦଳରେ ବିଶ୍ୱର ଅନ୍ୟାନ୍ୟ ଦେଶ ସେଠାକୁ ଖାଦ୍ୟ ପଦାର୍ଥ, ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ପଠାଇବା ବନ୍ଦ କରିଦେବେ ତାହାହେଲେ ସେମାନଙ୍କ ଅବସ୍ଥା କ’ଣ ହେବ?

​​​​​​​