ଜୀବନରେ ଏହିପରି କ୍ରାନ୍ତି ଆସିଯାଏ । ଯେବେ ତୁମେ ବାହାର ଆସକ୍ତିରୁ ମୁକ୍ତ ହୋଇଯାଅ ସେତିକିବେଳେ ଭିତରର ସଂପତ୍ତି ଦୃଶ୍ୟ ହୁଏ । ଯେତେଦିନଯାଏଁ ବାହ୍ୟ ସଂପତ୍ତିକୁ ଠୁଳ କରିବାରେ ଲାଗିଥାଅ ସେତେଦିନଯାଏଁ ଭିତରର ସଂପତ୍ତି କ’ଣ, କିପରି କିଛି ତୁମକୁ ଜଣାପଡ଼ିବ ନାହିଁ । ବାହାରେ ବାହାରେ ତୁମେ ସବୁ ଏତେ ବ୍ୟସ୍ତ ଯେ, ଭିତର କଥା ଚିନ୍ତା କରିବାକୁ ତୁମ ପାଖରେ ସମୟ କାହିଁ?
ମଣିଷଠାରୁ ନିର୍ବୋଧ ଏ ସଂସାରରେ ଆଉ କେହି ନାହିଁ । ତାର ଏକମାତ୍ର କାରଣ ହେଲା ଜୀବନଯାତ୍ରାର ନିଚ୍ଛକ ସତ୍ୟକୁ ଜାଣି ମଧ୍ୟ ସେ ଜୀବନତମାମ କିଛି ନଜାଣିଲା ପରି ବ୍ୟବହାର କରିଥାଏ । ଯେଉଁ ସଉଦା ତା’ର ଆଗାମୀ ଯାତ୍ରାପଥରେ ଆଦୌ ସହାୟକ ହେବନାହିଁ ସେହି ସଉଦା ସେ କରିଚାଲିଥାଏ । ଯେଉଁ ସଂପତ୍ତିକୁ ସେ ସଙ୍ଗରେ ନେଇ ଯାଇପାରିବନାହିଁ ମେଳାରୁ, ସେହିସବୁ ସଂପତ୍ତି କିଣି ଠୁଳ କରିବାରେ ଲାଗିଥାଏ । ସୃଷ୍ଟିର ଏ ଅନନ୍ତ ଯାତ୍ରାପଥରେ ଏ ଜନ୍ମ-ଜୀବନ ଷ୍ଟେସନରେ କିଛିକ୍ଷଣର ବିଶ୍ରାମ ପାଇଁ ଉଦ୍ଦିଷ୍ଟ ମାତ୍ର । କିଛିକ୍ଷଣ ବିଶ୍ରାମ ନେବ ଏବଂ ପୁନର୍ବାର ଯାତ୍ରାପଥରେ ଆଗେଇଯିବ । ଅଥଚ ମଣିଷ ବିଶ୍ରାମ ନିଏନାହିଁ । ବରଂ ଠିକ୍ ବିପରୀତ କରିବସେ । ଜୀବନତମାମ ଅଣନିଶ୍ୱାସୀ ହୋଇ ଧାଉଁଥାଏ । ଧାଉଁଥାଏ କେବଳ ସଂପତ୍ତି ଠୁଳ କରିବା ପାଇଁ । ଏହାଛଡ଼ା ସତେଯେପରି ଆଉ କିଛି ସେ ଜାଣେନାହିଁ ।
ଜୀବନରେ ଅଧାରୁ ଅଧିକ ଚାଲିଯାଏ ଘରଟିଏ ତୋଳିବାରେ । ଖାଲି ଘର ତୋଳିଦେଲେ ସରେନାହିଁ । ତାହା ପୁଣି ଯେତେ ସୁନ୍ଦର ହେବ । ଅନ୍ୟଠାରୁ ପୃଥକ ହେବ । ଚଟାଣରେ ମାର୍ବଲ ଲାଗିବା ଦରକାର । କବାଟ ଶାଗୁଆନ କାଠରେ । ଚାକଚାକ୍ୟ ଘର । ତା’ ଭିତରେ ପୁଣି ଟିଭି, ସୋଫା, ଫ୍ରିଜ୍ ଇତ୍ୟାଦି ଆଧୁନିକ ସରଞ୍ଜାମ ଭରି ରହିଥିବ । ଗ୍ୟାରେଜରେ କାର୍ ଥିବ । ଗୋଟିଏ ଘର ହେବାପରେ ଆଉ ଏକ ଜାଗା କିଣିଲେ କ୍ଷତି କ'ଣ? ସୁନାକିଣା ମଧ୍ୟ ଚାଲିଥିବ । ଟଙ୍କାକୁ ବିଭିନ୍ନ ସଞ୍ଚୟ ଯୋଜନାରେ ବିନିଯୋଗ କରାହେଉଥିବ ଅଳ୍ପଦିନରେ ତାହା ଦୁଇଗୁଣ ହୋଇଯିବା ପାଇଁ । ବାସ୍- ଏଇମିତି ଅନ୍ତହୀନ ତୃଷ୍ଣାର ପଛେ ପଛେ ମଣିଷ ଲହୁଲୁହାଣ ହୋଇ ଧାଇଁ ଚାଲିଥାଏ ବସ୍ତୁ ସଂଗ୍ରହ କରିବାରେ । ଏଇମିତି ସଂପତ୍ତି ପଛରେ ଧାଇଁ ଧାଇଁ କେତେବେଳେ ସେ ଆସି ମୃତ୍ୟୁର ଦ୍ୱାର ନିକଟରେ ପହଞ୍ଚି ସାରିଲାଣି । କେତେବେଳେ ଯେ ସନ୍ଧ୍ୟା ହୋଇଗଲାଣି ତାହା ସେ ଜାଣିପାରେନାହିଁ । ତଥାପି ଘର ସଉଦା ସରିନଥାଏ । ଏଣେ ହୁଇସିଲ ବାଜିଯାଏ । ଟ୍ରେନ ଷ୍ଟେସନ ଛାଡ଼ିଦିଏ । ଯାତ୍ରାପଥରେ ଆଗେଇ ଯିବାକୁ ହୁଏ । ପ୍ଲାଟଫର୍ମ ଉପରେ ପଡ଼ିରୁହେ ତୁମ ଜୀବନର ସମସ୍ତ ଅଦରକାରୀ ସଂପତ୍ତିମାନ- ଘରଦ୍ୱାର, ଟଙ୍କା, ସୁନା, ନାମ, ଯଶ । କିଛି ତୁମ ସହ ଯାଇପାରେନାହିଁ । ଯଦି ବାସ୍ତବରେ ଗଲାବେଳେ ଏଗୁଡ଼ିକ କିଛି ସାଥିରେ ଯାଇପାରୁନାହିଁ, ତେବେ ମଣିଷ ଜୀବନସାରା କାହିଁକି ଅକାରଣରେ ଏ କୃଚ୍ଛ୍ର ସାଧନା କରୁଥାଏ? ଅଥଚ ଯେଉଁ ସାଧନାରେ ସେ କିଛି ଗୁପ୍ତ ଖଜଣାର ସନ୍ଧାନ ପାଇପାରିଥାଆନ୍ତା, ଯେଉଁ ସଂପତ୍ତିକୁ ସେ ସାଥିରେ ନେଇ ଯାଇପାରିଥାଆନ୍ତା ସେ ଦିଗପ୍ରତି ସେ ତ କାହିଁ କେବେବି ସଚେତନ ହୁଏନାହିଁ? କେହି ହୁଏତ ପ୍ରଶ୍ନ କରିପାରନ୍ତି- ସତରେ କଅଣ ଏପରି ଜିନିଷ ଅଛି ଯାହା ମୃତ୍ୟୁସହ ଯାଇପାରେ? ହଁ, ଅବଶ୍ୟ ଅଛି । ସମଗ୍ର ଜୀବନ ମଣିଷ ଯେଉଁ ସଂପତ୍ତି ସଂଗ୍ରହ କରୁଥାଏ, ତାହା ବାହାରେ ଥାଏ । ସବୁକିଛି ବାହାରର । ତେଣୁ ମୃତ୍ୟୁବେଳେ ତାହା ସେଇମିତି ବାହାରେ ହିଁ ରହିଯାଏ । ଅଥଚ ଆଉ ଏକ ସଂପତ୍ତି ଅଛି, ଯାହାକୁ ମଣିଷ ନିଜ ଭିତରେ ସଂଗ୍ରହ କରିବାକୁ ପଡ଼ିଥାଏ । ନିଜ ଭିତରର ସଂପତ୍ତି ଗଲାବେଳେ ନିଜ ସହ ଯାଇଥାଏ ।
ଜୈନ ଶାସ୍ତ୍ରରେ ଏକ ସୁନ୍ଦର କଥା ଅଛି । ଅମରାବତୀର ଶ୍ରେଷ୍ଠ ଧନଶାଳୀ ବ୍ୟକ୍ତି ସୁମେଦଙ୍କ କାହାଣୀ । ସୁମେଦଙ୍କ ପିତା ଅମରାବତୀର ସବୁଠାରୁ ଧନୀଲୋକ ଥିଲେ, ତାଙ୍କର ମୃତ୍ୟୁ ହୋଇଗଲା । ପିତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପ୍ତ ହେଲା । ନିଜ ଘରୁ ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ ସଭିଏଁ ବିଦାହୋଇ ଚାଲିଗଲେ । ସମସ୍ତ ଶୁଦ୍ଧକର୍ମ ସରିଯିବା ପରେ ଗୃହର ସବୁଠାରୁ ବିଶ୍ୱସ୍ତ ତଥା ବୟୋଜ୍ୟେଷ୍ଠ ଗୁମାସ୍ତା ଆସିଲେ । ସୁମେଦଙ୍କ ସାମ୍ନାରେ ଘରର ସମସ୍ତ ହିସାବ କିତାବ ଗୁମାସ୍ତା ରଖିଲେ । ପିତା ଥିଲାବେଳେ ସୁମେଦଙ୍କର ଘରର ସଂପତ୍ତି ଏବଂ ଆୟବ୍ୟୟର ହିସାବ ରଖିବାର କୌଣସି ଆବଶ୍ୟକତା ଆଦୌ ପଡ଼ୁନଥିଲା । ତେବେ ପରମ୍ପରା ଅନୁଯାୟୀ ପିତାଙ୍କ ମୃତ୍ୟୁପରେ ପୁତ୍ରକୁ ହିଁ ଘରର ସମସ୍ତ ଦାୟିତ୍ୱ ବହନ କରିବାକୁ ପଡ଼ିଥାଏ । ତାହାହିଁ ହେଲା । ଗୁମାସ୍ତା ସୁମେଦଙ୍କୁ ବୁଝାଇଦେଲେ ସମଗ୍ର ରାଜ୍ୟରେ ତାଙ୍କର କେତୋଟି କୋଠାବାଡ଼ି ଅଛି । କେତେ କେଉଁଠାରେ ଜମିବାଡ଼ି ଅଛି। କେଉଁଠାରେ କାହା ପାଖରେ କେତେ ଟଙ୍କା ସୁଧରେ ଲଗାଯାଇଛି । ନିଜ ଘରେ କେତୋଟି ସିନ୍ଧୁକ ଅଛି । ସେମାନଙ୍କର ଅଚଳାଚଳ ସଂପତ୍ତିର ପୂରା ହିସାବ ଗୁମାସ୍ତା ସୁମେଦଙ୍କ ସାମ୍ନାରେ ପେଶ୍ କଲେ । ବିନମ୍ରତାର ସହ ଗୁମାସ୍ତା ନତମସ୍ତକ ହୋଇ କହିଲା- ହଜୁର, ଦୟାକରି ଆପଣ ତଳଘରକୁ ଚାଲନ୍ତୁ । ସେହିଠାରେ ମୁଁ ଆପଣଙ୍କୁ ସମସ୍ତ ଚାବିକାଠି ଦେଇଦେବି । ଆପଣଙ୍କ ପିତା ମୃତ୍ୟୁ ପୂର୍ବରୁ ସେସବୁ ଚାବିକାଠି ମୋ ଜିମାରେ ଦେଇଯାଇଛନ୍ତି । କହିଛନ୍ତି ଆପଣଙ୍କୁ ସମସ୍ତ କଥା ବୁଝାଇ ଚାବିଗୁଡ଼ିକ ଦେଇଦେବାକୁ । ପିତା ସେ ସମସ୍ତ ସଂପତ୍ତିର ମାଲିକ ଥିଲେ । ତାଙ୍କର ଦେହାନ୍ତ ପରେ ଆପଣ ବର୍ତ୍ତମାନ ମାଲିକ ।
ସୁମେଦ ଉଠିଲେ ଏବଂ ସେହିଠାରେ ବ୍ୟବସାୟର ସମସ୍ତ ଖାତାପତ୍ର ଉପରେ ଥରୁଟିଏ ମାତ୍ର ଆଖି ବୁଲାଇ ଆଣିଲେ । କୋଟି କୋଟି ଟଙ୍କାର ସଂପତ୍ତି । ଭଣ୍ଡାର ଘରେ ବହୁ ମୂଲ୍ୟର ଅନେକ ଧନରତ୍ନ, ହୀରା, ମୋତି, ମାଣିକ୍ୟର ପଥର । ଗୁମାସ୍ତା ସୁମେଦଙ୍କ ରଙ୍ଗଢଙ୍ଗ ଦେଖି ବିସ୍ମିତ ହେଲା । ସୁମେଦ ଧନସଂପତ୍ତି ଭଣ୍ଡାର ଘରେ ଥିବା ଅମୂଲ୍ୟ ଗହଣାଗାଣ୍ଠି ସବୁକୁ ତ ଦେଖୁଥାଆନ୍ତି, କିନ୍ତୁ ସେ ଦେଖିବାରେ ଜୀବନ ନଥାଏ । ଲାଗୁଥାଏ ସତେଯେମିତି ଖୁବ୍ ଦୂରରୁ ଛିଡ଼ାହୋଇ ସେ ସବୁ ଦେଖୁଛନ୍ତି । ପାଖରେ ନାହାନ୍ତି ସେ । ଆଖିରେ ଦେଖିବାର ଆଗ୍ରହ, ଆକର୍ଷଣ ନଥାଏ । ଲୋଲୁପ ଦୃଷ୍ଟି ନଥାଏ । ଏଇମିତି ଦେଖୁଦେଖୁ ତାଙ୍କ ଆଖିରୁ ଅଶ୍ରୁ ଗଡ଼ିଗଲା । ପାଖରେ ଛିଡ଼ା ହୋଇଥିବା ଗୁମାସ୍ତା ଆଶ୍ଚର୍ଯ୍ୟ ହେଲା । ଏତେ ବଡ଼ ଅଜବ କଥା । ଅଚଳାଚଳ ସଂପତ୍ତି ଦେଖି ସୁମେଦ ଖୁସିହେବେ କ’ଣ, ତାଙ୍କ ଆଖିରେ ପୁଣି ଅଶ୍ରୁ! ଗୁମାସ୍ତା ପାଟି ଖୋଲିଲେ । ହଜୁର, ଆପଣ ହେଉଛନ୍ତି ବର୍ତ୍ତମାନ ଏ ପୃଥିବୀପୃଷ୍ଠରେ ସବୁଠାରୁ ଧନଶାଳୀ ବ୍ୟକ୍ତି । ପିତାଙ୍କ ମୃତ୍ୟୁପରେ ଆପଣ ବର୍ତ୍ତମାନ ମାଲିକ । ଏସବୁ ଆପଣଙ୍କ ପୂର୍ବପୁରୁଷଙ୍କ ଦ୍ୱାରା ଅର୍ଜିତ ସଂପତ୍ତି । ପ୍ରତ୍ୟେକ ପିଢ଼ି ଏ ସଂପତ୍ତିକୁ ବୃଦ୍ଧି କରି ଚାଲିଯାଇଛନ୍ତି । ଏଥିରୁ କାଣିଚାଏ କମ୍ କେବେ ହୋଇନାହିଁ । ଆପଣଙ୍କର ପ୍ରସନ୍ନ ହେବା କଥା ।
ସୁମେଦ ଗୁମାସ୍ତାଙ୍କୁ ପ୍ରଶ୍ନ କଲେ । ଆପଣ ତ ମୋ ପିତାଙ୍କର ବିଶ୍ୱସ୍ତ କର୍ମଚାରୀ ଥିଲେ । ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେଇପାରିବେ? ମୋ ପିତାଙ୍କର ପିତା ସ୍ୱର୍ଗାରୋହଣ କଲେ । ସେ ଗଲାବେଳେ ଏ ଧନସଂପତ୍ତିରୁ କାଣିଚାଏ ନେଇପାରିଲେ ନାହିଁ । ତା'ପରେ ମୋ ପିତାଙ୍କର ମଧ୍ୟ ମୃତ୍ୟୁ ହେଲା । ସେ ମଧ୍ୟ ତାଙ୍କ ସହ କିଛି ସଂପତ୍ତି ନେଇପାରିଲେ ନାହିଁ, ଯାହାକୁ ଏତେ ମେହେନତ କରି ସମଗ୍ର ଜୀବନ ସେ କମାଇଥିଲେ । ତେବେ ମୋର କ’ଣ ଇଚ୍ଛା ହୁଏ ଜାଣିଛ? ମୁଁ ଚାହେଁ ମୋର ମୃତ୍ୟୁବେଳେ ମୁଁ ଯେପରି ମୋ ସହ ଏ ସମସ୍ତ ଧନସଂପତ୍ତି ସାଥିରେ ନେଇ ଚାଲିଯାଇପାରିବି । ଏହାର ଉପାୟ ମୋତେ କିଛି ବତାଇ ଦେଇପାରିବ? ତୁମେ ତ ନିଜେ କହୁଛ ଯେ, ପୁରୁଷାନୁକ୍ରମେ ଏ ସଂପତ୍ତି ହାତକୁ ହାତ ହସ୍ତାନ୍ତର ହେବାରେ ଲାଗିଛି । ଏଥିରୁ ଗୋଟିଏ ଏକଥା ସ୍ପଷ୍ଟ ହୁଏ, ପ୍ରତ୍ୟେକ ଏଠାରୁ ଚାଲିଯାଇଛନ୍ତି ଅଥଚ କାହାରି ସହ ଏ ଧନସଂପତ୍ତି ଯାଇପାରିନାହିଁ । କିନ୍ତୁ ଆଜିଠାରୁ ମୁଁ ଏହି ପରମ୍ପରାକୁ ଆଉ ଆଗକୁ ଦୋହରାଇବାକୁ ଦେବିନାହିଁ । ମୁଁ ଚାହୁଁନାହିଁ ଯେ ମୋର ମଧ୍ୟ ମୃତ୍ୟୁ ହେବ ଆଉ ଏ ସଂପତ୍ତି ଏହିଠାରେ ପଡ଼ିରହିବ । କାରଣ ମୋ ଦୃଷ୍ଟିରେ ଯାହା ଏହିଠାରେ ରହିଯିବ ସାଥିରେ ଯିବନାହିଁ, ସେଭଳି ସଂପତ୍ତିର ମୂଲ୍ୟ କ'ଣ? ମୁଁ ମୋ ସାଥିରେ ମୃତ୍ୟୁସହ ସବୁକିଛି ନେଇଯିବି। ତୁମେ କାଲି ସକାଳ ସୁଦ୍ଧା ଏଥିପାଇଁ କିଛି ଉପାୟ ବାହାର କରି ମୋତେ ଜଣାଅ, ନଚେତ୍ ମୁଁ ନିଜେ ଉପାୟ ଖୋଜି ବାହାର କରିଦେବି ।
ବିସ୍ଫାରିତ ନୟନରେ ଗୁମାସ୍ତା କେବଳମାତ୍ର ସୁମେଦଙ୍କ କଥା ଶୁଣିଯାଉଥିଲେ । ସୁମେଦ କହିଲେ-ମୋତେ କିନ୍ତୁ ଉପାୟ ଯେତେଶୀଘ୍ର ପାର ବତାଇବ । କାରଣ ଏତେ ଧନସଂପତ୍ତି ଦେଖିବା ପରେ ମୁଁ ମଧ୍ୟ ଆଉ ସ୍ଥିର ହୋଇ ବସିପାରୁନାହିଁ । ମୋର ଭୟ ମୃତ୍ୟୁ କେତେବେଳେ କେଉଁ ମୁହୂର୍ତ୍ତରେ ଆସି ପହଞ୍ଚିଯିବ ତା’ କିଏ ଜାଣେ? ଆଉ ତା’ ଯଦି ହୋଇଯାଏ, ତେବେ ଏ ଚାବିକାଠି ପୁଣି କାହା ହାତକୁ ଚାଲିଯିବ । ତୁମେ ମୋ ପୁଅ ହାତରେ ଏସବୁ ଚାବିକାଠି ଧରାଇଦେଇ ତାକୁ ପୁଣି ସବୁ ବୁଝାଇବା ଆରମ୍ଭ କରିଦେବ । ନା ଏ ସଂପତ୍ତି ମୁଁ ମୋ ସହ ନେଇ ଯାଇପାରିବି, ନା ମୋର ପୁଅ ନେଇ ଯାଇପାରିବ । ନା, ଏ ହିସାବ ମୁଁ ମୋରି ହାତରେ ଶେଷ କରିବାକୁ ଚାହେଁ । ଏ ସମସ୍ତ ଧନସଂପତ୍ତି ମୁଁ ମୋ ସହ ନେଇଯିବାକୁ ଚାହେଁ ।
ଗୁମାସ୍ତା କହିଲେ- ହଜୁର, ଏପରି କେବେବି ହୋଇନାହିଁ କିମ୍ବା ହୋଇ ମଧ୍ୟ ପାରିବନାହିଁ । ଗଲାବେଳେ ଏ ସଂପତ୍ତିକୁ କେହି ନେଇ ଯାଇପାରିନାହାନ୍ତି । ସୁମେଦ ଗୁମାସ୍ତାର କଥା ଶୁଣି ହସିଲେ । କହିଲେ ମୁଁ ଉପାୟ ଖୋଜି ବାହାର କରିଦେଇଛି । ଏହା କହି ସେହି ମୁହୂର୍ତ୍ତରେ ସୁମେଦ ସମସ୍ତ ଧନସଂପତ୍ତି ଦାନ କରିଦେଲେ ଏବଂ ସେହି ମୁହୂର୍ତ୍ତରେ ସେ ସନ୍ନ୍ୟାସ ନେଇଗଲେ । କହିଲେ- ବର୍ତ୍ତମାନ ମୁଁ ମୋ ସହ ମୋର ସଂପତ୍ତି ନେଇ ଯାଇପାରିବି । ଇତିହାସ କୁହେ -ତା'ପରଠାରୁ ସମସ୍ତ ଧନ, ଐଶ୍ୱର୍ଯ୍ୟ ତ୍ୟାଗ କରି ସୁମେଦ ଅମରାବତୀର ଶ୍ରେଷ୍ଠ ଧନୀ ସନ୍ନ୍ୟାସୀ ହୋଇଗଲେ ।
ଜୀବନରେ ଏହିପରି କ୍ରାନ୍ତି ଆସିଯାଏ । ଯେବେ ତୁମେ ବାହାର ଆସକ୍ତିରୁ ମୁକ୍ତ ହୋଇଯାଅ ସେତିକିବେଳେ ଭିତରର ସଂପତ୍ତି ଦୃଶ୍ୟ ହୁଏ । ଯେତେଦିନଯାଏଁ ବାହ୍ୟ ସଂପତ୍ତିକୁ ଠୁଳ କରିବାରେ ଲାଗିଥାଅ ସେତେଦିନଯାଏଁ ଭିତରର ସଂପତ୍ତି କ’ଣ, କିପରି କିଛି ତୁମକୁ ଜଣାପଡ଼ିବ ନାହିଁ । ବାହାରେ ବାହାରେ ତୁମେ ସବୁ ଏତେ ବ୍ୟସ୍ତ ଯେ, ଭିତର କଥା ଚିନ୍ତା କରିବାକୁ ତୁମ ପାଖରେ ସମୟ କାହିଁ? ଆଉ ଯେଉଁ ସଂପତ୍ତି ତୁମେ ତୁମ ସହ ଏହାର ପରଜନ୍ମକୁ ନେଇ ଯାଇପାରିବ ତାହାରି ଅନ୍ୱେଷଣରେ ଲାଗିଯାଅରେ । ଏ ମୂଲ୍ୟହୀନ, ଅସାର ବାହ୍ୟସଂପତ୍ତି କେତେଦିନ ତୁମେ ସଂଗ୍ରହ କରିଚାଲୁଥିବ? ମନେରଖ, ଯେତେବେଳେ ବାହାରର ବନ୍ଧନରୁ ତୁମେ ମୁକ୍ତହୋଇ ଯାଇପାରିବ ସେତେବେଳେ ଭିତରର ବନ୍ଧନରେ ଆପେ ଆପେ ତୁମେ ବାନ୍ଧି ହୋଇଯିବ । ତାହା ହେବ ଏ ଜୀବନର ସାର୍ଥକତା।