ନୂଆଦିଲ୍ଲୀ : କର୍ଣ୍ଣାଟକରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇ ନାହିଁ। ଏହା ପୂର୍ବରୁ ବିଭିନ୍ନ ପ୍ରକାରର ପାୱାର ଗେମ୍ ଚାଲିଛି। ଯଦିଓ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କ ନାମ ଚର୍ଚ୍ଚାରେ ରହିଛି, ହେଲେ ନିଜେ ଡିକେ ଏ ବିଷୟରେ ମୁହଁ ଖୋଲିବାକୁ ପ୍ରସ୍ତୁତ ନାହାନ୍ତି। ଯେତେବେଳେ ଶୁକ୍ରବାର ତାଙ୍କୁ ଏ ବିଷୟରେ ପ୍ରଶ୍ନ ପଚରା ଗଲା, ତ ସେ କିଛି ବି କହିବାକୁ ମନା କରି ଦେଲେ। ଏହା ପୂର୍ବରୁ ସେ ରାଜ୍ୟସଭା ନାମାଙ୍କନକୁ ନେଇ ମଧ୍ୟ କିଛି କହିବାକୁ ମନା କରି ଦେଇଥିଲେ।

  • ଶନିବାର କଂଗ୍ରେସ ବିଧାୟକ ଦଳର ବୈଠକ-

ଏହା ପୂର୍ବରୁ ଶିବକୁମାର ନୂଆଦିଲ୍ଲୀରେ ମିଡିଆ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ଶନିବାର କଂଗ୍ରେସ ବିଧାୟକ ଦଳ (CLP) ର ବୈଠକ ଡକାଯାଇଛି ଏବଂ ହାଇକମାଣ୍ଡଙ୍କ ସହ ଆଲୋଚନା ଏବେ ବି ଜାରି ରହିଛି। ସମସ୍ତ ବିଧାୟକଙ୍କୁ ବୈଠକ ପାଇଁ ବେଙ୍ଗାଲୁରୁରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ସେ କହିଛନ୍ତି, ସବୁକିଛି ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁଯାୟୀ ହେଉଛି। ଏପର୍ଯ୍ୟନ୍ତ କିଛି ବି ସ୍ଥିର ହୋଇନାହିଁ। ଶନିବାର ଆମେ ସିଏଲପି ବୈଠକ ଡକାଇଛୁ। ସେଥିରେ ଆମର କେନ୍ଦ୍ରୀୟ ନେତାମାନେ ଆସିବେ। ଆମକୁ ଆମ ହାଇକମାଣ୍ଡଙ୍କ ସହ ଆଲୋଚନା କରିବାକୁ ହେବ। ଆମେ ସମସ୍ତ ବିଧାୟକଙ୍କୁ ବେଙ୍ଗାଲୁରୁରେ ଉପସ୍ଥିତ ରହିବାକୁ କହିଛୁ। ଏହା ବ୍ୟତୀତ ଆଉ କିଛି ନାହିଁ।

  • ସମସ୍ତ ପ୍ରୋଟୋକଲର କରାଯିବ ପାଳନ -

ଅନ୍ୟପଟେ , ଡିକେ ଶିବକୁମାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ଗଠନ ନେଇ ଧୈର୍ଯ୍ୟ ବଜାୟ ରଖିବାକୁ କହିଛନ୍ତି। ସେ ଶପଥ ଗ୍ରହଣକୁ ନେଇ ଚାଲିଥିବା ଚର୍ଚ୍ଚାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଶିବକୁମାର ଏହି କଥା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, କୌଣସି ନିଶ୍ଚିତ ଘୋଷଣା କରିବା ପୂର୍ବରୁ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ୍ ପାଳନ କରାଯିବ। ସେ କହିଛନ୍ତି ଯେ ବର୍ତ୍ତମାନ ନେତୃତ୍ୱ ଚୟନ ସବୁଠାରୁ ବଡ଼ ପ୍ରାଥମିକତା।

ଶିବକୁମାର କହିଛନ୍ତି, ମୁଁ ଜାଣି ନାହିଁ କଂଗ୍ରେସ ବିଧାୟକ ଦଳର ନେତା ଭାବେ କାହାକୁ ଚୟନ କରାଯିବ। ଯେପର୍ଯ୍ୟନ୍ତ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର ହୋଇନାହିଁ, ମୁଁ କେମିତି କହିପାରିବି ଯେ ଶପଥ ଗ୍ରହଣ ସମାରୋହ କେବେ ହେବ?

  • ସିଦ୍ଦରମୈୟା କେଉଁଠି ଅଛନ୍ତି ?

କହି ରଖୁଛୁ ଯେ, ସିଦ୍ଦରମୈୟା ଗୁରୁବାର ଦିନ ହିଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ନିଜ ପୁଅ ଏବଂ କିଛି ଅନ୍ୟ ଲୋକଙ୍କ ସହ ଦିଲ୍ଲୀ ଚାଲି ଯାଇଥିଲେ। କୁହାଯାଏ ଯେ, ସେଠାରେ ତାଙ୍କର ବରିଷ୍ଠ ନେତୃତ୍ୱଙ୍କ ସହ ତାଙ୍କର ଆଲୋଚନା ହେବାର ଅଛି। ସିଦ୍ଦରମୈୟା ରାଜ୍ୟସଭାକୁ ଯିବାକୁ ମନା କରି ଦେଇଛନ୍ତି। ସେ କେନ୍ଦ୍ରୀୟ ରାଜନୀତିକୁ ଯିବା ପାଇଁ ମଧ୍ୟ ଅନିଚ୍ଛା ପ୍ରକାଶ କରିଛନ୍ତି ଏବଂ ରାଜ୍ୟରେ ହିଁ ସକ୍ରିୟ ରହିବାକୁ କହିଛନ୍ତି। ଏଭଳି ଖବର ମଧ୍ୟ ଅଛି ଯେ, ଦିଲ୍ଲୀରେ ସିଦ୍ଦରମୈୟା କଂଗ୍ରେସ ନେତୃତ୍ୱଙ୍କ ନିକଟରେ ନିଜ ପୁଅ ପାଇଁ କର୍ଣ୍ଣାଟକରେ ଡେପୁଟି ସିଏମ ପଦ ମାଗିଛନ୍ତି।

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଏହି ସମସ୍ତ ଘଟଣାକ୍ରମ ସାମ୍ନାକୁ ଆସିଛି, ଯାହା ଦ୍ୱାରା କଂଗ୍ରେସ ଶାସିତ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି।

ଆହୁରି ମଧ୍ୟ ପଢନ୍ତୁ : ଗୋଲ୍ଡି ବରାର , ଜୋରା ସିଦ୍ଧୁ ଓ ୧୦୦୦ ସୁଟର ... କାନାଡାରେ କେମିତି ଆତଙ୍କ ଖେଳାଉଛି ବିଶ୍ନୋଇ ଗ୍ୟାଙ୍ଗ ?