ଏଣିକି ଏଡିଟ୍ କରିପାରିବେ WhatsAppରେ ପଠାଉଥିବା ମେସେଜ୍, ଗୁରୁତ୍ବପୂର୍ଣ୍ଣ ଘୋଷଣା କଲା ‘ମେଟା’

ନୂଆଦିଲ୍ଲୀ ୨୨/ ୦୫: ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ରେ ନୂଆ ଫିଚର୍ ଆସିଛି । ଏଣିକି ମେସେଜ୍ ପଠାଇ ସାରିବା ପରେ ବି ଏଡିଟ୍ କରିପାରିବେ ବ୍ୟବହାରକାରୀ । ଏ ନେଇ ବଡ ଘୋଷଣା କରିଛନ୍ତି ହ୍ବାଟ୍ସଆପ୍ର ମୂଳ କମ୍ପାନୀ ମେଟାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ । ମେସେଜ୍ କରିବା ବେଳେ ଯଦି କିଛି ଭୁଲ୍ ଲେଖି ଦେଉଛନ୍ତି ତେବେ ଏଥିପାଇଁ ଚିନ୍ତା କରିବାର ନାହିଁ । ଏଣିକି ଠିକ୍ କରିବା ପାଇଁ ଆପଣଙ୍କ ନିକଟରେ ଅପସନ୍ ରହିବ । ଏଥିପାଇଁ ଆପଣଙ୍କୁ ୧୫ ମିନିଟ୍ ସମୟ ଦିଆଯିବ ।
ଫେସବୁକ୍ରେ ପୋଷ୍ଟ କରି ମାର୍କ ଜୁକରବର୍ଗ କହିଛନ୍ତି, ‘ଏବେ ଆପଣ ହ୍ବାଟ୍ସଆପ୍ରେ ପଠାଉଥିବା ମେସେଜ୍କୁ ଏଡିଟ୍ କରିପାରିବେ । ମେସେଜ୍ ପଠାଇବାର ୧୫ ମିନିଟ୍ ମଧ୍ୟରେ ଏଡିଟ୍ କରିବାର ସୁବିଧା ରହିବ । ମେସେଜ୍ ପଠାଇବା ପରେ ପ୍ରେସ୍ ଆଣ୍ଡ ହୋଲ୍ଡ (ଦବେଇକି କିଛି ସମୟ ରଖିବା ପରେ) କରିଲେ ଏଡିଟ୍ ଅପସନ୍ ଆସିଯିବ । ପରେ ଆପଣ ତାହାକୁ ଏଡିଟ୍ କରିପାରିବେ’।

ମେସେଜ୍ ଏଡିଟ୍ କରି ପୁଣି ପଠାଇବା ପରେ ସେଥିରେ କିନ୍ତୁ ଏଡିଟେଡ୍ ବୋଲି ଲେଖା ଆସିବ । ଅର୍ଥାତ୍ ଆପଣ ଯାହାକୁ ମେସେଜ୍ କରି ପୁଣି ଏଡିଟ୍ କରୁଛନ୍ତି ଏବଂ ଯେଉଁ ବ୍ୟକ୍ତିଙ୍କୁ ପଠାଉଛନ୍ତି ସଂପୃକ୍ତ ବ୍ୟକ୍ତିଙ୍କୁ ଜଣାପଡିଯିବ ଯେ, ଆପଣ ମେସେଜ୍କୁ ଏଡିଟ୍ କରି ପଠାଇଛନ୍ତି । କିନ୍ତୁ କ’ଣ ଏଡିଟ୍ କରିଛନ୍ତି ଏବଂ ମେସେଜରେ କ’ଣ ଭୁଲ ଥିଲା ତାହା ପଢୁଥିବା ବ୍ୟକ୍ତିଙ୍କୁ ଜଣାପଡିବ ନାହିଁ ।