ଭୁବନେଶ୍ୱର,୨୦/୦୩: ଆସନ୍ତା ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକା ନିମନ୍ତେ ନାମଲେଖା  ଆରମ୍ଭ ହେବ । ନାମ ଲେଖା ବୟସକୁ ୬ ବର୍ଷ  ରଖାଯାଇଛି । ଏଥିପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ  ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ପିଲାଙ୍କ ପାଇଁ କାର୍ଯ୍ୟ ପୁସ୍ତିକା ଓ  ଶିକ୍ଷକଙ୍କ ପାଇଁ ଶିକ୍ଷକ ସହାୟକ ପୁସ୍ତିକା  ପ୍ରସ୍ତୁତ କରାଯାଇଛି । ଏହାକୁ ବିଦ୍ୟାଳୟରେ ବଣ୍ଟନ କରିବାକୁ ବ୍ୟବସ୍ଥା କରାଯାଇଛି ।  

ଓଡ଼ିଶା ସରକାର ଆଗାମୀ ଶିକ୍ଷାବର୍ଷ  ୨୦୨୬-୨୦୨୭ ମଧ୍ୟରେ ଜାତୀୟ ପାଠ୍ୟକ୍ରମ  ଅନୁସାରେ ଏନ୍‌ସିଇଆରଟି ପୁସ୍ତକ ସହିତ ସମାନ୍ତରାଳ ଭାବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ  ଯୋଜନା କରିଛନ୍ତି । ଏପ୍ରିଲ ୨ ତାରିଖରୁ ରାଜ୍ୟର  ସମସ୍ତ ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀ ଓ  ପ୍ରଥମ ଶ୍ରେଣୀ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି  ଛୁଆଁ ଦିବସ ପାଳନ କରାଯିବ । ଏଥିପାଇଁ  ଯୋଗ୍ୟ ବିବେଚିତ ପରିବାରକୁ ଜିଲ୍ଲା ପ୍ରଶାସନ  ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର  ବଣ୍ଟନ କରାଯାଉଛି । ଏହି ଉତ୍ସବକୁ ପ୍ରତ୍ୟେକ  ବିଦ୍ୟାଳୟରେ ଚାରି ଦିନବ୍ୟାପୀ ପାଳନ  କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।  

ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମରୁ ପଞ୍ଚମ ଶ୍ରେଣୀ  ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାଦୁଇ  ପେଡ଼ି ଦିଆଯିବ । ଏହାକୁ ଏନସିଇଆରଟି  ଦ୍ୱାରା ଜାତୀୟ ପାଠ୍ୟକ୍ରମ ଢାଞ୍ଚାରେ ବିକଶିତ କରାଯାଇଛି । ଏନେଇ ସଚେତନତା ବଢାଇବା  ଏବଂ ଏନସିଏଫ-ଏସଏସର ପ୍ରତୀକ  ଭାବେ ଏନସିଇଆରଟି ଦ୍ୱାରା ଇ-ଜାଦୁଇ  ଆପ୍‌ ବିକଶିତ କରାଯାଇଛି । ଏଥିରେ  ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳନା, ପଜଲ୍‌,  କବିତା ପୋଷ୍ଟର, ଗପ କାର୍ଡ଼, ଚିତ୍ର କାର୍ଡ଼,  ଶିକ୍ଷକ ତାରା, ଅଭିଭାବକ ତାରା ସଂଖ୍ୟାଜ୍ଞାନ  ପାଇଁ ଶିକ୍ଷଣ ସାମଗ୍ରୀ କିଟ୍‌ ଇତ୍ୟାଦି ରହିଛି ।