ସମ୍ବଲପୁର,୨୬/୦୮: ଦିନକ ପରେ ପଶ୍ଚିମ  ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ସଲେଶ୍ୱରୀଙ୍କ  ମନ୍ଦିର । ରଙ୍ଗକାମଠୁ ନେଇ ମରାମତି ଓ ଗହଣ  ସଫେଇ ଜୋରସୋରେ ଚାଲିଛି । ସୁବ୍ୟବସ୍ଥିତ  କରିବାକୁ ସମସ୍ତ ପୂଜା ପ୍ରସ୍ତୁତି ଚୂଡାନ୍ତ ହୋଇଥିବା  ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି  ସଞ୍ଜୟ ବାବୁ ।  

ଶ୍ରୀ ବାବୁ କହିଛନ୍ତି, ଗତ ୨ ଦିନ ମଧ୍ୟରେ ମନ୍ଦିର  ମରାମତି କାମ ଜୋରସୋରରେ ଚାଲିଛି । ମନ୍ଦିର  ଭିତରେ ଫାଟିଥିବା ଟାଇଲ୍‌ ଓ ମାର୍ବଲ୍‌ କାମ ତିଆରି ସରିଛି। ମନ୍ଦିର ଭିତର ପାଶ୍ୱର୍ର ନୂଆଁ ରଙ୍ଗ କାମ  ହୋଇଛି । ମା’ଙ୍କ ଅଳଙ୍କାର ସଫେଇ କରାଯାଇଛି ।  ପାଶ୍ୱର୍ ଦେବାଦେବୀଙ୍କ ସିନ୍ଦୁର ଲଗା ସରିଛି । ସେହିଭଳି ସାନଗୁଡ଼ି ଭିତରେ ନୂଆଁ ଦୀପ ଷ୍ଟାଣ୍ଡ  ଲଗାଯିବ । ଫଳରେ  ଘିଅ ଉଛୁଳିଲେ ମଧ୍ୟ ଏହା ତଳେ ପଡ଼ିବ ନାହିଁ । ଭକ୍ତଙ୍କ ଦର୍ଶନ ପାଇଁ  ସୁବ୍ୟବସ୍ଥତା କରାଯାଇଛି ।  

ନୂଆଁଖାଇର ପୂଜାର୍ଚ୍ଚନା ସକାଶେ  ପ୍ରସ୍ତୁତି ଚାଲିଛି । ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ବି  ବଲବସପୁରରୁ ଆସିଥିବା ନୂଆଁ  ଧାନରୁ ନବାନ୍ନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା  ଜାରି ରହିଛି । ଆସନ୍ତା ଭାଦ୍ରବ  ଶୁକ୍ଳପକ୍ଷ ପଞ୍ଚମୀ ଗୁରୁବାର(୨୮  ତାରିଖ) ସକାଳ ୧୦ଟା ୩୩ରୁ ୧୦ଟା  ୫୫ମଧ୍ୟରେ ମା’ଙ୍କ ଠାରେ ନବାନ୍ନ ଲାଗିହେବ । ଏପଟେ, ସମଲେଶ୍ୱରୀ  ମନ୍ଦିର ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା  କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ମନ୍ଦିରରେ ନବାନ୍ନ ଖାଇବାର କାର୍ଯ୍ୟସୂଚୀ ଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ  ପକ୍ଷରୁ ସୂଚନା ଦିଆଯାଇଛି ।