ସମ୍ବଲପୁର,୨୬/୦୮: ଦିନକ ପରେ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ସଲେଶ୍ୱରୀଙ୍କ ମନ୍ଦିର । ରଙ୍ଗକାମଠୁ ନେଇ ମରାମତି ଓ ଗହଣ ସଫେଇ ଜୋରସୋରେ ଚାଲିଛି । ସୁବ୍ୟବସ୍ଥିତ କରିବାକୁ ସମସ୍ତ ପୂଜା ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ।
ଶ୍ରୀ ବାବୁ କହିଛନ୍ତି, ଗତ ୨ ଦିନ ମଧ୍ୟରେ ମନ୍ଦିର ମରାମତି କାମ ଜୋରସୋରରେ ଚାଲିଛି । ମନ୍ଦିର ଭିତରେ ଫାଟିଥିବା ଟାଇଲ୍ ଓ ମାର୍ବଲ୍ କାମ ତିଆରି ସରିଛି। ମନ୍ଦିର ଭିତର ପାଶ୍ୱର୍ର ନୂଆଁ ରଙ୍ଗ କାମ ହୋଇଛି । ମା’ଙ୍କ ଅଳଙ୍କାର ସଫେଇ କରାଯାଇଛି । ପାଶ୍ୱର୍ ଦେବାଦେବୀଙ୍କ ସିନ୍ଦୁର ଲଗା ସରିଛି । ସେହିଭଳି ସାନଗୁଡ଼ି ଭିତରେ ନୂଆଁ ଦୀପ ଷ୍ଟାଣ୍ଡ ଲଗାଯିବ । ଫଳରେ ଘିଅ ଉଛୁଳିଲେ ମଧ୍ୟ ଏହା ତଳେ ପଡ଼ିବ ନାହିଁ । ଭକ୍ତଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥତା କରାଯାଇଛି ।
ନୂଆଁଖାଇର ପୂଜାର୍ଚ୍ଚନା ସକାଶେ ପ୍ରସ୍ତୁତି ଚାଲିଛି । ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ବି ବଲବସପୁରରୁ ଆସିଥିବା ନୂଆଁ ଧାନରୁ ନବାନ୍ନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ଗୁରୁବାର(୨୮ ତାରିଖ) ସକାଳ ୧୦ଟା ୩୩ରୁ ୧୦ଟା ୫୫ମଧ୍ୟରେ ମା’ଙ୍କ ଠାରେ ନବାନ୍ନ ଲାଗିହେବ । ଏପଟେ, ସମଲେଶ୍ୱରୀ ମନ୍ଦିର ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ଦିରରେ ନବାନ୍ନ ଖାଇବାର କାର୍ଯ୍ୟସୂଚୀ ଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।