ଭୁବନେଶ୍ବର, ୨୮/୧୨: ସଂଖ୍ୟା ବା ଅଙ୍କ ଜ୍ୟୋତିଷର ଗଣନା ଏବଂ ଆକଳନ ଅନୁସାରେ ବର୍ଷ ୨୦୨୬ ହେବାକୁ ଯାଉଛି ସୂର୍ଯ୍ୟଙ୍କ  ବର୍ଷ । ବର୍ଷ ୨୦୨୬ ପ୍ରତିଟି ସଂଖ୍ୟା ବା ଅଙ୍କକୁ ଯୋଗ କଲେ ହେଉଛି ୧୦ । ପୁଣି ୧ ଏବଂ ୦ କୁ ଯୋଗ  କଲେ ବର୍ଷ ୨୦୨୬ର ମୂଳାଙ୍କ ହେବ ୧ । ସଂଖ୍ୟା ୧ର ଗ୍ରହସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଦେବତା । ତେଣୁ  ଆଗାମୀ ବର୍ଷ ସମସ୍ତ ମୂଳାଙ୍କ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ଦେଖିବାକୁ ମିଳିବ । ସୂର୍ଯ୍ୟଙ୍କୁ ସମ୍ମାନ,  ପ୍ରତିଷ୍ଠା, ଆତ୍ମବିଶ୍ୱାସ, ଉର୍ଜା, ଶକ୍ତି, ନେତୃତ୍ୱ ଆଦିର କାରକ ବୋଲି ବିଶ୍ୱାସ କରାଯାଏ ।  ତେଣୁ ୨୦୨୬ରେ ବେଶ୍‌ କିଛି ଜନ୍ମ ତାରିଖ ସୂର୍ଯ୍ୟ ତେଜରେ ପ୍ରଭାବଶାଳୀ ହେବାର  ଆଶା କରାଯାଉଛି । ପୁଣି ଅନ୍ୟ କିଛି ମୂଳାଙ୍କ ବିଶିଷ୍ଟ ବ୍ୟକ୍ତିବିଶେଷ ଭିନ୍ନ ଭାବରେ ପ୍ରଭାବିତ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ସଂଖ୍ୟାତତ୍ତ୍ୱବିତ୍‌  ବା ନ୍ୟୁମେରୋଲୋଜିଷ୍ଟମାନେ ୨୦୨୬କୁ ନେଇ ନାନା ପୂର୍ବାନୁମାନ କରିଛନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ଜନ୍ମ ତାରିଖରୁ କିପରି କଟିବ ବର୍ଷ ୨୦୨୬ ବର୍ଷ ।

ମୂଳାଙ୍କ-୧

ସଫଳତା ମାର୍ଗରେ ଆଗେଇବେ:

ଅଙ୍କ ଜ୍ୟୋତିଷ ଅନୁସାରେ ୧, ୧୦, ୧୯ ଏବଂ ୨୮  ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୧ । ଏହି  ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ  ବର୍ଷ ୨୦୨୬ ଶୁଭ ସାବ୍ୟସ୍ତ ହେବ । ସୂର୍ଯ୍ୟଙ୍କ କୃପାରୁ  ଏହି ଜନ୍ମ ତାରିଖର ଲୋକମାନଙ୍କୁ ରୋଜଗାର  କ୍ଷେତ୍ରରେ ନୂତନ ଅବସର ପ୍ରାପ୍ତ ହେବ ଏବଂ  ଏମାନେ ସଫଳତା ମାର୍ଗରେ ଆଗକୁ ବଢ଼ିବେ ।  ଚାକିରି କରୁଥିବା ଲୋକମାନଙ୍କର ପଦୋନ୍ନତିର  ସମ୍ଭାବନା ଉଜ୍ଜ୍ୱଳ । ଆର୍ଥିକ ସ୍ଥିତି ଉନ୍ନତ ହେବ ଏବଂ  ଆୟବ୍ୟୟ ମଧ୍ୟରେ ସନ୍ତୁଳନ ବଜାୟ ରହିବ ।  ରାଜନୀତି, ପ୍ରଶାସନ ଏବଂ ବ୍ୟବସାୟ କ୍ଷେତ୍ରରେ  ଏମାନଙ୍କ ମାନ-ସମ୍ମାନ ବୃଦ୍ଧି ପାଇବ । ପ୍ରେମ  ଜୀବନରେ ଖୁସି ଏବଂ ଶାନ୍ତି ଉଭୟ ବିରାଜମାନ  କରିବ । କିନ୍ତୁ ଜଣେ ଅପରର ଭାବନାକୁ ବୁଝିବା  ଅତ୍ୟନ୍ତ ଆବଶ୍ୟକ । ଉପଯୁକ୍ତ ନିଷ୍ପତ୍ତି ଏହି ତାରିଖରେ  ଜନ୍ମ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନକୁ ସୁଖଦ  କରିବ । ଧୈର୍ଯ୍ୟ ଏବଂ ସଂଯମତା ବଜାୟ ରଖିଲେ  ପ୍ରତ୍ୟେକ କ୍ଷେତ୍ରରେ ସୁଫଳ ମିଳିବ ।

ମୂଳାଙ୍କ-୨

ଖଟା-ମିଠା ହେବ ଅନୁଭୂବ:

ଅଙ୍କ ଜ୍ୟୋତିଷ ଅନୁସାରେ ୨, ୧୧, ୨୦ ଏବଂ ୨୯  ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୨ ।  ଆସନ୍ତା ବର୍ଷ ମୂଳାଙ୍କ ୨ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ  ମିଶ୍ରିତ ଫଳଦାୟକ ସାବ୍ୟସ୍ତ ହେବ । କ୍ୟାରିଅର୍‌  କ୍ଷେତ୍ରରେ ସ୍ଥିରତା ବଜାୟ ରହିବ । ଆର୍ଥିକ ମାମଲାରେ  ବୁଝିବିଚାରି କାମ କଲେ ଲାଭଜନକ ହେବ ବର୍ଷ  ୨୦୨୬ । ଗଣମାଧ୍ୟମ, ଡିଜାଇନ୍‌ ଏବଂ ସୃଜନଶୀଳ  କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ବର୍ଷ  ୨୦୨୬ରେ ଅନେକ ସୁଯୋଗ ମିଳିବ । କିନ୍ତୁ ଏହି  ଜନ୍ମ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷଙ୍କୁ ଆଇନଗତ  ମାମଲାରେ ସତର୍କ ରହିବାକୁ ହେବ ଏବଂ ଆର୍ଥିକ  ମାମଲାରେ କାହା ଉପରେ ଅତ୍ୟଧିକ ବିଶ୍ୱାସ କରିବା  ଠିକ୍‌ ହେବ ନାହିଁ । ଦାମ୍ପତ୍ୟ ଜୀବନରେ ମାଧୁର୍ଯ୍ୟ  ବଜାୟ ରଖିବା ପାଇଁ ଜଣେ ଅପରକୁ ବୁଝିବା ଏବଂ  ଜାଣିବା ନିହାତି ଆବଶ୍ୟକ । ମାନସିକ ସ୍ୱାସ୍ଥ୍ୟ ଉପରେ  ଧ୍ୟାନ ଦେବାକୁ ହେବ । ଅତ୍ୟଧିକ ଚିନ୍ତା, ଅନିଦ୍ରା ଭଳି  ସମସ୍ୟା ଏହି ମୂଳାଙ୍କର ବ୍ୟକ୍ତିବିଶେଷଙ୍କ ଜୀବନକୁ  ବିଶେଷ ଭାବେ ପ୍ରଭାବିତ କରିପାରେ ।

ମୂଳାଙ୍କ-୩

ଆରମ୍ଭ ହେବ ସୁବର୍ଣ୍ଣ ସମୟ:

ଅଙ୍କ ଜ୍ୟୋତିଷ ଅନୁସାରେ ୩, ୧୨, ୨୧ ଏବଂ ୩୦  ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୩ ।  ଅଙ୍କ ଜ୍ୟୋତିଷ ଅନୁସାରେ ମୂଳାଙ୍କ ୩ ହୋଇଥିବା  ଲୋକଙ୍କ ପାଇଁ ବର୍ଷ ୨୦୨୬ ଅନୁକୂଳ ରହିବ ଏବଂ  ଆପଣଙ୍କ ସୁବର୍ଣ୍ଣ ସମୟ ଆରମ୍ଭ ହେବାର ସମ୍ଭାବନା  ରହିଛି । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ  ନେତୃତ୍ୱ ନେବାର କ୍ଷମତା ମଧ୍ୟ ବୃଦ୍ଧିପାଇବାର ଆଶା  ଉଜ୍ଜ୍ୱଳ । ଶିକ୍ଷା, ବ୍ୟବସାୟ ଏବଂ ସୃଜନାତ୍ମକ କାର୍ଯ୍ୟ  ସହିତ ଜଡି଼ତ କ୍ଷେତ୍ରରେ ସଫଳତା ମିଳିବାର ଯଥେଷ୍ଟ  ସମ୍ଭାବନା ରହିଛି । ୨୦୨୬ରେ ଏହି ମୂଳାଙ୍କ ବିଶିଷ୍ଟ  ଲୋକମାନଙ୍କୁ ସମସ୍ତ ପ୍ରୟାସ ଏବଂ ପରିଶ୍ରମର  ଫଳ ମିଳିବାର ଆଶା ଅତି ଉଜ୍ଜ୍ୱଳ । ପ୍ରେମ ଓ  ବୈବାହିକ ଜୀବନରେ ଆପଣ ସାଥୀର ଭାବନାକୁ  ଭଲ ଭାବରେ ବୁଝିପାରିବେ । ସମାଜରେ ଆପଣଙ୍କ  ମର୍ଯ୍ୟାଦା ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ଭବ୍ୟ ପାରିବାରିକ  ସମାରୋହରେ ଯୋଗଦାନ କରିବାର ସଂଯୋଗ  ରହିଛି ।