ନୂଆଦିଲ୍ଲୀ,୧୨/୦୧: ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍ଙ୍କ ସାନ ଭଉଣୀ ଏବଂ ଅଭିନେତ୍ରୀ ନୂପୁର ସାନନ୍ ହାତକୁ ଦୁଇହାତ ହୋଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୂପୁର ।ବୟଫ୍ରେଣ୍ଡ ଷ୍ଟେବିନ୍ ବେନ୍ଙ୍କୁ ରବିବାର ବିବାହ କରିଛନ୍ତି ନୂପୁର । ଉଦୟପୁରରେ ଖ୍ରୀଷ୍ଟିଆନ୍ ପରମ୍ପରା ଅନୁସାରେ ଏହି ପ୍ରେମୀଯୁଗଳଙ୍କ ବିବାହ ସଂପନ୍ନ ହୋଇଛି । ସେହି ସମାରୋହରେ ଉଭୟଙ୍କ ଘନିଷ୍ଠ ବନ୍ଧୁ ଏବଂ ସଂପର୍କୀୟମାନେ ଉପସ୍ଥିତ ଥିଲେ । ଦିଶା ପାଟନି, ମୌନି ରାୟଙ୍କ ଭଳି କିଛି ବଲିଉଡ୍ ସେଲିବ୍ରିଟି ମଧ୍ୟ ସେଥିରେ ସାମିଲ ହୋଇଥିଲେ ।
ଏହି ସ୍ୱତନ୍ତ୍ର ଅବସରରେ ନୂପୁର ଧଳା ଗାଉନ୍ ପିନ୍ଧିଥିଲେ । ଷ୍ଟେବିନ୍ ତାଙ୍କ ସହ ମ୍ୟାଚିଂ କରି ପୋଷାକ ପରିଧାନ କରିଥିଲେ । ୨୦୨୩ରେ ତେଲଗୁ ଫିଲ୍ମ ‘ଟାଇଗର ନାଗେଶ୍ୱର ରାଓ’ ଜରିଆରେ ବଡ଼ ପରଦାରେ ଏଣ୍ଟ୍ରି କରିଥିଲେ ନୂପୁର । ଚଳିତବର୍ଷ ‘ନୁରାନି ଚେହରା’ ମାଧ୍ୟମରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂପୁରଙ୍କ ଡେବ୍ୟୁ ହେବାକୁ ଯାଉଛି । ସେଥିରେ ତାଙ୍କ ବିପକ୍ଷରେ ନୱାଜୁଦ୍ଦିନ୍ ସିଦ୍ଦିକିଙ୍କୁ ଦେଖିବାକୁ ମିଳିବ । ସେହିପରି ଷ୍ଟେବିନ୍ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା । ଅନେକ ବଲିଉଡ୍ ଫିଲ୍ମରେ ସେ ଗୀତ ଗାଇଛନ୍ତି ।
ପ୍ରେମ ଥିଲା ସବୁବେଳେ ରହିବ... ନୂପୁର ଏବଂ ଷ୍ଟେବିନ୍ ସେମାନଙ୍କର ମିଳିତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଦୁହେଁ ବର ଏବଂ କନ୍ୟା ବେଶରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଫଟୋ ସହିତ, ଷ୍ଟେବିନ୍ କ୍ୟାପସନ ଦେଇଛନ୍ତି, "ମୁଁ ଭଲ ପାଉଛି, ମୁଁ ଭଲ ପାଏ, ଏବଂ ମୁଁ ଭଲ ପାଇବି, ସବୁଦିନ ପାଇଁ ।" ଫଟୋକୁ ୮୪୬,୦୦୪ ଲାଇକ୍ ମିଳିଛି । ୩,୫୭୨ କମେଣ୍ଟ ଦେଇଛନ୍ତି ।
ଛୁଟିଲା ଶୁଭେଚ୍ଛା- ଷ୍ଟେବିନ୍ ଏବଂ ନୂପୁର ସାନନ୍ଙ୍କ ବିବାହ ଫଟୋ ସୋସିଆଲ ମିଡିଆକୁ ଆସିବା ପରେ କପଲଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନେକ ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୌନି ରୟଙ୍କଠାରୁ ଆରମ୍ଭ କରି ଅର୍ଜୁନ ବିଜଲାନି ଏବଂ ରୁବିନା ଦିଲାଇକ୍ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଅଭିନନ୍ଦନ ଜଣାଇଛନ୍ତି । ମୌନି ରୟ ଏବଂ ଦିଶା ପଟାନି ନୁପୁର ଏବଂ ଷ୍ଟେବିନଙ୍କ ବିବାହରେ ଯୋଗଦେବା ପାଇଁ ଉଦୟପୁର ଯାଇଥିଲେ ।