ମାଲକାନଗିରି, ୧।୭(ଆପ୍ର): ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ମାଲକାନଗିରି ଜିଲ୍ଲା ଓଏଏସ ଏବଂ ଓଆରଏସ କର୍ମଚାରୀ ସଂଘ ପକ୍ଷରୁ ନିନ୍ଦା କରାଯାଇଛି। ଏ ନେଇ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଇ, ଜିଲ୍ଲା ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ସହ ଜିଲ୍ଲାର କାର୍ଯ୍ୟରତ ସମସ୍ତ ତହସିଲଦାର, ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ଏହା ସହ ଓଏଏସ ଏବଂ ଓଆରଏସମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ନିୟମ ଆଣିବାକୁ ଦାବି କରାଯାଇଛି। ଶ୍ରୀ ସାହୁ ଜଣେ ଅଭିଜ୍ଞ ଏବଂ ବରିଷ୍ଠ ଅଧିକାରୀ ସେ ନିଜର କାର୍ଯ୍ୟକୁ ନେଇ ବେଶ ଯତ୍ନବାନ। ସେ ପୂର୍ବରୁ ମାଲକାନଗିରି ଜିଲ୍ଲା ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ମାଡ ମାରିବା ଦ୍ଵାରା ତାଙ୍କ ପରିବାର ଏଥିରେ ମର୍ମାହତ ଓ ଭୟଭୀତ ରହିଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଓ କାର୍ଯ୍ୟକୁ ଓଏଏସ ଏବଂ ଓଆରଏସ ମାନେ ହିଁ କାର୍ଯ୍ୟ କରାଉଛନ୍ତି। କାର୍ଯ୍ୟରତ ଅଧିକାରୀଙ୍କୁ ଏପରି ଆକ୍ରୋଶ ମୂଳକ ଆକ୍ରମଣ ଘଟଣା କଦାପି ସହ୍ୟ କରାଯିବ ନାହି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ତେବେ ଏହି ବୈଠକ ପରେ ସମସ୍ତ ଅଧିକାରୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥିତ ହେବା ସହ ସମୂହ ଛୁଟିରେ ଯିବା ପାଇଁ ଦରଖାସ୍ତ ପ୍ରଦାନ କରିଛନ୍ତି। ଯେପର୍ଯ୍ୟନ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆ ନଯାଇଛି, ଏବଂ ସଂଘର ଦାବି ଗୁଡିକ ପ୍ରତି ପଦକ୍ଷେପ ଗ୍ରହଣ କରା ନଯାଇଛି ସେ ପର୍ଯ୍ୟନ୍ତ ଜିଲ୍ଲାରେ କାର୍ଯ୍ୟରତ ୨୨ଜଣ ଓଏଏସ ଓ ୮ ଜଣ ଓଆରଏସ ଛୁଟିରେ ରହିବାକୁ ସଂଘ ପକ୍ଷରୁ କୁହାଯାଇଛି।